ଟ୍ରାକ୍‌ ଯନ୍ତ୍ରଣା: ଦୁର୍ବଳ ରେଳପଥରେ ଦ୍ରୁତଗାମୀ ଟ୍ରେନ୍‌

ଦକ୍ଷିଣ ପୂର୍ବ ଜୋନ୍‌ରେ ବାଲେଶ୍ବରକୁ ଅଧିକ ଅବହେଳା, ଖର୍ଚ୍ଚ ହୋଇନପାରି ପଡ଼ିରହିଛି ଶହଶହ କୋଟି ଟଙ୍କା

ବାଲେଶ୍ବର : ବାଲେଶ୍ବର ବାହାନଗାରେ ସଂଘଟିତ ଭୟଙ୍କର ରେଳ ଦୁର୍ଘଟଣା ପରିପ୍ରେକ୍ଷୀରେ ଏବେ ଦକ୍ଷିଣ-ପୂର୍ବ ରେଳପଥର ଭିତ୍ତିଭୂମି ବିକାଶ ଉପରେ ରେଳ ବିଭାଗ ପକ୍ଷରୁ ନିଆଯାଇଥିବା ପଦକ୍ଷେପ ଉପରେ ପ୍ରଶ୍ନ ଉଠିଛି। ଦକ୍ଷିଣ-ପୂର୍ବ ରେଳପଥ ଜୋନ୍‌ ଅଧୀନରେ ଓଡ଼ିଶାର ବାଲେଶ୍ବର ଜିଲ୍ଲା ଆସୁଥିଲେ ମଧ୍ୟ ପଶ୍ଚିମବଙ୍ଗ ତୁଳନାରେ ରେଳପଥର ଆଶାନୁରୂପକ ବିକାଶ କରାଯାଇନାହିଁ। ଅନ୍ୟପକ୍ଷରେ ଏହି ରେଳପଥ ଏବେ ଦେଶର ଅନ୍ୟତମ ବ୍ୟସ୍ତବହୁଳ ରେଳପଥ ହୋଇଥିବା ବେଳେ ଦୁର୍ବଳ ଭିତ୍ତିଭୂମି ଯୋଗୁ ରେଳଯାତ୍ରା ଅସୁରକ୍ଷିତ ତଥା ବିପଦଜ୍ଜନକ ସାଜିଥିବା ଅଭିଯୋଗ ହୋଇଛି।

ସୂଚନା‌ଯୋଗ୍ୟ, ଓଡ଼ିଶାର ଅନେକ ରେଳପଥ ପୂର୍ବତଟ ରେଳପଥ ଅଧୀନରେ ଆସୁଥିବା ବେଳେ ବାଲେଶ୍ବର ଜିଲ୍ଲା ରହିଛି ଦକ୍ଷିଣ-ପୂର୍ବ ‌ରେଳପଥ ଅଧୀନରେ। ଦକ୍ଷିଣ-ପୂର୍ବ ରେଳପଥର ମୁଖ୍ୟ ଅଫିସ ରହିଛି କୋଲକାତାରେ। ତେଣୁ ସ୍ବାଭାବିକ ଭାବରେ ‌ଏହି ରେଳପଥ ଅଧୀନରେ ହେଉଥିବା ସମସ୍ତ ବିକାଶମୂଳକ କାର୍ଯ୍ୟ ପଶ୍ଚିମବଙ୍ଗରେ ଯେତିକି ଗୁରୁତ୍ବର ସହ କରାଯାଉଛି, ସେହି ତୁଳନାରେ ବାଲେଶ୍ବରକୁ ଅବହେଳା କରାଯାଉଛି। ଜଳେଶ୍ବର ଲକ୍ଷ୍ମଣନାଥରୁ ଭଦ୍ରକ ଜିଲ୍ଲା ସୀମାରେ ଥିବା ରାଣୀତାଲ ପର୍ଯ୍ୟନ୍ତ ଦକ୍ଷିଣ-ପୂର୍ବ ରେଳପଥ ଅଧୀନରେ ରହିଥିବା ବେଳେ ଦୀର୍ଘବର୍ଷ ଧରି ରେଳ ଧାରଣାଗୁଡ଼ିକର ରହିଥିବା ସିଗ୍‌ନାଲ ସିଷ୍ଟମ, ଲାଇଟ୍‌, ପ୍ଲାଟଫର୍ମ, ଷ୍ଟେସନ ବିଲ୍ଡିଂ, ଷ୍ଟାଫ୍‌ କ୍ବାର୍ଟର୍ସ, ହସ୍‌ପିଟାଲ ସୁବିଧା, ବିଦ୍ୟୁତ୍‌ ବ୍ୟବସ୍ଥା, ଫୁଟ୍‌ ଓଭରବ୍ରିଜ୍‌ ଆଦି ଅନେକ ଭିତ୍ତିଭୂମିକୁ ସୁଧାରିବା ଲାଗି ରେଳବିଭାଗ ଆବଶ୍ୟକ ଗୁରୁତ୍ବ ମଣିନାହିଁ।

