୩୮ ବର୍ଷ ହେବ ହୋଇ ପାରୁନି ଟାଉନପ୍ଲାନିଂ

୮ ବର୍ଷ ପରେ ବି ନିର୍ଭୁଲ ମାଷ୍ଟର ପ୍ଲାନ ପ୍ରସ୍ତୁତ କରିବାରେ ଏନଏଫ୍ ଇନଫ୍ରାଟେକ୍ ସର୍ଭିସ ଫେଲ୍, ପୁଣି ୧୨ଟି ତ୍ରୁଟି ବାହାର କଲା କ୍ରିଟ୍

ଜୟପୁର: ଜୟପୁର ସହରର ମାଷ୍ଟର ପ୍ଲାନ କ୍ରିଟ୍ (କୋରାପୁଟ ରୁଲାଲ ଇମ୍ପ୍ରୁଭମେଣ୍ଟ ଟ୍ରଷ୍ଟ) ପକ୍ଷରୁ ୩୮ବର୍ଷ ତଳେ ୧୯୮୫ ମସିହାରେ ଶେଷ ଥର ପାଇଁ ପ୍ରସ୍ତୁତ ହୋଇଥିଲା। ପ୍ରତି ୨୦ବର୍ଷରେ ଥରେ ଅର୍ଥାତ ଏହାରି ମଧ୍ୟରେ ଆଉ ୨ଟି ପ୍ଲାନ କରାଯିବା କଥା। କିନ୍ତୁ ଏହା ହୋଇ ନ ପାରିବା ଫଳରେ ଜୟପୁର ମାଷ୍ଟରପ୍ଲାନ ବିହୀନ ସହର ପାଲଟି ଯାଇଛି। ଯେଉଁ ସଂସ୍ଥାକୁ ନୂଆ ଜିଆଇଏସ୍ / ଆରଏସ୍  ମାଷ୍ଟର ପ୍ଲାନ ପ୍ରସ୍ତୁତ କରି ଦେବାକୁ ଦାୟିତ୍ବ ଦିଆଯାଇଥିଲା, ସେ ଏହା ଦାଖଲ କରିବା ପାଇଁ ୮ବର୍ଷ ସମୟ ନେବା ପରେ ବି ସଠିକ ରିପୋର୍ଟ ଦାଖଲ କରି ପାରିନଥିଲା। ଏଥିରେ ବି କ୍ରିଟ୍ ପୁଣି ୧୨ଟି ତ୍ରୁଟି ଚିହ୍ନଟ କରିବା ସହ ତ୍ରୁଟି ସଂଶୋଧନ କରି ଦାଖଲ କରିବାକୁ ଚିଠି କରିଛି। ସୂଚନାଯୋଗ୍ୟ, ଗତ ୨୦୧୫ ମସିହାରେ ନୂଆଦିଲ୍ଲୀର ଏନଏଫ ଇନଫ୍ରାଟେକ୍ ସର୍ଭିସ ପ୍ରା‌ଇଭେଟ୍ ଲିମିଟେଡ୍ ସଂସ୍ଥାକୁ ନୂଆ ଜିଆଇଏସ୍ / ଆରଏସ୍ ମାଷ୍ଟର ପ୍ଲାନ ପ୍ରସ୍ତୁତ କରି ଦେବା ପାଇଁ ଦାୟିତ୍ବ ଦିଆଯାଇଥିଲା। ୮ବର୍ଷ ପରେ ବି ଉକ୍ତ ସଂସ୍ଥା ନିର୍ଭୁଲ ଜୟପୁର ମାଷ୍ଟର ପ୍ଲାନ ଏରିଆ ପ୍ରସ୍ତୁତ କରି ଦେବାରେ ଫେଲ୍ ମାରିଛି। ଏହାରି ମଧ୍ୟରେ ଉକ୍ତ ସଂସ୍ଥା ଦାଖଲ କରିଥିବା ଡ୍ରାଫ୍ଟ ମାଷ୍ଟର ପ୍ଲାନରେ ୧୨ଟି ତ୍ରୁଟିକୁ କ୍ରିଟ୍ ଚିହ୍ନଟ କରିଛି। ଗତ ୨ତାରିଖ ଦିନ ମାଷ୍ଟର ପ୍ଲାନର ଡ୍ରାଫ୍ଟ ପବ୍ଲିକେସନ୍ କରିବାକୁ କ୍ରିଟ୍ ଯୋଜନା କରିଥିଲେ ହେଁ ବ୍ୟାପକ ତ୍ରୁଟି ଯୋଗୁଁ ଆଉ କରିନାହିଁ। ଏହାକୁ ସଂଶୋଧିତ କରି ତୁରନ୍ତ ନୂଆ ମାଷ୍ଟର ପ୍ଲାନ ଦାଖଲ କରିବାକୁ ଉକ୍ତ ସଂସ୍ଥାକୁ ଚିଠି କରିଛି। ଏଥିରେ ପ୍ରସ୍ତାବିତ ଜମିର ବିବରଣୀ ରହିଥିବାବେଳେ ଏହା ବାଦ ଆଉ କେତେ ବଳକା ଜମି ଖାଲି ପଡିଛି, କେଉଁଟି ବିଦ୍ୟାଳୟ, ମହାବିଦ୍ୟାଳୟ, ପାର୍କ, ସିନେମା ହଲ, ବଜାର, ମଲ୍ ଘର, ବ୍ୟବସାୟିକ ଅଂଚଳ, ପବ୍ଲିକ୍-ସେମିପବ୍ଲିକ, ଶିଳ୍ପାଂଚଳ, ମନୋରଂଜନ, ପାର୍କ, ପରିବହନ, ଜାତୀୟ ରାଜପଥ ଆଦିରେ ବି ବ୍ୟାପକ ତ୍ରୁଟି ରହିଛି ଏବଂ ସହର ପ୍ରମୁଖ ସ୍ଥାନ ରହିଛି ତାହାର କିଛି ବିବରଣୀ କିମ୍ବା ସୂଚନା ତଥା କ‌େଉଁ ପ୍ଲଟ୍ ନମ୍ବରରେ କଣ ରହିଛି ତାହାର କିଛି ସ୍ପଷ୍ଟ ସୂଚନା ନାହିଁ। ଲୋକେ ଯଦି କୌଣସି ପ୍ଲଟ୍ ସଂପର୍କରେ ଯଦି କିଛି ଆପତ୍ତି ଅଭିଯୋଗ କରିବାର ରହିଥିଲେ ସେମାନେ କିଭଳି କରିବେ ବୋଲି କ୍ରିଟ୍ ପକ୍ଷରୁ ପ୍ରଶ୍ନ କରାଯାଇଛି। ଜୟପୁର ପୌରାଂଚଳରେ ଜୟପୁର, ଜୟନଗରର କିଛିକାଂଶ, ବିଦ୍ୟାଧରପୁର, ଜଗଦାତ୍ରୀପୁର, ନିଳକଣ୍ଠେଶ୍ବର, ବିକ୍ରମନଗର, ବାଲାଜୀପୁର ମୌଜା ସହ ଜୟପୁର ଗ୍ରାମାଂଚଳରେ ଜୟପୁର, ଜୟନଗର, ବାଙ୍କବିଜା, ଜଗନ୍ନାଥପୁର, ମକାପୁଟ, ଉମୁରୀ, କଟରୀପୁଟ, ସଉରାଗୁଡା, ପେନାଙ୍ଗୀ ସଂରକ୍ଷିତ ଜଙ୍ଗଲମୌଜାକୁ ନେଇ ଜୟପୁର ମାଷ୍ଟର ପ୍ଲାନ ତିଆରି ପାଇଁ କ୍ରୀଟ ପକ୍ଷରୁ ଲେ-ଆଉଟ ସହ ଉକ୍ତ ସଂସ୍ଥାକୁ ସୂଚନା ଦିଆଯାଇଥିଲା।

