ନାଲକୋନଗର: ଅନୁଗୁଳ ଜିଲ୍ଲା ନାଲକୋ ବିଜୁ ପଟ୍ଟନାୟକ ଷ୍ଟାଡିୟମ ଠାରେ ବୁଧବାର ସର୍ବଭାରତୀୟ ଭୁତିଆ ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ ହୋଇ ଯାଇଛି। ମୁଖ୍ୟ ଅତିଥି ଭାବେ ନାଲକୋ ଜି.ଜି.ଏମ (ସି.ଆର.ଜି) ଦେବାଶିଷ ଚାଟାର୍ଜୀ ଓ ସମ୍ମାନିତ ଅତିଥି ଭାବେ ଜି.ଜି.ଏମ ଏସ.ଏ. ବସୁଙ୍କ ସମେତ ସମସ୍ତ ୟୁନିୟନ ନେତୃବର୍ଗ ଯୋଗ ଦେଇଥିଲେ।  ନାଲକୋ କର୍ମଚାରୀ ଅଲେଖ ଭୁତିଆଙ୍କ ସ୍ମୃତିରେ ଆୟୋଜିତ ଏହି ଟୁର୍ଣ୍ଣାମେଣ୍ଟରେ ମଧ୍ୟପ୍ରଦେଶର ବରୱାନୀ ଫୁଟବଲ କ୍ଲବ ଭୁବନେଶ୍ବର କଳିଙ୍ଗ ଏସିକୁ ୫-୪ ଗୋଲ୍‌ରେ ପରାସ୍ତ କରିଛି।

Advertisment

ମଧ୍ୟପ୍ରଦେଶ ଦଳ ଆକ୍ରମଣାତ୍ମକ ଖେଳର ଦୁଇ ମିନିଟ, ଆଠ ମିନିଟ ଏବଂ ଦଶ ମିନିଟରେ କ୍ରମାଗତ ଭାବେ ୩ଟି ଗୋଲ ସ୍କୋର କରି ଦଳର ସ୍ଥିତିକୁ ମଜଭୁତ କରିଥିଲେ। ପ୍ରତିପକ୍ଷ ଦଳ ମଧ୍ୟ ଜୋରଦାର ସଘଂର୍ଷ କରି ଖେଳର ଅନ୍ତିମ ଦଶ ମିନିଟ ସମୟରେ ୩ଟି ଗୋଲ କରି ଖେଳକୁ ସମାନ୍ତରାଳ ସ୍ଥିତିକୁ ଆଣିଥିଲେ। ଉଭୟ ଦଳ ସମୟ ସୀମା ମଧ୍ୟରେ ୩-୩ ଗୋଲ ସ୍କୋର କରିଥିଲେ। ଏହାପରେ ରେଫରୀଙ୍କ ନିର୍ଦେଶକ୍ରମେ ଟାଏ ବ୍ରେକ୍‌ର ଜରିଆରେ ୫-୪ ଗୋଲରେ ମଧ୍ୟପ୍ରଦେଶ ବିଜୟ ହାସଲ କରିଥିଲେ।

publive-image Sambad

ଆଜିର ମ୍ୟାକୁ ଜାତୀୟ ସ୍ତରୀୟ ରେଫରି ଶିବଶଙ୍କର ପଣ୍ଡା ପରିଚାଳନା କରିଥିବା ବେଳେ ଜ୍ୟୋତିରଞ୍ଜନ ସ୍ବାଇଁ, ଦିଲ୍ଲୀପ ରାଉତ, ଧନେଶ୍ବର ସରକାର ସହଯୋଗ କରିଥିଲେ। ଟୁର୍ଣ୍ଣାମେଣ୍ଟର ମ୍ୟାଚ କମିସନର ଭାବେ 'ଫାଓ'ର ବରିଷ୍ଠ ଜାତୀୟ ସ୍ତରୀୟ ରେଫରୀ ଦୁର୍ଗା ମାଧବ ନାଏକ ପରିଚାଳନା କରିଥିଲେ। ଚଳିତ ଟୁର୍ଣ୍ଣାମେଣ୍ଟରେ ରାଜ୍ୟର ବଛା ବଛା ୪ଟି ଦଳ କଳିଙ୍ଗ ଏଫ.ସି ଭୁନେଶ୍ବର,ସାଇ ସ୍ପଟିଂ ବଲାଙ୍ଗିର, ଜଗା ୟୁନାଇଟେଡ ଭୁବନେଶ୍ବର, ସମଲେଶ୍ଵରୀ ସ୍ପୋଟିଂ ସମ୍ବଲପୁର ଓ ବରୱାନୀ ଏଫ.ସି ମଧ୍ୟପ୍ରଦେଶ, ଧାନବାଦ ଏଫ.ସି ଝାଡ଼ଖଣ୍ଡ, କେ.ଏସ.ଇ.ବି କେରଳ, ଇଷ୍ଟର୍ଣ୍ଣ ରେଲୱେ କୋଲକାତା ସମୁଦାୟ ୮ଦଳ ଅଂଶ ଗ୍ରହଣ କରୁଛନ୍ତି। ଆସନ୍ତା ୧୨ତାରିଖରେ ଫାଇନାଲ ମ୍ୟାଚ ହେବାକୁ ଥିବା ବେଳେ ଆସନ୍ତାକାଲି ସୋମବାର ସାଇ ସ୍ପଟିଂ ବଲାଙ୍ଗୀର ଓ ଧାନବାଦ ଏଫ. ସି ମାଧ୍ୟମରେ ଖେଳ ଅନୁଷ୍ଠିତ ହେବ ବୋଲି କମିଟି ପକ୍ଷରୁ କୁହାଯାଇଛି।