Wikipedia

ଅନ୍ୟପକ୍ଷରେ ବାଲେଶ୍ବର ଜିଲ୍ଲା ଦେଇ ପ୍ରତିଦିନ ପଶ୍ଚିମବଙ୍ଗ, ଛତିଶଗଡ଼, ମହାରାଷ୍ଟ୍ର, ବିହାର, ଆସାମ, ଉତ୍ତରପ୍ରଦେଶ, ଆନ୍ଧ୍ରପ୍ରଦେଶ, ତାମିଲନାଡ଼ୁ, କର୍ଣ୍ଣାଟକ, କେରଳ ଆଦି ରାଜ୍ୟକୁ ପ୍ରତିଦିନ ପ୍ରାୟ ୧୫୦ରୁ ଅଧିକ ସୁପରଫାଷ୍ଟ ଟ୍ରେନ୍‌, ଏକ୍ସ‌ପ୍ରେସ୍‌ ଟ୍ରେନ୍‌, ପାସେଞ୍ଜର ଟ୍ରେନ୍‌ ଓ ମାଲବାହୀ ଟ୍ରେନ୍‌ ଯିବାଆସିବା କରୁଛି। ଏହି ବ୍ୟସ୍ତତମ ରେଳପଥରେ ଏତେ ତୃତୀୟ ରେଳ ଲାଇନ କାମ ଚାଲୁଥିବା ବେଳେ ଏହା ସମ୍ପୂର୍ଣ୍ଣ ହେବାକୁ ଆହୁରି ସମୟ ଲାଗିବ। ଅଧିକ ଟ୍ରେନ ଚଳାଚଳ ଦୃଷ୍ଟିରୁ ଏହି ରେଳପଥରେ ଅପ୍‌ ଡାଉନରେ ଆହୁରି ଦୁଇଟି ରେଳ ଟ୍ରାକ୍‌ର ଆବଶ୍ୟକତା ରହିଛି। ଗତ ୨ ତାରିଖ ସଂଧ୍ୟା ସମୟରେ ବାଲେଶ୍ବର ଜିଲ୍ଲା ବାହାନଗା‌ ବଜାର ରେଳ ଷ୍ଟେସନଠାରେ କରମଣ୍ଡଳ ସୁପରଫାଷ୍ଟ ଏକ୍ସପ୍ରେସ, ଯଶବନ୍ତପୁର ଏକ୍ସପ୍ରେସ ଓ ଏକ ମାଲବାହୀ ଟ୍ରେନ୍‌ ମଧ୍ୟରେ ଭୟଙ୍କର ଦୁର୍ଘଟଣା ଘଟି ୨୮୮ ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଥିବା ବେଳେ ୧୨ ଶହରୁ ଅଧିକ ଯାତ୍ରୀ ଗୁରୁତର ଆହତ ହୋଇଥିଲେ। ଭୁଲ ସିଗ୍‌ନାଲ କିମ୍ବା ଇଲେକ୍ଟ୍ରୋନିକ୍ ଇଣ୍ଟରଲକିଂ ସିଷ୍ଟମ୍‌ରେ ତ୍ରୁଟି ଦେଖାଦେବାରୁ ଏତେ ବଡ଼ ଏକ ଦୁର୍ଘଟଣା ଘଟିଲା। ତେବେ ଏହି ରେଳପଥରେ ବନ୍ଦେ ଭାରତ ଭଳି ଦ୍ରୁତଗାମୀ ଟ୍ରେନ୍‌ଠାରୁ ଆରମ୍ଭ କରି ଅନ୍ୟାନ୍ୟ ଦ୍ରୁତଗାମୀ ଟ୍ରେନ ଗଡ଼ୁଥିବା ବେଳେ ଦୁର୍ବଳ ରେଳ ଭିତ୍ତିଭୂମି ଯୋଗୁ ଏଥିରେ ସୁରକ୍ଷିତ ଯାତ୍ରା କରିବା ନେଇ ପ୍ରଶ୍ନ ଉଠିଛି। ଏହି ଦୁର୍ଘଟଣା ପରେ ରେଳ ବିଭାଗ ନିଜର ଦୋଷତ୍ରୁଟି ଖୋଜୁଥିବା ବେଳେ ତୁରନ୍ତ ଓଡ଼ିଶା ପଟେ ରହିଥିବା ରେଳ ଭିତ୍ତିଭୂମି ବ୍ୟବସ୍ଥା ଉପରେ ଦୃଷ୍ଟି ଦେବାକୁ ଦାବି ହୋଇଛି।

