ଭୁବନେଶ୍ୱର: ଗୁଜୁରାଟର ଗାନ୍ଧିନଗରରେ ଥିବା ଫୋରେନସିକ ଲ୍ୟାବରେ ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ପୁଲିସ ଏଏସଆଇ ଗୋପାଳ ଦାସର ପଲିଗ୍ରାଫ ଟେଷ୍ଟ ସରିଛି | ଆଜି ପଲିଗ୍ରାଫ ଟେଷ୍ଟ ସରିଥିବାବେଳେ ଆସନ୍ତାକାଲି ନାର୍କୋ ଟେଷ୍ଟ କରାଯିବ | ଉଲ୍ଲେଖ ଥାଉ କି ଗତକାଲି ଗୋପାଳ ଦାସକୁ କ୍ରାଇମବ୍ରାଞ୍ଚ ଆଉ ୫ଦିନ ରିମାଣ୍ଡରେ ନେବାକୁ ଅନୁମତି ପାଇବା ପରେ ଆଉ ସମୟ ନଷ୍ଟ ନ କରି ଏକ ସ୍ବତନ୍ତ୍ର ପୁଲିସ ଦଳ ତାକୁ ଗୁଜରାଟ ନେଇଥିଲେ । ଡ଼ିଏସପି ରମେଶ ଚନ୍ଦ୍ର ଦୋରାଙ୍କ ନେତୃତ୍ୱରେ ୮ ଜଣିଆ ଟିମ ଗୋପାଳକୁ ନେଇ ଗୁଜୁରାଟ ଯାଇଥିବାବେଳେ ପୂର୍ବରୁ ଦିଲ୍ଲୀରୁ ଆସିଥିବା ସେଣ୍ଟ୍ରାଲ ଫୋରେନସିକ ଟିମ ଦ୍ୱାରା ଗୋପାଳର ଏଲ୍ଭିଏ ଟେଷ୍ଟ ସରିଥିବାର କ୍ରାଇମବ୍ରାଞ୍ଚ ପକ୍ଷରୁ କୁହାଯାଇଛି | ଉଲ୍ଲେଖ ଥାଉ କି ଏହାପୂର୍ବରୁ ଗୋପାଳକୁ ନେଇ ସିନ ରିକ୍ରିଏସନ କରିଥିଲା କ୍ରାଇମବ୍ରାଞ୍ଚ |

Advertisment

ଉଲ୍ଲେଖଥାଉକି, କ୍ରାଇମବ୍ରାଞ୍ଚ ଗୋପାଳକୁ ଗିରଫ କରିବା ପରେ ପ୍ରଥମେ ୪ ଦିନ ରିମାଣ୍ଡରେ ନେଇଥିଲା। ଏହାର ପରେ ପୁଣି ୪ ଦିନ ରିମାଣ୍ଡ‌ ବୃଦ୍ଧି କରାଯାଇଥିଲା ଓ ଦ୍ଵିତୀୟ ପର୍ଯ୍ୟାୟ ରିମାଣ୍ଡ ସରିବା ପରେ ଗତକାଲି କୋର୍ଟରେ ହାଜର କରିଥିଲା । ଆଉ କୋର୍ଟ ତୃତୀୟ ପର୍ଯ୍ୟାୟରେ ଗୋପାଳକୁ ୫ ଦିନ ରିମାଣ୍ଡରେ ନେବାକୁ ଅନୁମତି ଦେଇଥିଲେ | ଅନ୍ୟପଟେ ମନ୍ତ୍ରୀଙ୍କ ହତ୍ୟାକାଣ୍ଡ କାରଣ ଏବେ ବି ରହସ୍ୟ ଘେରରେ ରହିଛି ।