ଅସଜଡ଼ା ପର୍ଯ୍ୟଟନ ସ୍ଥଳ ଦେବଝରଣ

ଯୁଯୁମୁରା: ପ୍ରାକୃତିକ ସୌନ୍ଦର୍ଯ୍ୟର ଅନନ୍ୟ ଭଣ୍ଡାର ହେଉଛି ପଶ୍ଚିମ ଓଡ଼ିଶା। ଯାହା ରାଜ୍ୟ ସହିତ ରାଜ୍ୟ ବାହାରର ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥାଏ। ସେଥିମଧ୍ୟରୁ ସମ୍ବଲପୁର ଜିଲ୍ଲା ଅନ୍ୟତମ। ଏଠାରେ ପାହାଡ଼, ଝରଣା ଓ ନଦୀ କୂଳର ସୌନ୍ଦର୍ଯ୍ୟ ଅବର୍ଣ୍ଣନୀୟ। ସେମିତି ଏକ ପର୍ଯ୍ୟଟନସ୍ଥଳ ହେଉଛି ଯୁଯୁମୁରା ବ୍ଲକ୍ କୟାକୁଦ ପଞ୍ଚାୟତରେ ଥିବା ଅନନ୍ୟ ମନୋରମ ସ୍ଥାନ ଦେବଝରଣ।
ଜାତୀୟ ରାଜପଥ ୫୫ରୁ ପ୍ରାୟ ୫ କିଲୋମିର ଯିବା ପରେ ସବୁଜ ବନାନୀ ଘେରା ପାହାଡ଼ କୋଳରେ କୁଳୁକୁଳୁ ନାଦ କରି ବୋହି ଯାଉଛି ଏହି ଝରଣା। ତେବେ ଏଠାକୁ ଯାତାୟାତ କରିବାକୁ ସେପରି ବିଶେଷ ସୁବିଧା ନାହିଁ। ସ୍ଥାନଟି ଲୋକଲୋଚନକୁ ଆସିବା ପରେ ଆଖପାଖ ଅଞ୍ଚଳର ଲୋକମାନେ ଏଠାକୁ ଅବସର ସମୟ କଟିବାକୁ ଧାଇଁ ଆସୁଛନ୍ତି। ଦିନକୁ ଦିନ ଏଠାକୁ ପର୍ଯ୍ୟଟକଙ୍କ ଆଗମନ ବଢ଼ିବାରେ ଲାଗିଛି। ସ୍ଥାନୀୟ ଲୋକଙ୍କ ବହୁ ଦାବି ପରେ ଏହାକୁ ରାଜ୍ୟ ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନ ଦିଆଯାଇଛି। ଉନ୍ନୟନମୂଳକ କାର୍ଯ୍ୟ ଆରମ୍ଭ ହୋଇଛି।

ସଂକୀର୍ଣ୍ଣ ରାସ୍ତାକୁ ପ୍ରଶସ୍ତ କରାଯାଉଛି। ମାତ୍ର ଏହା ଅଦ୍ୟବାଧି ପକ୍କା କି ପିଚୁ ହୋଇନାହିଁ। ଏହି କାମ ପାଇଁ ପୂର୍ତ୍ତ ବିଭାଗ ପକ୍ଷରୁ ୭ କୋଟ ଟଙ୍କାର ବ୍ୟୟ ଅଟକଳ କରାଯାଇଛି। ୨୦୧୯ରୁ ରାସ୍ତା କାମ ଆରମ୍ଭ ହୋଇଛି। ତେବେ କରୋନା ମହାମାରୀ ପାଇଁ କାମ ବିଳମ୍ବ ହେଉଥିବା କୁହାଯାଉଛି। ଆସନ୍ତା ବର୍ଷକ ମଧ୍ୟରେ କାମ ଶେଷ ହେବା ଲକ୍ଷ୍ୟ ରଖାଯାଇଛି।