କେ‌ଉଁ ମୌଜାର କେତେ ଖାତା ଓ ପ୍ଲଟ୍ ନଂରେ କେତେ ପରିମାଣ ଜମିରେ ଘର, ରାସ୍ତା, ପାର୍କ ଆଦିର ସୂଚନା ସଠିକ ଭାବେ ନଥିବାରୁ ଲୋକେ ନାହିଁ ନଥିବା ଅସୁବିଧା ଭୋଗିବେ ବୋଲି କ୍ରିଟ୍ ପକ୍ଷରୁ କୁହାଯାଇଛି। କିଛି ରାସ୍ତାର ଓସାର ୧୮ମିଟରରୁ ୪୦ରୁ ୬୦ମିଟର ପର୍ଯ୍ୟନ୍ତ ରହିଥିଲେ ହେଁ ଏଥିରେ ୧୨ମିଟର ଦେବା କେତେ ଦୁର ଯୁକ୍ତିଯୁକ୍ତ ବୋଲି କ୍ରିଟ୍ ପକ୍ଷରୁ ଚିହ୍ନଟ କରାଯାଇଛି। ପ୍ରକୃତରେ ସଂସ୍ଥା ପକ୍ଷରୁ ବିଭିନ୍ନ ବିଭାଗରୁ ଦିଆଯାଇଥିବା ରିପୋର୍ଟକୁ ଗୁରୁତର ସହ ନେବା ସହ ତୃଣମୂଳସ୍ତରରେ ସଠିକ ଭାବେ ସର୍ଭେ କରିବାକୁ କ୍ରିଟ୍ ପକ୍ଷରୁ କୁହାଯାଇଛି। ଏପରିକି ଏବେକାର ଜନସଂଖ୍ୟା ୧ଲକ୍ଷ ୬ହଜାର ୧୭୩ ଏବଂ ୨୦୪୦ମସିହା ବେଳକୁ ୧ଲକ୍ଷ ୪୭ହଜାର ୪୫୦ ହେବ ବୋଲି କ୍ରିଟ୍ ପକ୍ଷରୁ ସଂସ୍ଥାକୁ ଅବଗତ କରାଯାଇଥିଲା। ତେବେ ସଂସ୍ଥା ଦେଇଥିବା ଡ୍ରାଫ୍ଟ ମାଷ୍ଟର ପ୍ଲାନରେ ୨୦୨୧ରେ ୧ଲକ୍ଷ ୬ହଜାର ୮୭୨ ଏବଂ ୨୦୪୦ବେଳକୁ ୧ଲକ୍ଷ ୨୮ହଜାର ୪୪୧ ବୋଲି ଉଲ୍ଲେଖ କରିଛି। ତେବେ ଜନସଂଖ୍ୟା ବୃଦ୍ଧିରେ କ୍ରିଟ୍ ପକ୍ଷରୁ ଦିଆଯାଇଥିବା ତଥ୍ୟ ମୁତାବକ, ପୌରପାଳିକା ସହ ସହରର ଚାରିପାର୍ଶ୍ବରେ ଥିବା ଗ୍ରାମାଂଚଳର ଜନସଂଖ୍ୟା ବୃଦ୍ଧିକୁ ଛାଡି ଦେଇଥିବାରୁ ଏହାକୁ ମଧ୍ୟ ସଂସ୍ଥା ସଂଶ୍ଲିଷ୍ଟ କରିବା କଥା ବୋଲି କ୍ରିଟ୍ ଉକ୍ତ ସଂସ୍ଥାକୁ ଅବଗତ କରିଛି। ତ୍ରୁଟି ସଂଶୋଧନ କରି ତୁରନ୍ତ ନୂଆ ଡ୍ରାଫ୍ଟ ମାଷ୍ଟର ପ୍ଲାନ ଦାଖଲ କରିବାକୁ କ୍ରିଟ୍ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର