ଗୋପାଳପୁର: ରାଜ୍ୟ ପର୍ଯ୍ୟଟନ ମାନଚିତ୍ରରେ ଗଞ୍ଜାମ ଜିଲ୍ଲାର ଗୋପାଳପୁର ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳ ଭାବେ ମାନ୍ୟତା ପାଇଛି। ପ୍ରତିଦିନ ଜିଲ୍ଲା ସମେତ ରାଜ୍ୟ ଓ ରାଜ୍ୟ ବାହାରୁ ପର୍ଯ୍ୟଟକ ଏଠାକୁ ଆସିଥାନ୍ତି। ଗୋପାଳପୁରକୁ ପର୍ଯ୍ୟଟକଙ୍କ ଗମନାଗମନ ପାଇଁ ଟାଉନ୍‌ ବସ୍‌ ହିଁ ଏକମାତ୍ର ଭରସା। ଏପରିକି ଗୋପାଳପୁରକୁ ରାଜ୍ୟ ରାଜଧାନୀ ସହ ସିଧାସଳଖ ବସ୍‌ ସେବା ନାହିଁ। ରାଜ୍ୟ ବାହାରୁ ଆସୁଥିବା ପର୍ଯ୍ୟଟକ ନିଜସ୍ବ ଗାଡ଼ିରେ ନଆସିଲେ ବ୍ରହ୍ମପୁରରେ ପହଞ୍ଚି ଏଠାରୁ ଟାଉନ୍‌ ବସ୍‌ରେ ଯିବା ହିଁ ଏକମାତ୍ର ବିକଳ୍ପ। ପୂର୍ବରୁ ଗୋପାଳପୁରକୁ ଭୁବନେଶ୍ବର, ସମ୍ବଲପୁର ସମେତ ରାଜ୍ୟର ଅନ୍ୟାନ୍ୟ ପ୍ରମୁଖ ସହର ସହ ସରକାରୀ ବସ୍‌ସେବା ଉପଲବ୍ଧ ରହିଥିଲା।

Advertisment

ବର୍ତ୍ତମାନ ସରକାରୀ ବସ୍‌‌ ସେବା ବନ୍ଦ ହୋଇଯିବା ସହ କୌଣସି ଘରୋଇ ବସ୍‌ ସେବା ନଥିବାରୁ ପର୍ଯ୍ୟଟକଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି। ବ୍ରହ୍ମପୁର ଠାରୁ ଗୋପାଳପୁରର ଦୂରତା ମାତ୍ର ୧୭କିମି ହୋଇଥିବା ବେଳେ ନିୟମିତ ବ୍ୟବଧାନରେ ଟାଉନ୍‌ ବସ୍‌ ସେବା ରହିଛି ସତ, କିନ୍ତୁ ସଂଧ୍ୟା ୭.୪୫ପରେ ଏହା ବି ବନ୍ଦ। ଫଳରେ ରବିବାର ସମେତ ବିଭିନ୍ନ ଛୁଟି ଦିନରେ ବାହାରୁ ଆସୁଥିବା ପର୍ଯ୍ୟଟକ ସଂଧ୍ୟା ପୂର୍ବରୁ ଫେରିବାକୁ ବାଧ୍ୟ ହେଉଛନ୍ତି। ବସ୍‌ ସେବାକୁ ନେଇ ସ୍ଥାନୀୟ ଅଞ୍ଚଳବାସୀ ବି ଅସନ୍ତୋଷ ପ୍ରକାଶ କରିଛନ୍ତି।