ଦକ୍ଷିଣ-ପୂର୍ବ ରେଳପଥରେ ଗଡ଼ୁଥିବା ଟ୍ରେନ୍‌ଗୁଡ଼ିକରେ କବଚ ବ୍ୟବସ୍ଥା ପାଇଁ ବଜେଟ୍‌ରେ ଅର୍ଥ ମଞ୍ଜୁର ହୋଇଥିଲେ ମଧ୍ୟ ଗତ ତିନିବର୍ଷ ମଧ୍ୟରେ ଏଥିପାଇଁ ଟଙ୍କାଟିଏ ବି ଖର୍ଚ୍ଚ ହୋଇନାହିଁ। ଦକ୍ଷିଣ-ପୂର୍ବ ରେଳପଥର ପିଙ୍କ ବୁକ୍, ଯେଉଁଥିରେ ପ୍ରକଳ୍ପଗୁଡ଼ିକର ତାଲିକା ରହିଛି, ସେଥିରୁ ମିଳିଥିବା ତଥ୍ୟ ଅନୁଯାୟୀ ଲୋ-ଡେନ୍‌ସିଟି ରେଲ୍‌ବାଇ ନେଟ୍‌ୱର୍କ (୧,୫୬୩ ରୁଟ୍ କିଲୋମିଟର)ରେ କବଚ ବ୍ୟବସ୍ଥା ପାଇଁ ୪୬୮.୯ କୋଟି ଟଙ୍କା ମଞ୍ଜୁର ହୋଇଛି। କିନ୍ତୁ ୨୦୨୨ ମାର୍ଚ୍ଚ ପର୍ଯ୍ୟନ୍ତ ସେଥିରୁ ଟଙ୍କାଟିଏ ଖର୍ଚ୍ଚ ହୋଇନାହିଁ। ସେହି ଜୋନ୍‌ର ଆଉ ଏକ ସେକ୍ଟରରେ ୧,୫୬୩ ରୁଟ୍ କିଲୋମିଟର ପାଇଁ ୩୧୨ କୋଟି ଟଙ୍କା ମଞ୍ଜୁର ହୋଇଥିଲେ ମଧ୍ୟ ସେଥିଲାଗି ୨୦୨୨ ମାର୍ଚ୍ଚ ସୁଦ୍ଧା କିଛି ଖର୍ଚ୍ଚ ହୋଇନାହିଁ। ୨୦୨୧-୨୨ରେ ଦକ୍ଷିଣ-ପୂର୍ବ ରେଳପଥକୁ ଅଟୋମେଟିକ୍ ବ୍ଲକ୍ ସିଗ୍‌ନାଲିଂ, ସେଣ୍ଟ୍ରାଲି ଟ୍ରାଫିକ୍ କଣ୍ଟ୍ରୋଲ ଓ ଦୁର୍ଘଟଣା-ନିରୋଧୀ କବଚ ବ୍ୟବସ୍ଥା ପାଇଁ ୧୬୨.୨୯ କୋଟି ଟଙ୍କା ମଞ୍ଜୁର ହୋଇଛି। କିନ୍ତୁ ଅଦ୍ୟାବଧି ସେହି ଟଙ୍କା ଖର୍ଚ୍ଚ ‌ନହୋଇ ପଡ଼ିରହିଛି। ଏସବୁ ଦିଗ ପ୍ରତି ଏବେ ରେଳ ମନ୍ତ୍ରଣାଳୟ ଗୁରୁତ୍ବର ସହକାରେ ଦୃଷ୍ଟି ଦେବା ଜରୁରୀ ବୋଲି ମତପ୍ରକାଶ ପାଇଛି।

 

ସମ୍ବନ୍ଧିତ ଖବର