ରାୟଗଡ଼ା: ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଉଲ୍ଲେଖନୀୟ କୃତିତ୍ବ ପାଇଁ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସର୍ବୋତ୍ତମ ପ୍ରମାଣପତ୍ର ପ୍ରଦାନ କରାଯାଇଛି। ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ୮୯ ପ୍ରତିଶତ ଅଙ୍କ ସହିତ ଗୁଣାବତ୍ତା ନିଶ୍ଚିତତା ମାନକ ପ୍ରମାଣପତ୍ର ପାଇବାର ନିର୍ଧାରିତ ଆବଶ୍ୟକତା ପୂରଣ କରିଥିବାରୁ ଆସନ୍ତା ତିନି ବର୍ଷ ପାଇଁ ଏହି ପ୍ରମାଣପତ୍ର ପ୍ରଦାନ କରାଯାଇଛି।

Advertisment

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସମସ୍ତ ୧୪ଟି ବିଭାଗ ବର୍ହିବିଭାଗ, ଅର୍ନ୍ତବିଭାଗ, ପ୍ରସବ ଗୃହ, ଅସ୍ତ୍ରୋପଚାର କକ୍ଷ, ମାତୃତ୍ୱ ଅସ୍ତ୍ରୋପଚାର କକ୍ଷ, ଶିଶୁ ବିଭାଗ, ମାତୃତ୍ୱ ବିଭାଗ, ରକ୍ତ ଭଣ୍ଡାର, ଔଷଧ ବିତରଣ ବିଭାଗ, ଲାବ୍ରୋଟାରୀ, ରେଡିଓଲୋଜି, ଜେନେରାଲ ଆଡମିନଷ୍ଟ୍ରେସନ, ପୁଷ୍ଟି ବିକାଶ, ସ୍ୱତନ୍ତ୍ର ନବଜାତ ସେବାକେନ୍ଦ୍ରକୁ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ସର୍ବୋଚ୍ଚ ମାନଦଣ୍ଡ ପାଳନ ପୂର୍ବକ ତଥା ରୋଗୀଙ୍କ ଅଧିକାରର ସୁରକ୍ଷା ଏବଂ ସଚେତନତା ସୃଷ୍ଟି କରିବା ନିମନ୍ତେ ୨୭ ସେପ୍ଟେମ୍ବରରେ ପ୍ରମାଣପତ୍ର ପ୍ରଦାନ କରାଯାଇଛି। ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ଲାଲମୋହନ ରାଉତରାୟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଏହି ସଫଳତାରେ ଖୁସି ବ୍ୟକ୍ତ କରିଛନ୍ତି।

ଏନକ୍ୟୁଏଏସ୍ ପ୍ରମାଣପତ୍ର ମୁଲ୍ୟାୟନର ଏକ ଅଂଶ ଭାବରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ତରଫରୁ ମନୋନିତ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଦ୍ୱାରା ଗତ ଜୁଲାଇ ମାସରେ ସମସ୍ତ ବିଭାଗକୁ ପ୍ରତ୍ୟକ୍ଷଭାବେ ମୁଲ୍ୟାଙ୍କନ କରାଯିବା ସହିତ ସମସ୍ତ ଡକ୍ୟୁମେଣ୍ଟ ଯାଞ୍ଚ ହୋଇଥିଲା। ଯାଞ୍ଚ ପରେ କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଏହି ପ୍ରମାଣପତ୍ର ମଞ୍ଜୁର କରିଛି। ଜାତୀୟ ସ୍ୱାସ୍ଥ୍ୟ ମିଶନର ଜିଲ୍ଲା କର୍ଯ୍ୟକ୍ରମ ପରିଚାଳକ ଜେ. ରାଜେଶ୍ୱର ରାଓ ପଟ୍ଟନାୟକ, ହସ୍ପିଟାଲ ମ୍ୟାନେଜର ସୌମ୍ୟରଞ୍ଜନ ସାହୁ, ଲକ୍ଷ୍ମୀପ୍ରିୟା ସ୍ୱାଇଁ, ଚିକିତ୍ସାଳୟର ସମସ୍ତ କର୍ମଚାରୀ ଏବଂ ଜାତୀୟ ସ୍ୱାସ୍ଥ୍ୟ ମିଶନର ଜିଲ୍ଲା ଅଧିକାରୀଙ୍କ ନିରନ୍ତର ପ୍ରଚେଷ୍ଟା ଏବଂ ଅକ୍ଲାନ୍ତ ପରିଶ୍ରମ ଯୋଗୁଁ ସ୍ୱାସ୍ଥ୍ୟସେବା କ୍ଷେତ୍ରର ସର୍ବୋତ୍ତମ ପ୍ରମାଣପତ୍ର ସମ୍ଭବ ହୋଇପାରିଛି ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସୁପରିଟେଣ୍ଡେଣ୍ଟ ଡା. ବରଦାକାନ୍ତ ମିଶ୍ର କହିଛନ୍ତି। ସ୍ୱାସ୍ଥ୍ୟସେବା ପ୍ରଦାନକାରୀଙ୍କ ଗୁଣବତ୍ତା ବ୍ୟତୀତ ଭିତ୍ତିଭୂମିରେ ଉନ୍ନତି ଆଣି ମାତୃ ଓ ନବଜାତ ଶିଶୁର ମୃତ୍ୟୁହାରକୁ ହ୍ରାସ କରିବା ପାଇଁ ମନ୍ତ୍ରଣାଳୟ ଗତ ତିନି ବର୍ଷ ହେଲା ନିରନ୍ତର ଭାବେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ପ୍ରସବ ଗୃହ, ପ୍ରସବ ଅସ୍ତ୍ରୋପଚାର କକ୍ଷକୁ ଶ୍ରମ ପ୍ରକୋଷ୍ଠରେ ସ୍ୱାସ୍ଥ୍ୟ ସେବା ପ୍ରଦାନକାରୀ ଗୁଣବତ୍ତା ପ୍ରମାଣପତ୍ର ପାଇଛି। ସୂଚନାଯୋଗ୍ୟ, ରାୟଗଡ଼ା ସହରାଞ୍ଚଳ ପ୍ରାଥମିକ କେନ୍ଦ୍ର-୧ ମଧ୍ୟ ଜାତୀୟ ଗୁଣାବତ୍ତା ନିଶ୍ଚିତତାମାନକ ପ୍ରମାଣପତ୍ର ପାଇଛି।