ଭୁବନେଶ୍ବର/ନୟାଗଡ଼: ଏପ୍ରିଲ ୧୧ରେ ବିଶ୍ବ ଛେନାପୋଡ଼ ଦିବସ ପାଳନ ହେବାକୁ ଯାଉଛି। ନୟାଗଡ଼ରୁ ଛେନାପୋଡ଼ର ସୃଷ୍ଟି ହୋଇଥିବା ବେ‌‌ଳେ ଏହାର ଜନକ ଭାବେ ସୁଦର୍ଶନ ସାହୁ ପରିଚିତ। ତେବେ ସୁଦର୍ଶନ ନୁହନ୍ତି, ତାଙ୍କ ବାପା ବିଦ୍ୟାଧର ସାହୁ ହିଁ ଛେନାପୋଡ଼ର ପ୍ରକୃତ ସୃଷ୍ଟିକର୍ତ୍ତା। ଛେନାପୋଡ଼ ପ୍ରସ୍ତୁତି ବେଳେ ସୁଦର୍ଶନ ମାତ୍ର ୧୬/୧୭ବର୍ଷ ବୟସର ‌ହୋଇଥିଲେ। ନାଟକୀୟ ଢଙ୍ଗରେ ଉଦ୍ଭବ ହୋଇଥିବା ଛେନାପୋଡ଼ ପ୍ରସ୍ତୁତିରେ ବାପାଙ୍କୁ ସହଯୋଗ କରିଥିଲେ। ସୁଦର୍ଶନ ତାଙ୍କ ଜୀବିତାବସ୍ଥାରେ ବିଭିନ୍ନ ପତ୍ରପତ୍ରିକାକୁ ଦେଇଥିବା ସାକ୍ଷାତକାରରୁ ଏ କଥା ଜଣାପଡ଼ିଛି।

Advertisment

ସରକାରୀ ଭ‌ାବେ ଅର୍ଥାତ୍‌ ନୟାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ଛେନାପୋଡ଼ ଦିବସକୁ ପ୍ରତ୍ୟେକ ଅଫିସ୍‌ରେ ପାଳନ କରିବାକୁ ଚିଠି କରାଯାଇଛି। ଏହି ଚିଠି‌ରେ ଛେନାପୋଡ଼ ପ୍ରଥମେ ସୁଦର୍ଶନ ସାହୁ ପ୍ରସ୍ତୁତ କରିଥିବାରୁ ତାଙ୍କ ଜୟନ୍ତୀକୁ ବିଶ୍ବ ଛେନାପୋଡ଼ ଦିବସ ଭାବେ ପାଳନ କରିବାକୁ କୁହାଯାଇଛି। ଜିଲ୍ଲାପାଳଙ୍କ ଏହି ଚିଠିକୁ ନେଇ ବିବାଦ ସୃଷ୍ଟି ହୋଇଛି। ସୁଦର୍ଶନଙ୍କ ଜୟନ୍ତୀକୁ ବିଶ୍ବ ଛେନାପୋଡ଼ ଦିବସ ଭାବେ ପାଳନ କରି ଛେନାପୋଡ଼ର ପ୍ରକୃତ ଜନକ ବିଦ୍ୟାଧର ସାହୁଙ୍କୁ ଅପମାନିତ କରାଯାଉଛି ବୋଲି ନୟାଗଡ଼ର ହେମେନ୍ଦ୍ର ସେନା ଅଭିଯୋଗ କରିଛି। ଏନେଇ ଅନୁଷ୍ଠାନ ପକ୍ଷରୁ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ମଧ୍ୟ ପ୍ରଦାନ କରାଯାଇଛି।

