ଗୋପାଳପୁର: ବର୍ଷ ଶେଷ ହେବାକୁ ଆସୁଥିବା ବେଳେ ଗୋପାଳପୁର ବେଳଳାଭୂମି ମହୋତ୍ସବ ଅନୁଷ୍ଠିତ ହୋଇଥାଏ। ଏହି ସମୟରେ ବେଳାଭୂମିକୁ ଲୋକଙ୍କୁ ଶୁଅ ଛୁଟିଥାଏ। ହେଲେ ଚଳିତବର୍ଷ ବିଭିନ୍ନ କାରଣରୁ ‌ବହୁ ପ୍ରତିକ୍ଷୀତ ଏହି ମହୋତ୍ସବ ହୋଇପାରିଲା ନାହିଁ। କିନ୍ତୁ ଆଜି ବର୍ଷର ଶେଷ ରବିବାର ହୋଇଥିବା ବେଳେ ବେଳାଭୂମି ଲୋକାରଣ୍ୟ ହୋଇଯାଇଥିଲା। ବାଇକ୍‌ ଏବଂ କାର୍‌ ପାର୍କିଂ ପାଇଁ ସ୍ଥାନାଭାବ ଦେଖାଦେଇଥିଲା। ଦିନସାରା ଏଭଳି ଗହଳଚହଳ ଲାଗି ରହିଥିଲାଯେ ଏହା ମହୋତ୍ସବର ଭ୍ରମ ସୃଷ୍ଟି  କରିଥିଲା। ଟ୍ରାଫିକ୍ ପରିଚାଳନା ପାଇଁ ସ୍ଥାନୀୟ ପୁଲିସ୍‌କୁ ନୟାନ୍ତ ହେବାକୁ ପଡ଼ିଥିଲା।

Advertisment

୨୦୨୦ ଶେଷ ହେବାକୁ ଯାଉଥିବା ବେଳେ ଆଜି ପଡ଼ିଥିଲା ବର୍ଷର ଶେଷ ରବିବାର। ସାଂଗସାଥୀ ବନ୍ଧୁବାନ୍ଧବଙ୍କ ସହ ଛୁଟି କାଟିବା ପାଇଁ ଦୂରଦୂରାନ୍ତରୁ ଲୋକେ ଛୁଟି ଆସିଥିଲେ ଗୋପାଳପୁର ବେଳାଭୂମିକୁ। ତେବେ ଆଗନ୍ତୁକ ଏବଂ ପର୍ଯ୍ୟଟକଙ୍କ ସଂଖ୍ୟା ଏତେ ମାତ୍ରାରେ ବଢ଼ିଥିଲାଯେ ମଧ୍ୟାହ୍ନ ହେଲା ବେଳକୁ ବେଳାଭୂମିରେ ପାଦ ପକାଇବାକୁ ଯାଗା ନଥିଲା। ଲାଗୁଥିଲା ସତେଯେମିତ ‘କରୋନା’ ପାଇଁ ଦୀର୍ଘ ୯ମାସ ହେଲା  କଟକଣା ସହ ଭୟରେ କାଳକାଟିବାକୁ ପଡ଼ିଥିବା ବେଳେ ଆଜି ଲୋକେ ସବୁକିଛି ଭୁଲି ଯାଇଥିଲେ। ଖାଲି ସେତିକି ନୁହେଁ ମାଳମାଳ ବାଇକ୍ ଏବଂ କାର୍‌କୁ  ପାର୍କିଂ ପାଇଁ ଜାଗା ନିଅଣ୍ଟ ପଡ଼ିଥିଲା। ନୂଆ ବସ୍‌ଷ୍ଟାଣ୍ଡ ସହ ପାଖରେ ଥିବା ମିନି ଷ୍ଟାଡିୟମ ଶହଶହ ଗାଡ଼ିରେ ଭର୍ତ୍ତି ହୋଇଯାଇଥିଲା। ସନ୍ଧ୍ୟା ପର୍ଯ୍ୟନ୍ତ ବେଳାଭୂମିରେ ଭିଡ଼ ଲାଗି ରହିଥିଲା। ୫୦ହଜାରରୁ ଊର୍ଦ୍ଧ୍ବ ଜନସମାଗମ ହୋଇଥିବା ଆକଳନ କରାଯାଇଛି।

ଗୋପାଳପୁର ବେଳାଭୂମିକୁ ଲାଗି ନିର୍ମିତ ହୋଇଥିବା ଚଲାପଥକୁ ଉନ୍ମୁକ୍ତ ରଖିବା ପାଇଁ  ଜିଲ୍ଲା ପ୍ରଶାସନର ନିଷ୍ପତ୍ତିକୁ ଦୃଷ୍ଟିରେ ରଖି  ସ୍ଥାନୀୟ ବସଷ୍ଟାଣ୍ଡ ଠାରେ ଗୋପାଳପୁର ଏନ୍ଏସି ଓ ପୁଲିସ୍ ମିଳିତ ସହଯୋଗରେ ଆଜି ଅପରାହ୍ନ‌ ଠାରୁ ବେଳାଭୂମିକୁ ଆସୁଥିବା ପର୍ଯ୍ୟଟକଙ୍କ ଯାନବାହାନ ଅଟକାଇ ଟ୍ରାଫିକ୍ ନିୟନ୍ତ୍ରଣ କରାଯାଇଥିଲା। ବସଷ୍ଟାଣ୍ଡ ଏବଂ ମିନି ଷ୍ଟାଡିୟମରେ ପାର୍କିଂ ବ୍ୟବସ୍ଥା କରାଯାଇଥିଲା। ସ୍ଥାନୀୟ ବାସିନ୍ଦା ଓ ହୋଟେଲରେ ରହୁଥିବା ପର୍ଯ୍ୟଟକମାନେ ନିଜ ପରିଚୟ ପତ୍ର ଦେଖାଇ ଯାଉଥିବା ଦେଖିବକୁ ମିଳିଛି। ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଉମା ଶଙ୍କର ସେଠୀ ଓ ଥାନା ଅଧିକାରୀ ବିବେକାନନ୍ଦ ମହନ୍ତଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଟ୍ରାଫିକ୍‌ ପରିଚାଳନା କରାଯାଇଥିବା ବେଳେ  ଏସ୍‌ଆଇ ଜ୍ଞାନରଞ୍ଜନ ସାହୁ, ଏସ୍‌ଆଇ ହେମ କାନ୍ତି ଛତ୍ରିଆ, ଏଏସ୍‌ଆଇ ପୁରୁଷୋତ୍ତମ ପାଇକ, ହାବିଲଦାର ଅଜୟ କୁମାର ଶତପଥୀ, ଏମ୍.ମଧୁ, ରଞ୍ଜନ କୁମାର ପାଣିଙ୍କ ସମେତ ୨ ସେକ୍ସନ୍ ଫୋର୍ସ ଏବଂ ଏନ୍ଏସି କର୍ମଚାରୀ ଏଥିରେ ନିୟୋଜିତ ହୋଇଥିଲେ।