ଭିଜିଲାନ୍ସ ଜାଲରେ ଟାଉନ ପ୍ଲାନିଂ ଇନଭେଷ୍ଟିଗେଟର, ୨୫ ହଜାର ଲାଞ୍ଚ ନେଇ ଧରାପଡ଼ିଲେ

କେନ୍ଦୁଝର : ୨୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ କେନ୍ଦୁଝର ଟାଉନ ପ୍ଲାନିଂ ଇନଭେଷ୍ଟିଗେଟର (କିରାଣି) ନିମାଇଁ ଚରଣ ସାହୁ ୨୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଆଜି ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ଲାଞ୍ଚ ଟଙ୍କା ସହିତ ତାଙ୍କୁ ଗିରଫ କରାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, କେନ୍ଦୁଝର ସହର ଗୌଡ଼ତୋଟା ସାହିର ଅଜୟ କୁମାର ବିଶ୍ବାଳ ଏକ ୨ ମହଲା ଘର କରିବା ପାଇଁ ଟାଉନ ପ୍ଲାନିଂ ଅଫିସରେ ଗତ ମାସ ୨୨ ତାରିଖ ଆବେଦନ କରିଥିଲେ । ଆବେଦନ ବେଳେ ସେ ଜମିଜମାର କାଗଜପତ୍ର, ବିଲ୍ଡିଂ ପ୍ଲାନ ଏବଂ ଅନ୍ୟାନ୍ୟ କାଗଜ ପତ୍ର ଦାଖଲ କରିଥିଲେ । ଏବାବଦରେ ଆବଶ୍ୟକ ଫି ମଧ୍ୟ ଦାଖଲ କରିଥିଲେ । ଯାହାର ରସିଦ ମଧ୍ୟ ‌ତାଙ୍କ ପାଖରେ ଅଛି । ଟାଉନ ପ୍ଲାନିଂର ଏହି ସମସ୍ତ କାଗଜପତ୍ର କଥା ନିମାଇଁ ଚରଣ ସାହୁ ବୁଝନ୍ତି । ତେଣୁ ‌ଶ୍ରୀ ବିଶ୍ବାଳ ଆବେଦନ କରିବା ଦିନଠାରୁ ପ୍ରାୟ ପ୍ରତିଦିନ ଟାଉନ ପ୍ଲାନିଂ ଅଫିସର ଇନଭେଷ୍ଟିଗେଟର ଶ୍ରୀ ସାହୁଙ୍କ ପାଖକୁ ଯାଉଥିଲେ। ‌ ସେ ତାଙ୍କ କାମ କରୁ ନ ଥିଲେ । ତାଙ୍କ କାମ କରିବା ପାଇଁ ଶ୍ରୀ ସାହୁ ୪୦ ହଜାର ଟଙ୍କା ଶ୍ରୀ ବିଶ୍ବାଳଙ୍କୁ ଲାଞ୍ଚ ମାଗିଥିଲେ । ବାଧ୍ୟ ହୋଇ ଶ୍ରୀ ବିଶ୍ବାଳ ଏଥିରେ ଅସହମତି ଜଣାଇଥିଲେ। ୧୮ ତାରିଖରେ ଉଭୟଙ୍କ ମଧ୍ୟରେ ୨୫ ହଜାର ଟଙ୍କା ପାଇଁ ମୂଳଚାଲ ହୋଇଥିଲା। ଶ୍ରୀ ବିଶ୍ବାଳ ଏଥିନେଇ ଗତକାଲି ଭିଜିଲାନ୍ସର ଦ୍ବାରସ୍ଥ ହୋଇଥିଲେ। ତାଙ୍କୁ ଧରିବା ପାଇଁ ଭିଜିଲାନ୍ସ ଜାଲ ବିଛାଇଥିଲା। ଆଜି ଅପରାହ୍ଣରେ ନିମାଇଁ ଚରଣ ଟାଉନ ପ୍ଲାନିଂ ଅଫିସରେ ଶ୍ରୀ ବିଶ୍ବାଳଙ୍କଠାରୁ ୨୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ତାଙ୍କୁ ଧରିଥିଲା । ଲାଞ୍ଚ ଟଙ୍କାରେ ଶ୍ରୀ ସାହୁଙ୍କ ହାତ ଲାଲ ହୋଇଯାଇଥିଲା । ଏଥିନେଇ ଭିଜିଲାନ୍ସ କେସ ନମ୍ବର ୬/ ୨୧ ରୁଜୁ ହୋଇଛି । ନିମାଁଇଙ୍କ ଘର କେନ୍ଦ୍ରାପଡା ଜିଲ୍ଲା ଇଚ୍ଛାପୁରରେ ବୋଲି ଜଣାପଡିଛି। ଆଜି ସଂଧ୍ୟାରେ ତାଙ୍କ କେନ୍ଦୁଝର ସହରସ୍ଥିତ ଭଡାଘରେ ମଧ୍ୟ ଚଢଉ କରାଯାଇଥିଲା। ଚଢଉରେ ଭିଜିଲାନ୍ସ ଡିଏସପି ଡିସି ମୁର୍ମୁ, ଇନିସ୍ପେକ୍ଟର ହେମାମାଳିନୀ ନାଏକ, ଦୈତାରୀ ଘଡେଇ, ସୁଲୋଚନା ନାଏକଙ୍କ ସହିତ କର୍ମଚାରୀ ସର୍ବେଶ୍ବର ସାହୁ, ଧ୍ରୁବେନ୍ଦ୍ର ପାତ୍ର, ମଳୟ କୁମାର ବାରିକ, ରମେଶ କୁମାର ପାତ୍ର, ଗଣନାଥ ବଳ, ମନ୍ମଥ ସିଂ, ରାଜଶ୍ରୀ ଷଡଙ୍ଗୀ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।

ସମ୍ବନ୍ଧିତ ଖବର