publive-image

ନୟାଗଡ଼ ଜିଲ୍ଲା ଦଶପଲ୍ଲା ସାତପାଟଣାର ମୂଳବାସିନ୍ଦା ହେଉଛନ୍ତି ବିଦ୍ୟାଧର ଓ ସୁଦର୍ଶନ। ଜାତିରେ ଗୁଡ଼ିଆ ହୋଇଥିବାରୁ ମିଠା ପ୍ରସ୍ତୁତି ତଥା ବ୍ୟବସାୟ କରୁଥିଲେ। ବାପାଙ୍କ ମିଠା ଦେକାନରେ ରହି ସୁଦର୍ଶନ ଏକ ପୋଖତ ମିଠା-ମିସ୍ତ୍ରି ପାଲଟି ଯାଇଥିଲେ। ୧୯୯୬ ଜାନୁଆରିରେ ‘ସଚିତ୍ର ବିଜୟା’ରେ ଛେନାପୋଡ଼କୁ ନେଇ ଏକ ଆଲେଖ୍ୟ ପ୍ରକାଶ ପାଇଥିଲା। ସୁଦର୍ଶନଙ୍କ ସହିତ ଆଲୋଚନା କରି ସ୍ତମ୍ଭକାର ବିଶ୍ବଭାରତୀ ସେହି ଲେଖାଟିକୁ ପ୍ରସ୍ତୁତ କରିଥିଲେ। ୧୯୪୫ ମସିହା କଥା, ପ୍ରତିଦିନ ମିଠା ପ୍ରସ୍ତୁତ ପରେ ଦୋକାନରେ କିଛି ଛେନା ବଳି ପଡ଼ିଥିଲା। ବଳକା ଛେନାକୁ କ’ଣ କରିବେ ଭାବୁ ଭାବୁ, ହଠାତ୍‌ ଗୋଟିଏ ଅଜବ ବୁଦ୍ଧି ମୁଣ୍ଡକୁ ଜୁଟିଥିଲା। ବିରି ପୋଡ଼ପିଠା ଭଳି ଛେନାରେ କିଛି ଚିନି ଓ ଚାଉଳ ଚୁନା ମିଶାଇ ତାହାକୁ ଚକଟି କଦଳୀପତ୍ରରେ ଗୁଡ଼ାଇ ସେଦିନ ରାତିରେ ସେମାନେ ନିଆଁ-ଆଞ୍ଚରେ ବସାଇ ଦେଇଥିଲେ। ସକାଳକୁ ତାହା ବେଶ୍‌ ସ୍ବାଦିଷ୍ଟ ଲାଗିବା ସହିତ ପରବର୍ତ୍ତୀ ଅବସ୍ଥାରେ ମିଠା ଜଗତରେ ମଉଡ଼ମଣି ‘ଛେନାପୋଡ଼’ ପାଲଟି ଯାଇଥିଲା। ନୂଆ ଏକ ମିଠା ତିଆରିର ସଫଳତାରେ ବାପା-ପୁଅ ପୁଲକିତ ହୋଇଥିଲେ।

ଦଶପଲ୍ଲା ସାତପାଟଣାରୁ ନୟାଗଡ଼ ଆଣି ଏହି ନୂଆ ମିଠା ବା ଛେନାପୋଡ଼କୁ ବିଦ୍ୟାଧର ଓ ସୁଦର୍ଶନ କିଛି ଖାସ୍‌ ଗ୍ରାହକଙ୍କୁ ଦେଉଥିଲେ। ପରବର୍ତ୍ତୀ ଅବସ୍ଥାରେ ୧୯୪୭ରେ ସୁଦର୍ଶନ ଆସି ନୟାଗଡ଼ ବସ୍‌ଷ୍ଟାଣ୍ଡ୍‌ରେ ଏକ ମିଠା ଦୋକାନ କରିଥିଲେ। ନୟାଗଡ଼କୁ ଆସୁଥିବା ନେତା, ମନ୍ତ୍ରୀ, ଅଫିସର୍‌ ସୁଦର୍ଶନଙ୍କ ଛେନାପୋଡ଼ ନେବାକୁ ଭୁଲୁ ନଥିଲେ। ସୁଦର୍ଶନ ରାଜ୍ୟ ବାହାରକୁ ମଧ୍ୟ ଏହା ପଠାଉଥିଲେ। ତେବେ ବିଭିନ୍ନ କାରଣ ପାଇଁ ‌ଛେନାପୋଡ଼ ବ୍ୟବସାୟରୁ ୧୯୮୦ ମସିହାରେ ସୁଦର୍ଶନ ଓହରି ଯାଇଥିଲେ। ୨୦୧୬ ନଭେମ୍ବର ତାଙ୍କର ପରଲୋକ ଘଟିଥିଲା।

ବିବାଦ ସୃଷ୍ଟି କରାନଯାଉ

publive-image

ସୁଦର୍ଶନଙ୍କ ଜୟନ୍ତୀକୁ ଗତବର୍ଷଠାରୁ ବିଶ୍ବ ଛେନା ପୋଡ଼ ଦିବସ ଭା‌ବେ ପାଳନ କରାଯାଉଛି। ଚଳିତ ବର୍ଷ ଏନେଇ ପ୍ରଶ୍ନ ଉଠ‌ାଇବା ଠିକ ହେଉନାହିଁ, ସୁଦର୍ଶନ ହୁଅନ୍ତୁ କି ବିଦ୍ୟାଧର ସେମାନେ ଗୋଟିଏ ପରିବାରର। ଏହା ଛଡ଼ା କୌଣସି ବ୍ୟକ୍ତିବିଶେଷଙ୍କୁ ଜିଆଇ ଟ୍ୟାଗ୍‌ ପ୍ରଦାନ କରାଯାଉନାହିଁ, ଛେନାପୋଡ଼କୁ ଜିଆଇ ଟ୍ୟାଗ୍‌ ନେଇ ଆବେଦନ କରାଯାଇଛି। ସୁଦର୍ଶନଙ୍କ ସମ୍ପର୍କରେ ଜାତୀୟ ଗଣମାମଧ୍ୟମରେ ମଧ୍ୟ ରିପୋର୍ଟ ପ୍ରକାଶ ପାଇଛି। ଛେନା ପୋଡ଼ ଦିବସ ଉତ୍ସବରେ ସଭିଏଁ ସାମିଲ ହେବାକୁ ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଛି।
-ରବୀନ୍ଦ୍ରନାଥ ସାହୁ, ଜିଲ୍ଲାପାଳ, ନୟାଗଡ଼

