ସରିଲା ଧର୍ମମାସ, ରାତି ପାହିଲେ ଜମିବ ଛାଡଖାଇ

ଜୟପୁର: ଶେଷ ହୋଇଛି ପବିତ୍ର କାର୍ତ୍ତିକ ମାସ । ଧର୍ମ ମାସ ସରିବା ପରେ ମଙ୍ଗଳବାର (ଆସନ୍ତାକାଲି) ପାଳନ ହେବ ଛାଡଖାଇ। ମାସେଧିକ କାଳ ମୁହଁରେ ବାଜି ନ ଥିବା ଆମିଶ ମଙ୍ଗଳବାର ମୁହଁରେ ବାଜିବ। ହେଲେ କାଲି ମଙ୍ଗଳବାର ପଡୁଥିବା ଲୋକେ ବେଶ ଖୁସି ରହିଛନ୍ତି। ଏହାସହ ତା’ପର ଦିନ ବୁଧ ବାର ପଡୁଥିବାରୁ ଏହି ଦିନ ବି ଛାଡଖାଇ ହେବ। ତେବେ ବୁଧବାର ରାତିରୁ ମାର୍ଗଶିର ମାସ ଆରମ୍ଭ ହୋଇଯାଉଥିବାରୁ ଘରେ ପଶିବନି ଆମିଶ। ତେଣୁ ଚଳିତବର୍ଷ ମଙ୍ଗଳବାର ହେବ ଛାଡଖାଇ।

ଛାଡିଥିବା ଖାଦ୍ୟକୁ ପୁଣି ଖିଆଯିବ। ତେବେ ଏଥିପାଇଁ ଜୟପୁର ଦ୍ବିତୀୟ ଦୈନିକ ବଜାରରେ ରହିଥିବା ଏକାଧିକ ଆମିଶ ଦୋକାନୀଙ୍କ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି। କୋଭିଡ କଟକଣାକୁ ନଜରରେ ରଖି ଆମିଶ ବଜାରରେ ବିକ୍ରି ହେବ ଆମିଶ ଦ୍ରବ୍ୟ। ବ୍ରଏଲର କୁକୁଡା, ଖାସିମାଂସ, ମାଛ, ଡ୍ୟାମ ମାଛ, ଦେଶୀ କୁକୁଡା, ଅଣ୍ଡା, ଚିଙ୍ଗୁଡି, କଙ୍କଡା ସହ ବିଭିନ୍ନ ପ୍ରକାରର ଶୁଖୁଆର ବ୍ୟବସ୍ଥା ଗ୍ରହଣ କରାଯାଇଛି। ଭୋଜି ଭାତ ସାଙ୍ଗକୁ ଠାଏ ଠାଏ ପିକନିକର ଆୟୋଜନ କରାଯିବାର ମଧ୍ୟ ଯୋଜନା ରହିଛି।

ମଙ୍ଗଳବାର ଦିନ ୬୦ ପ୍ରତିଶତ ଲୋକେ ଛାଡଖାଇ ପାଳନ କରିବାକୁ ରହିଥିବାବେଳେ ବୁଧବାର ଦିନ ୪୦ ପ୍ରତିଶତ ଲୋକେ ଆମିଷକୁ ଗ୍ରହଣ କରିବେ। କିଛି ଲୋକ ଶୁକ୍ରବାର ମଧ୍ୟ ଛାଡଖାଇ ପାଳନ କରିବେ ବୋଲି ପ୍ରକାଶ କରିଛନ୍ତି। କାର୍ତ୍ତକ ଶେଷ ହେବା ପୂର୍ବରୁ ଆମିଷ ବଜାରରେ ରହିଥିବା ସବୁ ଷ୍ଟଲ ମାଲିକ ଚିକେନ, ଖାସି ମାଂସ, ଅଣ୍ଡା, ମାଛ ସହ ବହୁ ବ୍ୟବସ୍ଥା ଆରମ୍ଭ କରିଦେଲେଣି। ଚିକେନ, ମଟନ, ମାଛ ପାଇଁ ଲୋକଙ୍କର ପ୍ରଥମ ଚାହିଦା ରହିଥିବାରୁ ଏହାକୁ ପୂରଣ କରିବାକୁ ଆମିଶ ବ୍ୟବସାୟୀ ତିନିଦିନ ତଳୁ ବ୍ୟବସ୍ଥା ଗ୍ରହଣ କରିସାରିଲେଣି। ତେବେ ସମଦାଶପୁଟ, ଆନ୍ଧ୍ରପ୍ରଦେଶ ଓ ଚିଲିକାରୁ ବିଭିନ୍ନ ପ୍ରକାର ମାଛ, କଙ୍କଡା, ଚିଙ୍ଗୁଡି, ଖଇଙ୍ଗାମାଛ ଆସିବାକୁ ରହିଛି।

