ଋାଜନଗର: ଶିକ୍ଷୟିତ୍ରୀ ଦରମା ପାଉଛନ୍ତି କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ୍ କେରେଡ଼ାଗଡ଼ସ୍ଥିତ ଶ୍ରୀଜଗନ୍ନାଥ ନୋଡାଲ୍ ଉଚ୍ଚ ବିଦ୍ୟାଳୟରୁ। ପାଠ କିନ୍ତୁ ପଢ଼ାଉଛନ୍ତି ପୁରୀ ଜିଲ୍ଲା ନିମାପଡ଼ା ନିର୍ବାଚନମଣ୍ତଳୀ ଭଂଟି ଗ୍ରାମର ଶ୍ରୀରାମଚନ୍ଦ୍ର ନୋଡାଲ ହାଇସ୍କୁଲରେ। ଏହି କାରଣରୁ ଦୀର୍ଘ ୧୩ମାସ ହେଲା ଶ୍ରୀଜଗନ୍ନାଥ ହାଇସ୍କୁଲର ଛାତ୍ରଛାତ୍ରୀ ସଂସ୍କୃତ ବିଷୟ ପଢ଼ି ପାରୁନାହାନ୍ତି। ବିନା ଶିକ୍ଷକରେ ଛାତ୍ରଛାତ୍ରୀ ସଂସ୍କୃତ ପାଠ ପଢୁଥିଲେ ମଧ୍ୟ ଏଥିପ୍ରତି ଶିକ୍ଷାବିଭାଗ ଉଦାସୀନ। ସଂପୃକ୍ତ ଶିକ୍ଷୟିତ୍ରୀ ଗଣଶିକ୍ଷା ମନ୍ତ୍ରୀଙ୍କ ନିର୍ବାଚନମଣ୍ତଳୀର ହୋଇଥିବାରୁ ସମସ୍ୟା ପ୍ରତି ନା’ ଗଣଶିକ୍ଷା ବିଭାଗ ଦୃଷ୍ଟି ଦେଉଛି ନା’ ଶୁଣୁଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ଶିକ୍ଷାଧିକାରୀ। ଏହାକୁ ନେଇ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ରାଜନଗର ବ୍ଲକ୍ କେରେଡ଼ାଗଡ଼ ଶ୍ରୀଜଗନ୍ନାଥ ନୋଡାଲ୍ ଉଚ୍ଚ ବିଦ୍ୟାଳୟରେ ୬ଷ୍ଠରୁ ୧୦ମ ଶ୍ରେଣୀ ମଧ୍ୟରେ ୫୪୨ ଛାତ୍ରଛାତ୍ରୀ ପାଠ ପଢ଼ନ୍ତି। ୬ଷ୍ଠ ଶ୍ରେଣୀରେ ୧୦୪ଜଣ, ୭ମରେ ୧୦୩, ୮ମରେ ୭୪, ୯ମରେ ୧୫୩ ଓ ୧୦ମ ଶ୍ରେଣୀରେ ୧୦୮ଜଣ ଛାତ୍ରଛାତ୍ରୀ ପାଠ ପଢନ୍ତି। ୫୪୨ଜଣ ପିଲାଙ୍କ ପାଇଁ ୪ଜଣ ଏଲିମେଣ୍ଟାରି କ୍ୟାଡର୍ର ଶିକ୍ଷକ, ଜଣେ ପିସିଏମ୍ ଓ ଅନ୍ୟ ଜଣେ ହିନ୍ଦୀ ଶିକ୍ଷକ ଅଛନ୍ତି। ମାତ୍ର ଏହି ବିଦ୍ୟାଳୟରୁ ଦରମା ପାଉଥିବା ସଂସ୍କୃତ ଶିକ୍ଷୟିତ୍ରୀ ମାନସୀ ପରିଡ଼ା ଗତ ୧୩ମାସ ହେଲା ଏଠାରେ ପାଠ ପଢ଼ାଉ ନାହାନ୍ତି। ସେ ଏହି ବିଦ୍ୟାଳୟରେ ଚାକିରି କରିଥିବା ନେଇ ଦରମା ପାଉଥିଲେ ମଧ୍ୟ ଜୁନ ୨୦୨୧ରୁ ପୁରୀ ଜିଲ୍ଲା ନିମାପଡା ବିଧାନସଭା ନିର୍ବାଚନମଣ୍ତଳୀ ଅନ୍ତର୍ଗତ ଭଂଟି ଗ୍ରାମସ୍ଥିତ ଶ୍ରୀରାମଚନ୍ଦ୍ର ନୋଡାଲ ହାଇସ୍କୁଲରେ ପାଠ ପଢ଼ାଉଛନ୍ତି। ତାଙ୍କୁ ଡାଇରେକ୍ଟର୍ ଅଫିସ୍ ଚିଠି ବଦଳରେ ଜିଲ୍ଲା ଶିକ୍ଷାଧିକାରୀଙ୍କ ନିର୍ଦ୍ଦେଶକ୍ରମେ ପ୍ରଧାନଶିକ୍ଷକ ରିଲିଭ୍ କରିଛନ୍ତି। ଶିକ୍ଷୟିତ୍ରୀ ‘ଡେପ୍ଲଏମେଣ୍ଟ୍ ଅର୍ଡର୍’ ବଳରେ ପୁରୀ ଜିଲ୍ଲାକୁ ଯାଇଥିବା ବେଳେ ସରକାରୀ ରେକର୍ଡରେ ସେ କେରେଡ଼ାଗଡ଼ ଶ୍ରୀଜଗନ୍ନାଥ ନୋଡାଲ ହାଇସ୍କୁଲରେ ସଂସ୍କୃତ ଶିକ୍ଷୟିତ୍ରୀ ଥିବା ଦର୍ଶାଉଛି। ସେଇ କାରଣରୁ କେରେଡ଼ାଗଡ଼ ଶ୍ରୀଜଗନ୍ନାଥ ହାଇସ୍କୁଲରେ ସଂସ୍କୃତ ଶିକ୍ଷକ ନିଯୁକ୍ତି ଦିଆଯାଉ ନାହିଁ। ଫଳସ୍ବରୂପ, ବିନା ପାଠପଢାରେ ଛାତ୍ରଛାତ୍ରୀ ସଂସ୍କୃତ ପରୀକ୍ଷା ଦେଉଛନ୍ତି।
ସରକାର ୬ଷ୍ଠ ଶ୍ରେଣୀରୁ ସଂସ୍କୃତ ବିଷୟରେ ଶିକ୍ଷାଦାନର ବ୍ୟବସ୍ଥା କରିଛନ୍ତି। ଏହାବାଦ୍ ୯ମ, ୧୦ମ ଶ୍ରେଣୀ ଛାତ୍ରଛାତ୍ରୀ ନାମ ଲେଖା ବେଳେ ସେମାନେ ହିନ୍ଦୀ କିମ୍ବା ସଂସ୍କୃତରେ ପାଠ ପଢ଼ିବେ ସେ ନେଇ ବିଷୟ ଚୟନ କରିଥାନ୍ତି। କେରେଡ଼ାଗଡ଼ ହାଇସ୍କୁଲରେ ଚଳିତବର୍ଷ ୯ମ ଶ୍ରେଣୀରେ ୧୫୩ଜଣ ଛାତ୍ରଛାତ୍ରୀ ନାମ ଲେଖାଇଥିବା ବେଳେ ସେମାନଙ୍କ ମଧ୍ୟରୁ ସଂସ୍କୃତ ବିଷୟ ପାଇଁ ୧୪୩ ଜଣ ଓ ହିନ୍ଦୀ ବିଷୟ ପଢିବା ପାଇଁ ୧୦ଜଣ ଛାତ୍ର ଛାତ୍ରୀ ଇଚ୍ଛୁକ। ଗତ ମାଟ୍ରିକ ପରୀକ୍ଷାରେ ବିନା ପାଠପଢ଼ାରେ ୧୦ମ ଶ୍ରେଣୀର ୧୬୪ ଜଣ ମାଟ୍ରିକ୍ ପରୀକ୍ଷା