ରାୟଗଡ଼ା: ଆଜି ସଂଧ୍ୟାରେ ରାୟଗଡ଼ା ସହରର ନଦୀକନ୍ଧ ସାହିରେ ଏକ ବାଲି ବୋଝେଇ ଟ୍ରାକ୍ଟର୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ନଦୀରୁ ବାଲି ବୋଝେଇ କରି ଆସୁଥିବା ଟ୍ରାକ୍ଟରର ଗିୟର୍ ଫେଲ୍ ହୋଇଯିବାରୁ ଟ୍ରାକ୍ଟରଟି ଜଣେ କଲେଜ ଛାତ୍ରୀଙ୍କ ଉପରକୁ ମାଡ଼ି ଯାଇଛି। ଫଳରେ ଘଟଣାସ୍ଥଳରେ କଲେଜ ଛାତ୍ରୀଙ୍କ ମୃତ୍ୟୁ ହୋଇଛି। ମୃତ ଛାତ୍ରୀଙ୍କ ନାମ କଂଶିଳା କୁଲେସିକା ସେ ଲକ୍ଷ୍ମୀପୁର ମହାବିଦ୍ୟାଳୟର ଯୁକ୍ତ ୩ ଶ୍ରେଣୀର ଛାତ୍ରୀ ବୋଲି ଜଣା ପଡିଛି। ଘଟଣା ପରେ ନଦୀକନ୍ଧ ସାହି ଓ ମେଡ଼ିକାଲରେ ଉତ୍ତେଜନା ପ୍ରକାଶ ପାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ମିଳିଥିବା ସୂଚନାନୁଯାୟୀ, ଆଜି ସଂଧ୍ୟାରେ ନଦୀକନ୍ଧ ସାହି ନିକଟ ବାଲିଘାଟରୁ ବାଲି ଲୋଡ୍ କରି ଏକ ଟ୍ରାକ୍ଟର ସହର ଅଭିମୁଖେ ଆସୁଥିଲା। ଉଠାଣି ରାସ୍ତାରେ ଟ୍ରାକ୍ଟରର ଗିୟର୍ ଫେଲ୍ ହୋଇଯାଇଥିଲା। ଡ୍ରାଇଭର ଟ୍ରାକ୍ଟରକୁ ନିୟନ୍ତ୍ରଣ କରିବା ପାଇଁ ବ୍ରେକ୍ କଷିବା ସହ ସମସ୍ତ ଚେଷ୍ଟା କରିଥିଲେ। କିନ୍ତୁ ବାଲି ଲୋଡ୍ ହୋଇଥିବା ଯୋଗୁ ନିୟନ୍ତ୍ରଣ ହରାଇ ଟ୍ରାକ୍ଟରଟି ସାହିରେ ଥିବା ଜଣେ ବ୍ୟକ୍ତିଙ୍କ ଘର ଭିତରକୁ ପଶି ଯାଇଥିଲା।
ସ୍ଥାନୀୟ ଲୋକମାନେ ଦୌଡ଼ି ଆସି ଘଟଣାସ୍ଥଳରୁ କଲେଜ ଛାତ୍ରୀ କଂଶିଳାଙ୍କ ସହ ଟ୍ରାକ୍ଟର ଡ୍ରାଇଭର ଶରତ କାଡ୍ରକାଙ୍କୁ ଉଦ୍ଧାର କରିଥିଲେ। ତେବେ ଘଟଣାସ୍ଥଳରେ କଂଶିଳାଙ୍କ ମୃତ୍ୟୁ ହୋଇ ଯାଇଥିବା ବେଳେ ଡ୍ରାଇଭର ଶରତକୁ ଅଚେତ ଅବସ୍ଥାରେ ଉଦ୍ଧାର କରି ରାୟଗଡ଼ା ମେଡ଼ିକାଲକୁ ପଠାଇଥିଲେ। ଖବର ପାଇ ରାୟଗଡ଼ା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ମୃତ ଛାତ୍ରୀଙ୍କ ଶବକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲା। ଘଟଣାକୁ ନେଇ ନଦୀକନ୍ଧ ସାହି ବାସିନ୍ଦା ଉତ୍ତ୍ୟକ୍ତ ହୋଇ ପଡିବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କିଛି ସମୟ ଧରି ଉତ୍ତେଜନା ଲାଗି ରହିଥିଲା। ଘଟଣା ସଂପର୍କରେ ଖବର ପାଇ ଟ୍ରାକ୍ଟର ମାଲିକ ସଂଘ ସଭାପତି ପଦ୍ମନାଭ ଦାଶଙ୍କ ସମେତ ଅନ୍ୟ ସଦସ୍ୟମାନେ ମେଡ଼ିକାଲରେ ପହଞ୍ଚିଛନ୍ତି।