ନବରଙ୍ଗପୁର ସହ ଲକ୍ଷ୍ମୀପୁର, ନାରାୟଣ ପାଟଣା ଓ ବନ୍ଧୁଗାଁରୁ ଆସିବ ଖାସି। ଖାସି କେଜି ପ୍ରତି ୫୦୦ରୁ ୬୦୦ ଟଙ୍କା ଧାର୍ଯ୍ୟ କରା ଯାଇଥିବାବେଳେ କଂସେଇଖାନାରେ କଟାଯିବାକୁ ଆଜିଠୁ ବ୍ୟବସ୍ଥା ଗ୍ରହଣ କରାଯାଇଛି। ସେହିପରି ବ୍ରଏଲର ଚିକେନ ଓ ଦେଶୀ ଚିକେନ ପାଇଁ ବୈପାରିଗୁଡା, କୋଟା, ମାଲକାନଗିରି ଓ ମୋଟୁରେ ରହିଥିବା ବେପାରୀଙ୍କୁ ବଇନା ଦିଆ ସରିଛି।

ମାଛ ବିକ୍ରି ପାଇଁ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଲୋକଙ୍କ ଚାହିଦାକୁ ନେଇ ବ୍ୟବସାୟୀମାନେ ମଧ୍ୟ ପୂର୍ବରୁ ପ୍ରସ୍ତୁତ ହୋଇଯାଇଛନ୍ତି। କାଉଣ୍ଟରରେ ବହୁ ପରିମାଣରେ ଚିକେନ ରଖାଯିବାକୁ ରହିଥିବାବେଳେ କଙ୍କଡା, ଚିଙ୍ଗୁଡି ଓ ମାଛ ପାଇଁ ସ୍ବତନ୍ତ୍ର ବରାଦ ଦିଆଯାଇଛି। ଆମିଷ ଦରରେ କୌଣସି ବୃଦ୍ଧି କରାଯାଇ ନ ଥିବାରୁ ଏହା ଖାଉଟିକୁ ସୁହାଇବା ଆଶା କରାଯାଉଛି। ବଜାରରେ ଚିଙ୍ଗୁଡି ଦର ୩୫୦ରୁ ୪ଶହ ଟଙ୍କା ଥିବା ବେଳେ ମାଛ ୧୫୦ରୁ ୧୮୦, କଙ୍କଡା ୫୦୦ ଟଙ୍କା ଓ ଚିକେନ ୧୮୦ଟଙ୍କା, ମଟନ ୫୦୦ରୁ ୬୦୦ଟଙ୍କାରେ ବିକ୍ରି କରାଯିବ। ତେବେ ଅଣ୍ତା ଓ ଶୁଖୁଆ ବଜାରରେ ମଧ୍ୟ ସ୍ବତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି। ରାଜସୁନାଖେଳା, ବ୍ରହ୍ମପୁର ଓ ନୟାଗଡରୁ ଜୟପୁର ସହରକୁ ଆଜି ଆସି ପହଞ୍ଚି ସାରିଛି ଭଳିକି ଭଳି ଶୁଖୁଆ।

ଏନେଇ ମାଂସ ବ୍ୟବସାୟୀ ବେଲାଲ କହିଛନ୍ତି ଯେ ତିନିଦିନ ତଳୁ ନବରଙ୍ଗପୁର ସହ ଲକ୍ଷ୍ମୀପୁର, ନାରାୟଣ ପାଟଣା ଓ ବନ୍ଧୁଗାଁରୁ ଖାସି ଆଣି ରଖାଯାଇଛି। ଆସନ୍ତକାଲି ସକାଳୁ କଟାଯାଇ ସୁଲଭ ଦରରେ ଦିଆଯିବ। କିନ୍ତୁ କୋଭିଡ ନିୟମ ମାନିବାକୁ ସରକାରୀ ନିମୟ ରହିଥିବାରୁ ଦୁଇରୁ ଅଧିକ ଲୋକଙ୍କୁ ଦୋକାନ ନିକଟରେ ରଖାଯିବ ନାହିଁ ବୋଲି ସେ କହିଛନ୍ତି।

ଏନେଇ ସାମଦାସପୁଟ ମାଛ ବ୍ୟବସାୟୀ କହିଛନ୍ତି ଯେ ଆସନ୍ତାକାଲି ଚାହିଦାକୁ ଆଖି ଆଗରେ ରଖି ମାଛ ଭୋରରୁ ଧରାଯିବ। ଏହାପରେ ବଜାରକୁ ନିଆଯିବ। ସେଠାରେ ବେପାରୀଙ୍କୁ ଦିଆଯିବ ବୋଲି ସେ କହିଛନ୍ତି। ଏନେଇ ରଘୁ ହରିଜନ କହିଛନ୍ତି ଯେ ଆସନ୍ତା କାଲି କୋରାପୁଟ ଓ ମାଲକାନଗିରିରୁ ଡ୍ୟାମ ମାଛ ମଧ୍ୟ ଆସିବ।

ତେଣୁ ଏନେଇ ସେଠାକାର ମାଛ ବ୍ୟବସାୟୀଙ୍କୁ ଆଜି ପଇସା ଦିଆଯାଇଥିବାବେଳେ ଆସନ୍ତାକାଲି ଜୟପୁର ସହରରେ ପହଞ୍ଚି। ଲୋକଙ୍କର ଏହା ପ୍ରଥମ ପସନ୍ଦ ହୋଇଥିବାରୁ ଚାହିଦାକୁ ମେଣ୍ଟାଇବାକୁ ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର