କେନାଲ ଭିତରକୁ ଓଲଟିଲା ଟ୍ରାକ୍ଟର, ଜଣେ ମୃତ, ଦୁଇ ଗୁରୁତର

ବାଲିଅନ୍ତା: ହଂସପାଳ-ଅଭୟମୁଖୀ ପୂତ୍ତ ବିଭାଗ ମୁଖ୍ୟ ରାସ୍ତାର ବେଣୁପୁର-ବାଲିକାନ୍ଥିଆ ପୋଲ ନିକଟରେ ଇଟାନେଇ ଯାଉଥିବା ଏକ ଦ୍ରୁତଗାମୀ ଟ୍ରାକ୍ଟର ହଠାତ ଭାରସାମ୍ୟ ହରାଇ ଗୋପ ବ୍ରାଞ୍ଚ କେନାଲକୁ ଓଲଟି ପଡ଼ିବାରୁ ଘଟଣାସ୍ଥଳରେ ଜଣେ ଶ୍ରମିକଙ୍କର ମୃତ୍ୟୁ ଘଟିଥିବା ‌ବେଳେ ଚାଳକ ସହ ଅନ୍ୟ ଜଣେ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି। ମୃତକ ହେଲେ କାହ୍ନା ଦାସ (୨୦)। କାହ୍ନା ଜଣେ ଇଟାଭାଟି ଶ୍ରମିକ। ତା’ର ନିଜ ଘର ଗଞ୍ଜାମ ଜିଲ୍ଲା ଅଧୀନ ବିରୁଡ଼ି ଅଞ୍ଚଳରେ। କିନ୍ତ ସେ ପରିବାର ଲୋକଙ୍କ ସହ ସ୍ଥାନୀୟ ଅଞ୍ଚଳରେ ରହି ଇଟାଭାଟିରେ କାମ କରେ। ଆଜିଭୋର ସମୟରେ ଏକ ଇଟା ବୋଝେଇ ଟ୍ରାକ୍ଟରରେ କାହ୍ନା ଏବଂ ଅନ୍ୟ ଜଣେ ଶ୍ରମିକ ସହ ଇଟା ଖାଲି କରିବାକୁ ବେଣୁପୁର ମୁଖ୍ୟ ରାସ୍ତାରେ ଆସୁଥିଲେ।

Sambad

ଦୁହେଁ ଚାଳକ ପାଖରେ ବସିଥିଲେ। ହେଲେ ବେଣୁପୁର ନିକଟରେ ଟ୍ରାକ୍ଟରଟି ହଠାତ ଭାରସାମ୍ୟ ହରାଇ ଗୋପବ୍ରାଞ୍ଚ କେନାଲ ଭିତରକୁ ଓଲଟି ପଡ଼ିଥିଲା। ଫଳରେ କାହ୍ନା ଗାଡ଼ି ଷ୍ଟେରିଂ ଭିତରେ ଚା‌ପି ହୋଇ ପାଣିଭିତରେ ଦୀର୍ଘ ସମୟ ଧରି ରହିବାରୁ ଶ୍ବାଶରୁଦ୍ଧ ହୋଇ ତା’ର ମୃତ୍ୟୁ ହୋଇ ଯାଇଥିବା କୁହାଯାଉଛି। ହେଲେ ଅନ୍ୟ ଶ୍ରମିକ ଏବଂ ଚାଳକ ଗାଡ଼ିରୁ ଛିଟିକି ପାଣିରେ ଭାସିବାରୁ ଅଳ୍ପକେ ରକ୍ଷା ପାଇ ଯାଇଥିଲେ। ଦୁହେଁ ସାମାନ୍ୟ ଆହତ ହୋଇଥିବା ଜଣାପଡ଼ିଛି। ସେମାନଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକ ସେମାନଙ୍କୁ ଉଦ୍ଧାର କରିଥିଲେ। ହେଲ ସେତେବେଳକୁ କାହ୍ନାର ମୃତ୍ୟୁ ହୋଇଯାଇଥିଲା। ବାଲିଅନ୍ତା ଥାନା ପୁଲିସ ସକାଳେ ପହଞ୍ଚି ମୃତଦେହ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ନେଇଥିଲା। ବ୍ୟବଚ୍ଛେଦ ପରେ ଅପରାହ୍ନରେ ଶବ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। କ୍ରେନ୍ ସାହାର୍ଯ୍ୟରେ ଟ୍ରାକ୍ଟର ଉପରକୁ ଉଠାଯାଇଥିଲା।

ସମ୍ବନ୍ଧିତ ଖବର