ଝରିଗାଁ : ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଳକରେ ହୋଇଥିବା ପାଇଖାନା ଦୁର୍ନୀତି ମାମଲାରେ ସୋମବାର ଆଉ ୧୩୯ ଜଣ ହିତାଧିକାରୀ ଝରିଗାଁ ବିଡ଼ିଓଙ୍କ ନାଁରେ ଏତଲା ଦେଇଛନ୍ତି । ଝରିଗାଁ ବ୍ଳକ କଂଗ୍ରେସ ସଭାପତି ତମ୍ବୁଦାସ ପନକାଙ୍କ ନେତୃତ୍ୱରେ ଏକମ୍ବା, ବେଲଗାଁ,ଏବଂ ବାଣୁଆଗୁଡା ପଂଚୟତର ଶତାଧିକ ମହିଳା ଓ ପୁରୁଷ ହିତାଧିକାରୀ ଝରିଗାଁ ଲାମ୍ପ ଛକଠାରେ ଏକତ୍ରିତ ହୋଇ ଥିଲେ । ପରେ ଏକ ଶୋଭାଯାତ୍ରାରେ ବାହାରି ଝରିଗାଁ ଥାନା ପହଞ୍ଚି ଝରିଗାଁ ବିଡ଼ିଓ ଙ୍କ ନାରେ ଏତଲା ଦେଇଥିଲେ ।
ଝରିଗାଁ ବ୍ଳକ ସାରା ଏପରି ପାଇଖାନା ନିର୍ମାଣ ନକରି ହିତାଧିକାରୀଙ୍କ ନାମରେ ଅର୍ଥ ହରିଲୁଟ କରାଯାଇଛି ଏବଂ ଯେଉଁ ପାଇଖାନା ନିର୍ମାଣ ହୋଇଛି ତାହା ଅତି ନିମ୍ନମାନର ହୋଇଥିବାରୁ ତାହା ଲୋକ ମାନଙ୍କ ପାଇଁ ବ୍ୟବହାର ଉପଯଯୋଗୀ ନୁହେଁ ବୋଲି ବ୍ଳକ କଂଗ୍ରେସ ସଭାପତି ଶ୍ରୀ ପନକା ଅଭିଯୋଗ କରିଛନ୍ତି। ଏହି ଶୋଭାଯାତ୍ରା ଏବଂ ଏତଲା ଦେବା କାର୍ଯ୍ୟକ୍ରମରେ ପୁର୍ବତନ ସାଂସଦ ଭଗବାନ ମାଝୀ ,ଜିଲ୍ଲା ପରିଷଦ ପଦ୍ମନାଭ ପାଣ୍ଡେ, ଝିନବାସ ଚୌଧୁରୀ, ବଂଶୀଧର ପନକା, ଶ୍ରୀଧର ସାଗରିଆ,ସୁବାଷ ସାଗର,ପିତାମ୍ବର ପନକା,ଧନସିଂ ଗୌଡ଼,ପୁର୍ଣ୍ଣ ପନକା,ରଘୁ ବଂଜାରା, ସାନଧର ପନକାଙ୍କ ସହ ବହୁ ହିତାଧିକାରୀ ଉପସ୍ଥିତ ରହିଥିଲେ ।
ଏନେଇ ପୁର୍ବତନ ସାଂସଦ ପ୍ରଦୀପ ମାଝୀ ସହ ଯୋଗାଯୋଗ କରିବାରୁ ସେ କହିଥିଲେ ଯେ ଝରିଗାଁ ବିଡ଼ିଓଙ୍କ ପ୍ରତି କାଯ୍ୟାନୁଷ୍ଠାନ ହେଲେ ସମସ୍ୟା ସମାଧାନ ହୋଇନାହିଁ । ଗରିବ ଲୋକ ମାନଙ୍କୁ କେନ୍ଦ୍ର ଓ ରାଜ୍ୟ ସରକାର ଯେଉଁ ପାଇଖାନା ଦେଇ ଥିଲେ ତାହା ବାଟମାରଣା ହୋଇଛି । ତେଣୁ କିଭଳି ସେମାନଙ୍କ ଘରେ ପାଇଖାନା ନିର୍ମାଣ ହେବ ସେଥିପ୍ରତି ପ୍ରଶାସନ ଦୃଷ୍ଟି ଦେବା ପାଇଁ ସେ ଅନୁରୋଧ କରିଛନ୍ତି । ସେହିଭଳି ଯେଉଁ ଦିନ ପର୍ଯ୍ୟନ୍ତ ସ୍ୱଚ୍ଛ ଭାରତ ମିଶନ ତରଫରୁ ବ୍ୟବହାର ଉପଯୋଗୀ ପାଇଖାନା ନିର୍ମାଣ ହୋଇନାହିଁ ସେହି ଦିନ ପର୍ଯ୍ୟନ୍ତ ସଂଗ୍ରାମ ଜାରି ରହିବ ଏବଂ ଝରିଗାଁ ଥାନାରେ ଏତଲା ପ୍ରକ୍ରିୟା ଜାରି ରହିବ ବୋଲି କହିଛନ୍ତି । ଏଠାରେ ପ୍ରକାଶ ଯେ ପାଇଖାନା ଦୁର୍ନୀତିର ତଦନ୍ତ କରି ରାଜ୍ୟ ସରକାର ଝରିଗାଁ ବିଡ଼ିଓ ଏବଂ କନିଷ୍ଟ ଯନ୍ତ୍ରୀ ଙ୍କୁ ନିଲମ୍ବିତ କରିଛନ୍ତି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/01/WhatsApp-Image-2021-01-25-at-19.54.06.jpeg)