ଜିଆଇ ଆବେଦନରେ ବିଦ୍ୟାଧରଙ୍କ ନାଁ ନାହିଁ

publive-image

ଗତ ମାର୍ଚ୍ଚ ୩୦ ତାରିଖରେ ‘ନୟାଗଡ଼ ଛେନାପୋଡ଼’ ପାଇଁ ଜି.ଆଇ ଟ୍ୟାଗ୍‌ ନିମନ୍ତେ ଆବେଦନ କରାଯାଇଛି। ୧୯୯୬ ମସିହାରେ ‘ସଚିତ୍ର ବିଜୟା’ରେ ପ୍ରକାଶିତ ଆଲେଖ୍ୟ ଅନୁଯାୟୀ, ୧୯୪୫ ମସିହାରେ ଉଭୟ ପିତା-ପୁତ୍ରଙ୍କ ଉଦ୍ଭାବିତ ରୂପ ହେଉଛି ଛେନାପୋଡ଼। ତେଣୁ ଜି.ଆଇ ଆବେଦନରେ ଏହାକୁ ସଂଶୋଧନ କରାଯାଉ ଏବଂ ବିଦ୍ୟାଧରଙ୍କୁ ଛେନାପୋଡ଼ର ଜନକ ଭାବେ ମର୍ଯ୍ୟାଦା ପ୍ରଦାନ କରାଯାଉ, ସୁଦର୍ଶନଙ୍କୁ ମଧ୍ୟ ସହଯୋଗୀ ଭାବେ ସନ୍ନିବେଶିତ କରାଯାଉ।
-ଡ. ଅନିତା ସାବତ, ସଂସ୍କୃତି ଓ ଜି.ଆଇ ଗବେଷକ

ଛେନାପୋଡ଼ ପ୍ରସ୍ତୁତିରେ ବାପା-ପୁଅଙ୍କ ଅବଦାନ ରହିଛି

publive-image

ମତେ ସୁଦର୍ଶନ ସାହୁ ଯାହା କହିଥିଲେ, ସେହି କଥା ହିଁ ‘ସଚିତ୍ରା ବିଜୟା’ରେ ମୁଁ ଲେଖିଥିଲି। ବିଦ୍ୟାଧର ସାହୁଙ୍କ ଦୋକାନରେ ପୁଅ ସୁଦର୍ଶନ ସହଯୋଗୀ ଭାବେ କାମ କରୁଥିଲେ। ବାପା ମୁଖ୍ୟ କାରିଗର ଥିଲେ। ବଳକା ଛେନାକୁ ବ୍ୟବହାର କରି ଆଲୋଚନା କରି ଏଭଳି ଛେନାପୋଡ଼ ଉଭୟ ପ୍ରସ୍ତୁତ କରିଥିଲେ। ଛେନାପୋଡ଼ ନେଇ ବାପା-ପୁଅଙ୍କ ଅବଦାନ ରହିଛି।
-ଡ. ବିଶ୍ବଭାରତୀ, ସ୍ତମ୍ଭକାର

ବାପାଙ୍କୁ ଛେନାପୋଡ଼ ପ୍ରସ୍ତୁତିରେ ସୁଦର୍ଶନ ସହଯୋଗ କରିଥିଲେ

publive-image

ଆନୁଷ୍ଠାନିକ ଭାବେ ସୁଦର୍ଶନ ସାହୁଙ୍କ ଜନ୍ମତିଥିକୁ ଛେନାପୋଡ଼ ଦିବସ ଭାବେ ସମର୍ପିତ କରିବାରେ ଅସୁବିଧା ନାହିଁ। କିନ୍ତୁ ଏହା ପଛରେ ଥିବା ତାଙ୍କ ବାପାଙ୍କ ଉଦ୍ୟମକୁ ଭୁଲିବା ଉଚିତ ନୁ‌ହେଁ। ମିଠା ଜଗତର ମଉଡ଼ମଣି ଛେନାପୋଡ଼ର ଇତିହାସ ୭୮ ବର୍ଷ ପୁରୁଣା, ବିଦ୍ୟାଧର ସାହୁଙ୍କ ମିଠା ଦୋକାନରେ ଆକସ୍ମିକ ଭାବେ ଏହା ଜନ୍ମ ନେଇଥିଲା। ପ୍ରସ୍ତୁତିରେ ବିଦ୍ୟାଧରଙ୍କୁ ମଝିଆଁ ପୁଅ ସୁଦର୍ଶନ ସହାୟତା କରିଥିବା ସୁଦର୍ଶନ ନିଜେ ମତେ ଏକ ସାକ୍ଷାତକାରରେ କହିଥିଲେ।

-ଭକ୍ତ ତ୍ରିପାଠୀ, ଖାଦ୍ୟ-ସଂସ୍କୃତି ଗବେଷକ