ଦେଲେ। ବିନା ପାଠପଢାରେ ସଂସ୍କୃତ ପରୀକ୍ଷା ଦେବାରୁ ସେମାନେ ଠିକ୍ ନମ୍ବର ପାଇ ପାରିଲେ ନାହିଁ। ୧୦ମ ଶ୍ରେଣୀର ଛାତ୍ର ନିଗମାନନ୍ଦ ପାତ୍ର, ଦୀନେଶ ମାଝୀ, ଛାତ୍ରୀ ସୁମିତ୍ରା ସାହୁ, ବର୍ଷା ପ୍ରିୟଦର୍ଶିନୀ ପାତ୍ରଙ୍କ କହିବା କଥା ହେଲା, ‘ଆମେ ସଂସ୍କୃତ ବିଷୟ ନେଇଥିଲେ ମଧ୍ୟ ବିଦ୍ୟାଳୟରେ ବର୍ଷେ ହେଲା ସଂସ୍କୃତ ଆଦୌ ପଢ଼ା ଯାଉ ନାହିଁ। ବିନା ପାଠପଢ଼ାରେ ଆମେ ସଂସ୍କୃତ ପରୀକ୍ଷା ଦେଇଛୁ। ତୁରନ୍ତ ଆମ ବିଦ୍ୟାଳୟରେ ସଂସ୍କୃତ ଶିକ୍ଷୟିତ୍ରୀ ନିଯୁକ୍ତି ଦିଆଯାଉ’ ବୋଲି ସେମାନେ କହିଛନ୍ତି।
ଏ ସଂପର୍କରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ପୂର୍ଣ୍ଣଚନ୍ଦ୍ର ପଣ୍ତାଙ୍କୁ ପଚାରିବାରୁ ୨୦୧୧ରେ ବିଦ୍ୟାଳୟରେ ସଂସ୍କୃତ ଶିକ୍ଷୟିତ୍ରୀ ମାନସୀ ପରିଡା ଯୋଗ ଦେଇଥିଲେ। ୨୦୧୧ ଜୁନ ମାସରେ ଡାଇରେକ୍ଟର ଅଫିସ୍ ଚିଠି ବଳରେ ତାଙ୍କୁ ଶ୍ରୀରାମ ଚନ୍ଦ୍ର ନୋଡାଲ ହାଇସ୍କୁଲ, ଭଂଟି ଗ୍ରାମ, ନିମାପଡା, ପୁରୀକୁ ଡେପୁଟେସନରେ ନିଆଯାଇଛି। ଆମ ବିଦ୍ୟାଳୟରେ ସଂସ୍କୃତ ଶିକ୍ଷକ ପଦରେ ‘ଭ୍ୟାକାନ୍ସି’ ଦେଖାଉ ନ ଥିବାରୁ ନୂତନ ଶିକ୍ଷକ ନିଯୁକ୍ତି ଦିଆଯାଉନି। ଏ ସଂପର୍କରେ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଲିଖିତ ଭାବେ ଜଣାଇଛି ବୋଲି କହିଛନ୍ତି। ବଡକଥା ହେଲା ମନ୍ତ୍ରୀଙ୍କ ନିର୍ବାଚନମଣ୍ତଳୀର ଶିକ୍ଷୟିତ୍ରୀ ବୋଲି ଡେପୁଟେସନରେ ଜିଲ୍ଲା ପାର ହୋଇପାରିବେ କି? ଏଥିପ୍ରତି ଗଣଶିକ୍ଷା ମନ୍ତ୍ରୀ ଦୃଷ୍ଟି ଦେବା ସହ ପଦକ୍ଷେପ ନେବାକୁ ଅଭିଭାବକମାନେ ଦାବି କରିଛନ୍ତି।