ଗୋପାଳପୁର ଠାରେ ରାଜ୍ୟ ସରକାରଙ୍କ ପକ୍ଷରୁ ୬କୋଟି ଟଙ୍କା ବିନିମୟରେ ଏକ ନୂତନ ବସ୍‌ଷ୍ଟାଣ୍ଡ ନିର୍ମାଣ କରାଯାଇଛି। ନୂତନ ବସ୍‌ଷ୍ଟାଣ୍ଡ ନିର୍ମାଣ ହୋଇଛି ସତ କିନ୍ତୁ ଏହା ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇପାରୁନାହିଁ। ଟାଉନ୍‌ ବସ୍‌ ଗୁଡ଼ିକ ବି ନୂଆ ବସ୍‌ଷ୍ଟାଣ୍ଡକୁ ଯାଉନାହାନ୍ତି। ଗୋପାଳପୁରକୁ ସିଧାସଳଖ ବସ୍‌ ସେବା ନଥିବା ଫଳରେ ବାହାରୁ ଆସୁଥିବା ପର୍ଯ୍ୟଟକ ବ୍ରହ୍ମପୁରରୁ ଅଟୋ ଯୋଗେ ଗଲେ ଅଧିକ ଖର୍ଚ୍ଚାନ୍ତ ହେବା ସହ ବିଭିନ୍ନ ସମୟରେ ଅସୁବିଧା ଭୋଗୁଛନ୍ତି। ଗୋପାଳପୁର ବେଳାଭୂମି ଠାରୁ ବସ୍‌ ରହଣି ସ୍ଥଳ ପ୍ରାୟ ଏକ କିମି ହୋଇଥିବା ଯୋଗୁଁ ସଂଧ୍ୟା ହେଲେ ପର୍ଯ୍ୟଟକମାନେ ସଂଧ୍ୟା ସମୟ‌େ ବେଳାଭୂମିର ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ବଦଳରେ ବ୍ରହ୍ମପୁର ଫେରିବାର ଚିନ୍ତା ଅଧିକ ଘାରିଥାଏ। ବ୍ରହ୍ମପୁରରୁ ଗୋପାଳପୁରକୁ ଟାଉନ୍‌ ବସ୍‌ରେ ଗଲେ ଜଣେ ଯାତ୍ରୀଙ୍କ ପିଛା ୨୫ ଟଙ୍କା ରହିଥିବା ବେଳେ କୌଣସି କାରଣରୁ ସଂଧ୍ୟା ପରେ ବସ୍‌ ନମିଳିଲେ ସେ ଅଟୋରେ ଫେରିଲେ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡୁଛି। ତେଣୁ ଟାଉନ୍‌ ବସ୍‌ ସେବା ଅନ୍ତତଃ ରାତି ୯ଟା ପର୍ଯ୍ୟନ୍ତ କାର୍ଯ୍ୟକାରୀ କରିବାକୁ ଦାବି ହୋଇଛି।

ମିଳିଥିବା ସୂଚନା ଅନୁଯାୟୀ, ପ୍ରତିଦିନ ବ୍ରହ୍ମପୁରରୁ ଗୋପାଳପୁରକୁ ଟାଉନ୍‌ ବସ୍‌ସେବା ସକାଳ ୬.୧୫ ମିନିଟ୍‌ରୁ ଆରମ୍ଭ ହୋଇ ସଂଧ୍ୟା ୭.୪୫ରେ ଶେଷ ହୋଇଥାଏ। ପ୍ରତିଦିନ ବ୍ରହ୍ମପୁର-ଗୋପାଳପୁର ମଧ୍ୟରେ ୧୦ଟି ଟାଉନ୍‌ ବସ୍‌ ନିୟମିତ ସମୟ ବ୍ୟବଧାନରେ ଯାତାୟାତ କରିଥାନ୍ତି। ପୂର୍ବରୁ ବେଳାଭୂମି ନିକଟକୁ ଟାଉନ୍ ବସ୍ ଯାଉଥିବା ବେଳେ ୨୦୧୮ ମସିହା ଠାରୁ ବେଳାଭୂମି ନିକଟକୁ ଯିବା‌ରେ ରୋକ୍ ଲାଗିଥିଲା। ଟାଉନ୍‌ ବସ୍‌ ସେବାକୁ ବାଦ୍‌ ଦେଲେ ବିଗତ ଦିନରେ ଭୁବନେଶ୍ବର ସମେତ ଅନ୍ୟାନ୍ୟ ସହରକୁ ସରକାରୀ ବସ୍‌ ସେବା ରହିଥିଲା। ଫଳରେ ପର୍ଯ୍ୟଟକ ସିଧାସଳଖ ଗୋପାଳପୁର ଆସି ବେଳାଭୂମିକୁ ଭପଭୋଗ କରିବା ସହ ଆବଶ୍ୟକ ପଡ଼ିଲେ ବିଭିନ୍ନ ହୋଟେଲ୍‌ରେ ରାତ୍ରୀଯାପନ କରୁଥିଲେ। ଫଳରେ ହୋଟେଲ୍‌ ଶିଳ୍ପ ଗୁଡ଼ିକ ବି ଲାଭବାନ ହେଉଥିଲେ। ଗୋପାଳପୁରର ବିକାଶ ପାଇଁ ସରକାର ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଥିବା ବେଳେ ସରକାରୀ ବସ୍‌ ସେବା ନଥିବା ପର୍ଯ୍ୟଟନର ବିକାଶ କ୍ଷେତ୍ରରେ ଅନ୍ତରାୟ ସୃଷ୍ଟି କରୁଛି। ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ତୁରନ୍ତ ଏଦିଗରେ ପଦକ୍ଷେପ ଗ୍ରହଣ କରିବା ସହ ଗୋପାଳପୁରକୁ ରାଜ୍ୟର ବିଭିନ୍ନ ସ୍ଥାନ ସହ ସିଧାସଳଖ ଯୋଗାଯୋଗ କରାଇବା ସହ ନୂତନ ବସ୍‌ଷ୍ଟାଣ୍ଡକୁ କାର୍ଯ୍ୟକାରୀ କରିବା ପାଇଁ ସାଧାରଣରେ ମତପ୍ରକାଶ ପାଇଛି।