ପାହାନ୍ତିଆରେ ଗଂଜେଇ ଚାଲାଣ କରୁଥିଲେ ୨ ଯୁବକ, ଧରିଲା ପୁଲିସର ପେଟ୍ରୋଲିଂ ଟିମ୍‌

ତେନ୍ତୁଳିଖୁଣ୍ଟି: ନବରଂଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ପୁଲିସକୁ ମିଳିଛି ବଡ଼ ସଫଳତା। ପୁଲିସ ପ୍ରଥମ ଥର ପାଇଁ ଗଂଜେଇ ଚାଲାଣ ସମୟରେ ଦୁଇଜଣଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି, ଏଥି ସହ ୧୫ କିଲୋ ଗଂଜେଇ ଜବତ କରାଯାଇଛି । ଚାଲାଣରେ ବ୍ୟବହୃତ ଏକ ବାଇକକୁ ମଧ୍ୟ ଜବତ କରାଯାଇଥିବା ସ୍ଥାନୀୟ ଥାନା ଅଧିକାରୀ ପ୍ରମୋଦ ନାୟକ ସୂଚନା ଦେଇଛନ୍ତି।

ପାତ୍ରପୁଟ ଫାଣ୍ଡି ଏଏସଆଇ ବଳଭଦ୍ର ହରିଜନ, ତେନ୍ତୁଳିଖୁଣ୍ଟି ଏସଆଇ ପର୍ଶୁରାମ ସାହୁଙ୍କ ସମେତ ଏକ ଟିମ ରାତ୍ର ପେଟ୍ରୋଲିଙ୍ଗ ସାରି ଆଜି ପାହାନ୍ତିଆରେ ଫେରିବା ସମୟରେ ଵରୀଗୁଡା ନିକଟରେ ଦୁଇଜଣ ଗଂଜେଇ ଚାଲାଣକାରୀଙ୍କୁ ୧୫ କିଲୋ ଗଂଜେଇ ସହ ଗିରଫ କରିଛନ୍ତି। ଗିରଫ ଦୁଇ ଚାଲାଣକାରୀ କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ନୁଆଁଗୁଡା ଗ୍ରାମର ହେମନ୍ତ ନିଆଲ (୨୮) ଏବଂ ହଳଦିଆମାଳ ଗ୍ରାମର ଗୁପ୍ତେଶ୍ୱର ଲହଜାଲ (୩୦) ବୋଲି ଜଣାପଡିଛି।

ମିଳିଥିବା ସୂଚନା ଅନୁଯାୟୀ ଗିରଫ ଦୁଇଜଣ ଗଂଜେଇ ଚାଲାଣକାରୀ କୋରାପୁଟ ଜିଲ୍ଲା ଲମତାପୁଟ ଅଂଚଳରୁ ଏକ ବାଜାଜ ବାଇକ (ଓଡି ୧୦ ୨୫୦୬) ଯୋଗେ ଗଂଜେଇ ନେଇ ପାତ୍ରପୁଟ ଅଂଚଳ ଦେଇ କଳାହାଣ୍ଡି ଜିଲ୍ଲାକୁ ଯାଉଥିଲେ। ବାଇକ ସିଟ ଭିତରେ, ଡିକି ଏବଂ ଏକ ବ୍ୟାଗରେ ଗଂଜେଇ ଚାଲାଣ ହେଉଥିଲା। ତେବେ ଆଜି ପାହାନ୍ତିଆ ସମୟରେ ପେଟ୍ରୋଲିଙ୍ଗ ସାରି ଫେରିବା ବେଳେ ଵରୀଗୁଡା ନିକଟରେ ଧରା ପଡ଼ିଥିଲେ। ଦୁଇଜଣଙ୍କୁ ଥାନାକୁ ଆଣି ତଦନ୍ତ ପରେ କୋର୍ଟ ଚାଲାଣ କରାଯାଇଥିବା ପୁଲିସ ସୂତ୍ରରୁ ପ୍ରକାଶ। ତେନ୍ତୁଳିଖୁଣ୍ଟି ତହସିଲଦାର ତଥା ମାଜିଷ୍ଟ୍ରେଟ ପ୍ରଦୀପ କୁମାର କରଙ୍କ ଉପସ୍ଥିତରେ ଜବତ ହୋଇଥୁବା ଗଂଜେଇ ଓଜନ କରାଯାଇଛି । ଜବତ ହୋଇଥୁବା ଗଂଜେଇର ଆନୁମାନିକ ମୂଲ୍ୟ ୭୦ ହଜାର ହେବ ବୋଲି ଜଣାପଡିଛି।

ସମ୍ବନ୍ଧିତ ଖବର