ରାଜନଗର: ବିଶ୍ବପ୍ରସିଦ୍ଧ ଭିତରକନିକାରେ ଏବେ ଚାଲିଛି ପିକନିକ୍ ଋତୁ। ଗତମାସଠାରୁ ଆରମ୍ଭ ହୋଇଯାଇଛି ପ୍ରକୃତିପ୍ରେମୀ ପର୍ଯ୍ୟଟକଙ୍କ ଭିତରକନିକା ଯାତ୍ରା। ପ୍ରତିଦିନ ଦଳ ଦଳ ହୋଇ ସୁଅ ଛୁଟିଛି ଦେଶ ବିଦେଶର ପର୍ଯ୍ୟଟକଙ୍କ। ମହାନଦୀ, ବ୍ରାହ୍ମଣୀ ଓ ବୈତରଣୀ ନଦୀର ତ୍ରିକୋଣଭୂମି ପାଲଟିଯାଇଛି ଏବେ ପର୍ଯ୍ୟଟକମାନଙ୍କର ଭୂସ୍ବର୍ଗ। ଏହି ଜାତୀୟ ଉଦ୍ୟାନରେ ଭିଡ ଜମାଇଥିବା ବିରଳ ଅଷ୍ଟ୍ରେଲିଆ, ଆଫଗାନିସ୍ତାନ, ଆମେରିକା, ପାକିସ୍ଥାନ, ଜାପାନ, ଶ୍ରୀଲଙ୍କା, ବାଂଲାଦେଶ, ଆଜି ବିଦେଶୀ ପକ୍ଷୀମାନଙ୍କ ସହିତ ଦେଶୀୟ ପକ୍ଷୀଙ୍କ କାକଳିରେ ବିମୋହିତ ହୋଇପଡୁଛନ୍ତି ପର୍ଯ୍ୟଟକ। ଭିତରକନିକାରେ ଥିବା ବିରଳ ବଉଳାକୁମ୍ଭିର, ଡଲଫିନ୍, ଅଲିଭ ରିଡ୍ଲେ କଇଁଛ,ହରିଣ, ବାରହା, ସମ୍ବର, ଫିସିଂକ୍ୟାଟ୍, ହାଏନା, ଝିଙ୍କ ସହିତ ପାଣିଗୋଧି, ଅଜଗର, ଅହିରାଜ ଆଦି ସରୀସୃପ ଭଳି ବିରଳ ପ୍ରାଣୀ ବି’ ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଛନ୍ତି। ଏଥିସହିତ ଅଭୟାରଣ୍ୟରେ ଅନ୍ୟତ୍ର ଲୁପ୍ତପ୍ରାୟ ହେନ୍ତାଳବଣ ଓ ୬୩ ପ୍ରକାରର ଲୁଣା ଜଙ୍ଗଲ ରହିଛି। ହେନ୍ତାଳ, ସୁନ୍ଦରୀ, ଶିଶୁମାର, କେରୁଆଁ, ରାଇ, ବଣି, ଗରଣି, ଖରସି, ବନ୍ଦରୀ, ପାଣିଆମ୍ବ, ସିଙ୍ଗଡା, ପିତାମ୍ବରୀ, ପିତକୋରୁଆ ଭଳି ବିରଳ ଉଦ୍ଭିଦ ସହିତ ମନୋରମ ପ୍ରକୃତି ଓ ପରିବେଶ କେବଳ ପଶୁପକ୍ଷୀଙ୍କୁ ସୁହାଉନି, ଏହା ପର୍ଯ୍ୟଟକଙ୍କ ମନ ମଧ୍ୟ କିଣି ନେଇଛି। ଏଥିସହିତ ଭିତରକନିକାକୁ ଯାତ୍ରା ସମୟରେ ନୌକା ଭ୍ରମଣରେ ପ୍ରକୃତିକୁ ନିକଟରେ ଦେଖିବାର ସୁଯୋଗ ଓ ନଈ ପଠାରେ ବିରଳ ବଉଳା କୁମ୍ଭୀରଙ୍କ ଖରା ପୋଇଁବା ଓ ନଦୀ ମଧ୍ୟରେ କୁମ୍ଭୀରଙ୍କ ମିଳନର ଦୃଶ୍ୟ ଭିତରକନିକାକୁ ପର୍ଯ୍ୟଟକଙ୍କୁ ଟାଣି ଆଣୁଛି।
