ରାଉରକେଲା: ଅସହ୍ୟ ହେଲାଣି ତାତି। ବେଶ୍ କିଛି ଦିନ ହେଲା ଜିଲ୍ଲାର ତାପମାତ୍ରା ଆଖିଦୃଶିଆ ବୃଦ୍ଧି ପାଇବାରେ ଲାଗିଛି। ରାଉରକେଲା ସହର ସମେତ ସାମଗ୍ରିକଭାବେ ଜିଲ୍ଲାର ତାପମାତ୍ରା ପୂର୍ବ ବର୍ଷ ଅପେକ୍ଷା ଢ଼େର୍ ଅଧିକ ରହୁଛି। ଗତ କିଛି ଦିନର ଜିଲ୍ଲାର କ୍ରମବର୍ଦ୍ଧିଷ୍ଣୁ ତାପମାତ୍ରା ଦେଖି ଯାହା ଆଶଙ୍କା କରାଯାଉଥିଲା; ଆଜି ତାହା ସତ୍ୟତାରେ ପରିଣତ ହୋଇଛି। ଆଜି(ଶନିବାର) ଜିଲ୍ଲାରେ ପ୍ରଥମଥର ପାଇଁ ତାପମାତ୍ରା ୪୪ ଡିଗ୍ରି ପାର୍ କରିଛି। ଆଜି ଜିଲ୍ଲାର ତାପମାତ୍ରା ୪୪.୧ ଡିଗ୍ରି ରହିଥିଲା; ଯାହାକି ଚଳିତବର୍ଷର ସର୍ବାଧିକ। ସେହିଭଳି ରାଉରକେଲାର ତାପମାତ୍ରା ମଧ୍ୟ ଖସିବାର ନାଁ ନେଉନି। ଆଜି ରାଉରକେଲା ତାପମାତ୍ରା ୪୩ ଡିଗ୍ରି ଥିବା ରେକର୍ଡ କରାଯାଇଛି।
ଗତ ଚାରି ଦିନ ହେଲା ଜିଲ୍ଲାର ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି। ଗତ ୭ ତାରିଖରେ ଜିଲ୍ଲାର ସର୍ବାଧିକ ତାପମାତ୍ରା ୪୨ ଡିଗ୍ରି ରହିଥିବାବେଳେ ୮ ତାରିଖରେ ଏହା ଦେଢ଼ ଡିଗ୍ରି ବୃଦ୍ଧି ପାଇ ୪୩.୫ ଡିଗ୍ରିରେ ପହଞ୍ଚିଥିଲା। ୯ ତାରିଖରେ ପୁଣି ତାପମାତ୍ରାରେ ୦.୩ ଡିଗ୍ରି ବୃଦ୍ଧି ପାଇ ୪୩.୮ ଡିଗ୍ରିରେ ପହଞ୍ଚିଥିଲା। ଆଜି ମଧ୍ୟ ସମାନ ୦.୩ ଡିଗ୍ରି ବୃଦ୍ଧି ଘଟି ତାପମାତ୍ରା ୪୪.୧ ଡିଗ୍ରିରେ ପହଞ୍ଚିଛି। ରାଉରକେଲା ସହରର ତାପମାତ୍ରା ମଧ୍ୟ ସମତାଳରେ ବୃଦ୍ଧି ପାଇବାରେ ଲାଗିଛି। ଗତ ୭ ତାରିଖରେ ସହରର ତାପମାତ୍ରା ୪୧.୬ ଡିଗ୍ରି ଥିବାବେଳେ ୮ ତାରିଖରେ ଢ଼େଦ ଡିଗ୍ରି ବୃଦ୍ଧି ଘଟି ୪୩.୧ ଡିଗ୍ରିରେ ପହଞ୍ଚିଥିଲା। ୯ ତାରିଖରେ ମଧ୍ୟ ୦.୩ ଡିଗ୍ରି ବଢ଼ି ୪୩.୬ଡିଗ୍ରିରେ ପହଞ୍ଚିଥିଲା। ଆଜି ସହରରେ ତାପମାତ୍ରା କିନ୍ତୁ ଅପେକ୍ଷାକୃତ କମ୍ ରହିଛି।
ମୁଣ୍ଡଫଟା ଖରା ସାଙ୍ଗକୁ ପ୍ରବଳ ଗୁଳୁଗୁଳି ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ। ଏହି ସମୟରେ ବାରମ୍ବାର ଅଘୋଷିତ ବିଦ୍ୟୁତ କାଟ୍ ଜନସାଧାରଣଙ୍କ ଜୀବନକୁ ଦୁର୍ବିସହ କରିସାରିଲାଣି। ପ୍ରତିଦିନ ଦିନବେଳା ୨/୩ ଘଣ୍ଟା ବିଦ୍ୟୁତ୍ କାଟ୍ ହେଉଛି। ବିଦ୍ୟୁତ କାଟିବା ପୂର୍ବରୁ ଘୋଷଣା ବି କରାଯାଉନି। ଏନେଇ ପ୍ରଶ୍ନକଲେ ମରାମତି କାମ, ରକ୍ଷଣାବେକ୍ଷଣ ପାଇଁ କଟାଯାଉଥିବା ବିଭାଗୀୟ ଅଧିକାରୀ ଉତ୍ତର ଦେଉଛନ୍ତି। ଗତ କିଛି ଦିନ ହେଲା ବାସନ୍ତୀକଲୋନି, ଜଗଦା ଅଞ୍ଚଳରେ ବିଳମ୍ବିତ ରାତିରେ ବିଦ୍ୟୁତ କାଟ୍ ହେଉଥିବା ଦେଖିବାକୁ ମିଳିଛି। ପ୍ରତିଦିନ ରାତି ୧୨.୩୦/୧ଟା ପରେ ୨/୩ ଘଣ୍ଟା ପାଇଁ ବିଦ୍ୟୁତ କାଟ୍ ହେଉଛି। ଲୋଡିଂ ସମସ୍ୟା ଯୋଗୁଁ ବିଦ୍ୟୁତ ବିଭ୍ରାଟ ଘଟୁଥିବା ବିଭାଗ ସଫେଇ ଦେଉଛି। ତେବେ ଏହି ସମସ୍ୟାର ସମାଧାନ ପାଇଁ ଅଧିକ କ୍ଷମତାଯୁକ୍ତ ଟ୍ରାନ୍ସଫର୍ମର୍ ସ୍ଥାପନ କରିବାକୁ ଦାବି ଜୋର୍ ଧରିଛି।