ରାଜନଗର: ବିଶ୍ୱପ୍ରସିଦ୍ଧ ଭିତରକନିକାରେ ଏବେ ପିକନିକ୍ ଋତୁ ଆରମ୍ଭ ହୋଇଯାଇଛି। ପ୍ରକୃତିପ୍ରେମୀ ପର୍ଯ୍ୟଟକଙ୍କ ଭିତରକନିକାକୁ ସୁଅ ଛୁଟିଛି। ପର୍ଯ୍ୟଟକମାନେ ଜଳପଥରେ ଭିତରକନିକାର ଶୋଭା ଉପଭୋଗ କରିବାକୁ ଅଧିକ ପସନ୍ଦ କରୁଛନ୍ତି। ଆଜି ଗୋଟିଏ ଦିନରେ ୧୪୫୫ଜଣ ପର୍ଯ୍ୟଟକ ଆସିଛନ୍ତି। ଗୁପ୍ତି ପ୍ରବେଶ ପଥ ଦେଇ ୨୧ଟି ବୋଟରେ ୨୯୫ଜଣ ପର୍ଯ୍ୟଟକ ଭିତରକନିକାର ଶୋଭା ଉପଭୋଗ କରିଥିବା ବେଳେ ଖୋଳା ଦେଇ ୬୬ଟି ବୋଟରେ ୬୩୪ ଜଣ ପର୍ଯ୍ୟଟକ ଆସିଥିଲେ। ସେହିପରି ଜୟନଗର ପ୍ରବେଶ ପଥ ଦେଇ ୧୨ଟି ବୋଟରେ ୧୩୧ଜଣ ପର୍ଯ୍ୟଟକ ଭିତରକନିକାର ପ୍ରାକୃତିକ ଶୋଭା ଉପଭୋଗ କରିଛନ୍ତି। ଡାଙ୍ଗମାଳ ପ୍ରବେଶ ପଥ ଦେଇ ସ୍ଥଳ ପଥରେ ୩୯୫ଜଣ ପର୍ଯ୍ୟଟକ ଭିତରକନିକା ବୁଲିଛନ୍ତି। ସେଥିମଧ୍ୟରୁ ୨ଶହ ପର୍ଯ୍ୟଟକ ଡାଙ୍ଗମାଳରୁ ୧୨ଟି ବୋଟରେ ଭିତରକନିକାର ଶୋଭା ଉପଭୋଗ କରିଛନ୍ତି। ଜାତୀୟ ଉଦ୍ୟାନରେ ଭିଡ ଜମାଇଥିବା ବିରଳ ଅଷ୍ଟ୍ରେଲିଆ, ଆଫଗାନିସ୍ତାନ, ଆମେରିକା, ପାକିସ୍ଥାନ, ଜାପାନ, ଶ୍ରୀଲଙ୍କା, ବାଂଲାଦେଶରୁ ଆସିଥିବା ପକ୍ଷୀମାନଙ୍କ ସହିତ ଦେଶୀୟ ପକ୍ଷୀଙ୍କ କାକଳିରେ ବିମୋହିତ ହୋଇପଡୁଛନ୍ତି ପର୍ଯ୍ୟଟକ।
ଭିତରକନିକାରେ ଥିବା ବିରଳ ବଉଳା କୁମ୍ଭୀର, ଡଲଫିନ୍, ଅଲିଭରିଡଲେ, ସଂଖ୍ୟାରେ ହରିଣ, ବାର୍ହା, ସମ୍ବର, ଫିସିଂକ୍ୟାଟ୍, ହାଏନା, ଝିଙ୍କ ସହିତ ପାଣିଗୋଧି, ଅଜଗର, ଅହିରାଜ ଆଦି ସରୀସୃପ ଭଳି ବିରଳ ପ୍ରାଣୀ ବି’ ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ଏଥିସହିତ ଅଭୟାରଣ୍ୟରେ ଅନ୍ୟତ୍ର ଲୁପ୍ତପ୍ରାୟ ହେନ୍ତାଳବଣ ଓ ୬୩ ପ୍ରକାରର ଲୁଣା ଜଙ୍ଗଲ ରହିଛି। ହେନ୍ତାଳ, ସୁନ୍ଦରୀ, ଶିଶୁମାର, କେରୁଆଁ, ରାଇ, ବଣି, ଗରଣି, ଖରସି, ବନ୍ଦରୀ, ପାଣିଆମ୍ବ, ସିଙ୍ଗଡା, ପିତାମ୍ବରୀ, ପିତକୋରୁଆ ଭଳି ବିରଳ ଉଦ୍ଭିଦ ସହିତ ମନୋରମ ପ୍ରକୃତି ଓ ପରିବେଶ କେବଳ ପଶୁପକ୍ଷୀଙ୍କୁ ସୁହାଉନି ପର୍ଯ୍ୟଟକଙ୍କ ମନ ମଧ୍ୟ କିଣି ନେଇଛି। ଏଥିସହିତ ଭିତରକନିକାକୁ ଯାତ୍ରା ସମୟରେ ନୌକା ଭ୍ରମଣରେ ପ୍ରକୃତିକୁ ନିକଟରେ ଦେଖିବାର ସୁଯୋଗ ଓ ନଈପଠାରେ ବଉଳା କୁମ୍ଭୀରଙ୍କ ଖରା ପୋଇଁବା ଓ ମିଳନର ଦୃଶ୍ୟ ସାଙ୍ଗରେ କୁମ୍ଭୀରଙ୍କ ମିଳନର ଦୃଶ୍ୟ ଭିତରକନିକାକୁ ପର୍ଯ୍ୟଟକଙ୍କୁ ଟାଣି ଆଣୁଛି। ଅନ୍ୟପଟେ ଏବେ ସବୁଠୁ ଅଧିକ କେନ୍ଦ୍ରବିନ୍ଦୁ ପାଲଟିଛି ଡାଙ୍ଗମାଳ କୁମ୍ଭୀର ପ୍ରଜନନ କେନ୍ଦ୍ର ମଧ୍ୟରେ ଥିବା ୨ଫୁଟର ଆଉ ଏକ ଧଳା କୁମ୍ଭୀର। ଏହାବାଦ୍ ସଂଗ୍ରହାଳୟରେ ୧୯ ଫୁଟ୍ ଓ ୧୭ ଫୁଟ୍ ଲମ୍ବର ବିରାଟକାୟ ଦୁଇଟି ବଉଳାକୁମ୍ଭୀରଙ୍କ କଙ୍କାଳ ସହିତ ଭିତରକନିକାରେ ଥିବା ପ୍ରାୟ ସମସ୍ତ ସ୍ତନ୍ୟପାୟୀ ଓ ସରୀସୃପ ପ୍ରାଣୀଙ୍କ କଙ୍କାଳ ଦେଖିବା ପାଇଁ ଏବେ ପ୍ରତିଦିନ ଶହ ଶହ ସଂଖ୍ୟାରେ ପର୍ଯ୍ୟଟକମାନେ ଭିଡ ଜମାଉଛନ୍ତି।