ପର୍ଯ୍ୟଟକମାନେ ଏଠାକୁ ଆସି ବଣଭୋଜି କରିବାକୁ ଚାହୁଁଥିଲେ ମଧ୍ୟ ସେପରି ସୁବିଧା ନଥିବା ଦେଖାଯାଇଛି। ଝରଣା ନିକଟରେ କୌଣସି ପିଣ୍ଡି କି ପାନୀୟ ଜଳର ବ୍ୟବସ୍ଥା ନହିଁ। ତେବେ ଝରଣା ନିକଟରେ ଥିବା ଡ୍ୟାମ୍ କୂଳରେ ଭୋଜି କରିବାକୁ ବ୍ୟବସ୍ଥା କରାଯାଇଛି। ସେଠାରେ ଦୁଇଟି ପିଣ୍ଡି ନିର୍ମାଣ କରାଯାଇଥିଲେ ମଧ୍ୟ ତାହା ଏବେ ଭାଙ୍ଗି ଯାଇଥିବା ଦେଖାଯାଇଛି।
ପାନୀୟ ଜଳ ପାଇଁ ଗୋଟିଏ ମାତ୍ର ନଳକୂପ ରହିଛି। ମାତ୍ର ତାର ପାଣି ପାନୀୟ ଉପଯୋଗୀ ନୁହେଁ ବୋଲି ପର୍ଯ୍ୟଟକଙ୍କ ମତ। ସେହିପରି ଡ୍ୟାମ୍ କୂଳରେ କୌଣସି ସୁରକ୍ଷା ବ୍ୟବସ୍ଥା ନାହିଁ। କିଛି ପର୍ଯ୍ୟଟକ ଏଠାରେ ଭୋଜି କରୁଥିଲେ ମଧ୍ୟ ଅଇଁଠା ଥାଳି, ପଲିଥିନ୍, ବ୍ୟବହୃତ ସାମଗ୍ରୀ ଏଣେତେଣ ଫିଙ୍ଗୁଥିବା ଦେଖାଯାଇଛି। ଆବର୍ଜନା ପକାଇବାକୁ ସ୍ଥାୟୀ କୁଣ୍ଡର ବ୍ୟବସ୍ଥା ନଥିବାରୁ ଏପରି ସମସ୍ୟା ଦେଖାଦେଇଛି।

ସେହିପରି ଏହି ଭୋଜିସ୍ଥଳରେ ମଦ ବୋତଲ ମଧ୍ୟ ଏଣେତେଣେ ପଡ଼ୁଥିବା ଦେଖାଯାଇଛି। କିଛି ପର୍ଯ୍ୟଟକ ଖୋଲାଖୋଲି ମଦ୍ୟପାନ କରୁଥିବାରୁ ପରିବାର ନେଇ ପର୍ଯ୍ୟଟକ ଏଠାକୁ ଆସିବାକୁ ସୁରକ୍ଷିତ ମଣୁ ନାହାନ୍ତି। ଏପରିକି ଝରଣା ନିକଟରେ ମଧ୍ୟ ମଦ ବୋତଲ ଏଣେତେଣେ ପଡ଼ିଥିବା ଦେଖାଯାଇଛି। କୌଣସି ପ୍ରକାର ଆଇନଶୃଙ୍ଖଳା  ସ୍ଥିତିକୁ ନିୟନ୍ତ୍ରଣ କରିବାର ବ୍ୟବସ୍ଥା ନାହିଁ। ସବୁଠାରୁ ବଡ଼ କଥା ଉକ୍ତ ଝରଣାରେ ବାରମ୍ବାର ଦୁର୍ଘଟଣା ଘଟି ଧନଜୀବନ ହାନି ହେଉଥିଲେ ମଧ୍ୟ ଏଥିପ୍ରତି କେହି ଗୁରୁତ୍ବ ଦେଉ ନାହାନ୍ତି। ଆଗକୁ ଯେପରି ଦୁର୍ଘଟଣାରେ କାହାର ମୃତ୍ୟୁ ନହୁଏ ସେଥିପ୍ରତି ଦୃଷ୍ଟି ଦିଆଯାଇ ନଥିବା ଅଭିଯୋଗ ହୋଇଛି।

ସୂଚନାଯୋଗ୍ୟ ଯେ ୨୦୧୫ରୁ ୨୦୨୦ ଜାନୁଆରି ମାସ ମଧ୍ୟରେ ୫ ଜଣଙ୍କ ମୃତ୍ୟୁ ହୋଇଛି। ୨୦୧୫ରେ ଜଣଙ୍କର, ୨୦୧୮ରେ ୨ ଜଣଙ୍କର ଓ ୨୦୧୯ ଜାନୁଆରି ୧୮ରେ ୨ ଇଂଜିନିୟରିଂ ଛାତ୍ରଙ୍କ ମୃତ୍ୟୁ ହୋଇଥିଲା। ଆଗକୁ ଯେପରି ଏପରି ଦୁର୍ଘଟଣା ନ ଘଟେ ସେଥିପ୍ରତି ଦୃଷ୍ଟି ଦେଇ ସତର୍କ ସୂଚନା ବ୍ୟବସ୍ଥା କରିବାକୁ ବୁଦ୍ଧିଜୀବୀମାନେ ଦାବି କିରଛନ୍ତି।ଅନ୍ୟପକ୍ଷରେ ଝରଣା ନିକଟକୁ ଯାଇଥିବା ପାଦଚଲା ରାସ୍ତା ଏବଂ ଅନ୍ୟ ସ୍ଥାନରେ ବ୍ୟାରିକେଟ୍ କରିବାର ମଧ୍ୟ ଆବଶ୍ୟକତା ରହିଛି। ବର୍ତ୍ତମାନର ଯୁବ ପିଢ଼ି ସେଲ୍ଫି ପ୍ରତି ବିଶେଷ ରୁଚି ରଖୁଛନ୍ତି। ସେଲ୍ଫି ଉଠାଇବା ସମୟରେ ପଥରରୁ ଖସି ଦୁର୍ଘଟଣା ଘଟୁଛି। ଏହାକୁ ଦୃଷ୍ଟିରେ ରଖି ଝରଣା ନିକଟରେ ସ୍ବତନ୍ତ୍ର ବ୍ୟବସ୍ଥାର ଆବଶ୍ୟକତା ରହିଛି। ଯଦିଓ ଚଳିତ ବର୍ଷ କରୋନା କଟକଣା ପାଇଁ ପର୍ଯ୍ୟଟକଙ୍କ ସଂଖ୍ୟା କମ୍ ରହିଛି, କିନ୍ତୁ ଆସନ୍ତା ବର୍ଷ ଏହି ସ୍ଥାନକୁ ପର୍ଯ୍ୟଟକଙ୍କ ଆଗମନ ବୃଦ୍ଧି ପାଇବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ଏହି ସ୍ଥାନର ବିକାଶ ଓ ସୁରକ୍ଷା ପ୍ରତି ବିଶେଷ ଦୃଷ୍ଟି ଦିଆଗଲେ ପର୍ଯ୍ୟଟକ ଉପକୃତ ହୋଇ ପାରନ୍ତେ। ଏହାସହିତ ଆଖପାଖ ଅଞ୍ଚଳର ଲୋକମାନେ ପରୋକ୍ଷ ଏବଂ ପ୍ରତ୍ୟକ୍ଷ ଭାବେ ଉପକୃତ ହୋଇ ପାରନ୍ତେ।

ସୂଚନାଯୋଗ୍ୟ ଯେ ୨୦୧୯ ଡିସେମ୍ବର ୭ ତାରିଖରେ ଦେବଝରଣ ପର୍ଯ୍ୟଟନସ୍ଥଳ ଉନ୍ନୟନ କାମର ସମୀକ୍ଷା କରିବାକୁ ସମ୍ବଲପୁର ଡିଏଫ୍ଓ ଡ. ସଂଜିତ କୁମାରଙ୍କ ନେତୃତ୍ବରେ ଏକ ୭ ଜଣିଆ ଟିମ୍ ଦେବଝରଣ ଗସ୍ତରେ ଆସିଥିଲେ। ଏହି ଟିମ୍ର ଗସ୍ତକୁ ନେଇ ସ୍ଥାନୀୟ ଅଞ୍ଚଳରେ ଲୋକଙ୍କ ମଧ୍ୟରେ ଆଶା ସଂଚାର ହୋଇଥିଲା। ଏହା ମଧ୍ୟରେ ବର୍ଷେ ବତି ଯାଇଥିଲେ ମଧ୍ୟ ଏହି ସ୍ଥାନର ବିକାଶରେ ସେପରି ଆଖିଦୃଶିଆ ଅଗ୍ରଗତି ହୋଇ ନଥିବା ଦେଖାଯାଇଛି। ତେବେ ଏ ବାବଦରେ ଡିଏଫ୍ଓ ଡ. କୁମାରଙ୍କ ସୂଚନା ଅନୁଯାୟୀ ଜଳ ପ୍ରପାତକୁ ଯାଇଥିବା ପାଦଚଲା ରାସ୍ତାର କାମ ଚାଲିଛି। ଏହା ଖୁବଶୀଘ୍ର ଶେଷ ହୋଇଯିବ। ସେହିପରି ଅନ୍ୟ ଉନ୍ନୟନ ପ୍ରକଳ୍ପ ଖୁବଶୀଘ୍ର ଆରମ୍ଭ ହେବ ବୋଲି ସେ ମତ ଦେଇଛନ୍ତି।

ସମ୍ବନ୍ଧିତ ଖବର