ଏଥିସହ ସାରା ବିଶ୍ବରେ ଚର୍ଚ୍ଚିତ ଶଙ୍ଖ ମଲମଲ ପରି କୁମ୍ଭୀର ‘ଗୌରୀ’ ଗୌରୀ ପରି ଧଳା କୁମ୍ଭୀର ଶଙ୍ଖୁଆ ଓ ହାଇଦ୍ରାବାଦୀକୁ ଦେଖିବାକୁ ପର୍ଯ୍ୟଟକମାନେ ଭିଡ ଜମାଉଛନ୍ତି। ଏଥିସହିତ ଗୌରୀ, ଶଙ୍ଖୁଆ, ହାଇଦ୍ରାବାଦୀ ସକାଳ ସମୟରେ କୁଦାମାରି କଙ୍କଡା ଖାଇବାର ଦୃଶ୍ୟ ପର୍ଯ୍ୟଟକଙ୍କ ଅନ୍ୟତମ ଆକର୍ଷଣ। ଏବେ ସବୁଠୁ ଅଧିକ କେନ୍ଦ୍ରବିନ୍ଦୁ ପାଲଟିଛି ଡାଙ୍ଗମାଳ କୁମ୍ଭୀର ପ୍ରଜନନ କେନ୍ଦ୍ର ମଧ୍ୟରେ ଥିବା ୨ଫୁଟର ଆଉ ଏକ ଧଳା କୁମ୍ଭୀର । ଏହାବାଦେ ମିୟୁଜିୟମରେ ୧୯ ଫୁଟ୍ ଓ ୧୭ ଫୁଟ୍ ଲମ୍ବର ବିରାଟକାୟ ଦୁଇଟି ବଉଳା କୁମ୍ଭୀରଙ୍କ କଙ୍କାଳ ସହିତ ଭିତରକନିକାରେ ଥିବା ପ୍ରାୟ ସମସ୍ତ ସ୍ତନ୍ୟପାୟୀ ଓ ସରୀସୃପ ପ୍ରାଣୀଙ୍କ କଙ୍କାଳ। ପ୍ରକୃତି ଓ ପରିବେଶ ମଧ୍ୟରେ ଭିତରକନିକାକୁ ପାଖରେ ଦେଖିବା ପାଇଁ ଏବେ ପ୍ରତିଦିନ ଶହ ଶହ ସଂଖ୍ୟାରେ ପର୍ଯ୍ୟଟକ ମାନେ ଭିଡ ଜମାଉଛନ୍ତି। ଏ ବର୍ଷ ଅକ୍ଟୋବର ମାସରୁ ପର୍ଯ୍ୟଟକଙ୍କ ଭିଡ ଜମୁଛି। ଅକ୍ଟୋବରରେ ୪୭୮୦, ନଭେମ୍ବରରେ ୬୧୧୨ ଓ ଡିସେମ୍ବରରେ ଆଜିସୁଦ୍ଧା ୧୦୧୪ ପର୍ଯ୍ୟଟକ ଭିତରକନିକାକୁ ଆସିଛନ୍ତି। ଚଳିତମାସରେ ବର୍ଷା ଯୋଗୁଁ ପ୍ରଥମ ସପ୍ତାହରେ ପର୍ଯ୍ୟଟକଙ୍କ ସଂଖ୍ୟା କମିଥିଲା। ଏବେ ଭିତରକନିକାରେ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଇଛି।