ପୁରୀ: ନୂଆବର୍ଷ ଦିନ ପୁରୀ ଶ୍ରୀମନ୍ଦିରରେ ବିଶୃଙ୍ଖଳା ଆଶଙ୍କା ନେଇ ପୁରୀ ଏସ୍ପିଙ୍କୁ ସ୍ପେଶାଲ ବ୍ରାଞ୍ଚ ଚିଠି ଲେଖିଛି। ଏ ନେଇ ରାଜ୍ୟ ଗୃହ ସଚିବ, ଆଇଜି (ଆଇନ ଶୃଙ୍ଖଳା)ଙ୍କୁ ଅବଗତ କରାଯାଇଛି। ଏହି ଚିଠିରେ ଉଲ୍ଲେଖ ରହିଛି କି, ନୂଆ ବର୍ଷରେ ପୁରୀରେ ପ୍ରବଳ ଜନସମାଗମ ହେବ। ଏହାକୁ ଦୃଷ୍ଟିରେ ରଖି ସେବାୟତ ନୀତିରେ ବାଧା ସୃଷ୍ଟି କରି ପ୍ରଶାସନକୁ ଅଡୁଆରେ ପକାଇ ପାରନ୍ତି। ଫଳରେ ଗତ ୨୮ ତାରିଖ ଭଳି ନୂଆବର୍ଷରେ ପୁଣିଥରେ ଶ୍ରୀମନ୍ଦିରରେ ବିଶୃଙ୍ଖଳା ସୃଷ୍ଟି ହୋଇପାରେ।
କାରଣ ଗତ ୨୮ ତାରିଖ ଦିନ ସେବାୟତମାନେ ନୀତି ବନ୍ଦ କରିଥିଳେ ମଧ୍ୟ ପ୍ରଶାସନ ପକ୍ଷରୁ ସେମାନଙ୍କ ସହ ଆଲୋଚନା ହେିାଇ ନଥିଲା। ସେଇ କାରଣକୁ ନେଇ ସେବାୟତ କ୍ଷୁବ୍ଧ ଅଛନ୍ତି। ବିଶୃଙ୍ଖଳା ଦିନ ଶ୍ରୀମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ଏ ନେଇ ସେବାୟତଙ୍କ ଦାବି ମାନି କ ଥିଲେ। ଫଳରେ ବିକଳ୍ପ ନପାଇ ସେବାୟତ ନିଜ ତରଫରୁ ସେବା ଆରମ୍ଭ କରିଥିଲେ। ତେଣୁ ଜାନୁଆରୀ ୧ ତାରିଖ ଅର୍ଥାତ୍ ନୂଆବର୍ଷ ଦିନ ଅପରାହ୍ନ ୪ଟାରୁ ପହଡ ପକାଇ ପାରନ୍ତି। ୪ଟା ପରେ ଭକ୍ତ ଶ୍ରୀଜିଉଙ୍କ ଦର୍ଶନରୁ ବଞ୍ଚିତ ହୋଇପାରନ୍ତି। ଏପରି ହେଲେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇପାରେ। ଭକ୍ତମାନେ ଶ୍ରୀଜିଉଙ୍କ ଦର୍ଶନ ପାଇଁ ମନ୍ଦିର ଭିତରେ ଧସେଇ ପଶି ପାରନ୍ତି। ଫଳରେ ୨୮ ତାରିଖ ଘଟଣାର ପୁନରାବୃତ୍ତି ହେବା ନେଇ ଆଶଙ୍କା ରହିଛି ବୋଲି ସ୍ପେଶାଲ ବ୍ରାଞ୍ଚ ଚିଠିରେ ଉଲ୍ଲେଖ କରିଛି।
ଅନ୍ୟପକ୍ଷରେ ଦର୍ଶନ ବ୍ୟବସ୍ଥା ନେଇ ଶ୍ରୀମନ୍ଦିର ପ୍ରଶାସନ କହିଛି, ନୂଆ ବର୍ଷ ଦିନ ଶ୍ରୀମନ୍ଦିରର ନୀତିବିଧି ଶୃଙ୍ଖଳିତ ହେବ। ସବୁ ସେବାୟତ କାର୍ଯ୍ୟରେ ସହଯୋଗ କରୁଛନ୍ତି। ଆଜି ଦର୍ଶନ ବ୍ୟବସ୍ଥା ସ୍ୱାଭାବିକ ରହିଛି। ବିଶୃଙ୍ଖଳା ନେଇ କୌଣସି ଚିନ୍ତା କରିବାର ନାହିଁ। ଆଜି ରାତି ୧୨ଟା ପରେ ଯେକୌଣସି ମୁହୂର୍ତ୍ତରେ ଶ୍ରୀଜିଉଙ୍କ ପହଡ ଖୋଲା ଯାଇପାରେ।