ବୈପାରିଗୁଡା: କୋରାପୁଟ ଜିଲ୍ଲା ବୈପାରିଗୁଡା ବ୍ଲକର ରାମଗିରି ହାଟପଦା ଠାରେ ସଡ଼କ ଦୁର୍ଘଟଣା ଘଟି ଜଣେ ବାଇକ୍ ଚାଳକଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ଗୁପ୍ତେଶ୍ୱର ପଞ୍ଚାୟତର ଗୟଲକୁଣ୍ଡ ଗ୍ରାମର ଭୀମସେନ ପରଜା (୨୯) ବୋଲି ଜଣାପଡ଼ିଛି। ସୂଚନା ଅନୁଯାୟୀ, ଭୀମସେନ ନିଜ ସାଙ୍ଗ ଜଳନ୍ଦର ମାଳିଙ୍କ ସହ (ଓଡି ୧୦ କେ ୮୪୯୪) ନମ୍ବର ବିଶିଷ୍ଟ ବାଇକରେ ରବିବାର କୈାଣସି କାମରେ ରାମଗିରି ଆସିଥିଲେ। ନିଜ କାମ ସାରି ରାତି ପ୍ରାୟ ସାଢେ ନଅଟା ବେଳକୁ ନିଜ ଘର ଗୟଲକୁଣ୍ଡକୁ ଫେରୁଥିବା ବେଳେ ରାମଗିରି ହାଟପଦା ନିକଟରେ ଥିବା ଏକ ଟ୍ରାକ୍ଟର ପଛରେ ପିଟି ହୋଇଯାଇଥିଲେ। ଘଟଣାସ୍ଥଳରେ ହିଁ ଦୁହେଁ ଛିଟିକି ହୋଇ ରାସ୍ତା ଉପରେ ପଡ଼ି ଯାଇଥିଲେ। ସ୍ଥାନୀୟ ଲୋକେ ତୁରନ୍ତ ଦୁଇ ଗୁରୁତରଙ୍କୁ ଆହତ ଅବସ୍ଥାରେ ରାମଗିରି ପ୍ରାଥମିକ ଚିକିତ୍ସା କେନ୍ଦ୍ରରେ ଭର୍ତ୍ତି କରିଥିଲେ।
ଭୀମସେନଙ୍କ ସ୍ବାସ୍ଥ୍ୟ ଗୁରୁତର ହେବାରୁ ତାଙ୍କୁ ବୈପାରିଗୁଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ପଠାଯାଇଥିଲା। ବୈପାରିଗୁଡା ସ୍ବାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ସ୍ବାସ୍ଥ୍ୟାବସ୍ଥା ଶୋଚନୀୟ ହେବାରୁ ଭୀମସେନଙ୍କୁ କୋରାପୁଟ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ମଧ୍ୟ ଚିକିତ୍ସା ପରେ ତାଙ୍କୁ ବ୍ରହ୍ମପୁର ଚିକିତ୍ସା ପାଇଁ ପଠାଗଲା। ବ୍ରହ୍ମପୁର ମେଡ଼ିକାଲ ଯିବା ସମୟରେ ମହନା ନିକଟରେ ମୃତ୍ୟୁ ହୋଇଯାଇଥିବା ଜଣାପଡ଼ିଥିଲା। ସେଠାରୁ ସୋମବାର ଫେରାଇ ଅଣାଯାଇ ପୁଲିସ ଉପସ୍ଥିତିରେ ଶବ ବ୍ୟବଚ୍ଛେଦ କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ରାମଗିରି ଥାନା ଏଏସ୍ଆଇ ବଳରାମ ହିକକା ଟ୍ରାକ୍ଟର ଏବଂ ବାଇକ୍ ଜବତ କରିବା ସହ ତଦନ୍ତ କରୁଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/05/1-34.jpg)