ଟାୟାର ଫାଟି ଟ୍ରକରେ ନିଆଁ ଲାଗିଲା, ୧୫ ଲକ୍ଷ ଟଙ୍କାର ସାମଗ୍ରୀ ନଷ୍ଟ

ବଲାଙ୍ଗୀର: ୨୬ ନଂ ଜାତୀୟ ରାଜପଥରେ ବଲାଙ୍ଗୀର ଆସୁଥିବା ଏକ ଟ୍ରକରେ ନିଆଁ ଲାଗିଛି। ଟ୍ରକ୍‌ରେ ବୋଝେଇ ଥିବା ପ୍ରାୟ ୧୫ଲକ୍ଷ ଟଙ୍କାର ଗ୍ରୋସେରି ସାମଗ୍ରୀ ପୋଡ଼ି ନଷ୍ଟ ହୋଇଯାଇଛି। ବହୁ ସମୟ ପରେ ଦମକଳ ବାହିନୀ ନିଆଁକୁ ଆୟତ୍ତ କରିଛନ୍ତି। ପୁଇନ୍ତଲା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛି।

ସୂଚନା ଅନୁସାରେ ଛତିଶଗଡ଼ ରାୟପୁରରୁ ଚୁଡ଼ା, ଡାଲି, ମିଲ୍‌କ ପାଉଡର, ସୋୟାବିନ ବଡ଼ି ଆଦି ଗ୍ରୋସେରି ସାମଗ୍ରୀ ବୋଝେଇ ଦଶଚକିଆ ଟ୍ରକଟି ବଲାଙ୍ଗୀର ଆସୁଥିଲା। ବଲାଙ୍ଗୀର ଛୁଇଁବନ୍ଧ ନିକଟରେ ଟ୍ରକର ବାମ ପଟ ମଝି ଚକ ଫାଟି ଯାଇଥିଲା। ଫଳରେ ଡିଜେଲ ଟାଙ୍କି ରାସ୍ତା ସଂସ୍ପର୍ଶରେ ଆସିଥିଲା। ରାସ୍ତାରେ ଘଷି ହୋଇ ଫାଟି ଯାଇଥିଲା। ରାସ୍ତାରେ ଘର୍ଷଣ ଯୋଗୁଁ ନିଆଁ ସଂଯୋଗ ହୋଇଥିଲା। ପ୍ରଥମେ ଗୋଟିଏ ଚକ ପରେ ଅନ୍ୟ ଚକରେ ନିଆଁ ଲାଗିଥିଲା। ଫଳରେ ଟ୍ରକଟି ସଂପୂର୍ଣ୍ଣ ଜଳି ଯାଇଥିଲା। ଦମକଳ ଅଧିକାରୀ ପଞ୍ଚାନନ ବେହେରାଙ୍କ ନେତୃତ୍ବରେ ଦମକଳ ବାହିନୀର ଦୁଇଟି ଗାଡ଼ି ଆସି ନିଆଁକୁ ଆୟତ୍ତ କରିଥିଲେ। ଟ୍ରକରେ ଥିବା ଅଧିକାଂଶ ଜିନିଷ ପୋଡ଼ି ନଷ୍ଟ ଯାଇଥିବା ବେଳେ ମଝିରେ ଥିବା ଅଳ୍ପ କିଛି ସାମଗ୍ରୀ ଉଦ୍ଧାର କରାଯାଇଛି। ପ୍ରାୟ ୧୫ ଲକ୍ଷ ଟଙ୍କା ନଷ୍ଟ ହୋଇଥିବା ପ୍ରାଥମିକ ଭାବେ ଆକଳନ କରାଯାଇଛି।

ସମ୍ବନ୍ଧିତ ଖବର