ଆରପାରିରେ ବିଶିଷ୍ଟ ଶ୍ରମିକ ନେତା ନିରଞ୍ଜନ ପଢ଼ିଆରୀ

ବାଲେଶ୍ୱର: ବିଶିଷ୍ଟ ଶ୍ରମିକ ନେତା ନିରଞ୍ଜନ ପଢ଼ିଆରୀ(୭୨)ଙ୍କର ଆଜି ସକାଳେ ବାଲେଶ୍ୱର ସହର ବାଲିଆ ସ୍ଥିତ ତାଙ୍କ ବାସଭବନରେ ପରଲୋକ ହୋଇଯାଇଛି। କିଛିଦିନ ଧରି ସେ ଯକୃତ ରୋଗରେ ଆକ୍ରାନ୍ତ ଥିଲେ। ତାଙ୍କ ମୃତ୍ୟୁ ଖବର ପ୍ରଘଟ ହେବା ପରେ ବିଭିନ୍ନ ମହଲରେ ଶୋକପ୍ରକାଶ କରାଯିବା ସହ ସ୍ୱର୍ଗତ ଆତ୍ମାର ସଦଗତି କାମନା କରିଛନ୍ତି।

ସ୍ୱର୍ଗତ ପଢ଼ିଆରୀ ବାଲେଶ୍ୱର ନେସ୍କୋ ୟୁଟିଲିଟି ଅଧୀନରେ ଦୀର୍ଘବର୍ଷ ଜଣେ ବରିଷ୍ଠ କିରାଣୀ ରହି ଅବସର ନେଇଥିଲେ। ପରେ ସେ ବାଲେଶ୍ୱର ଶକ୍ତି କର୍ମଚାରୀ ସଂଘର ସାଧାରଣ ସମ୍ପାଦକ ତଥା ଭାରତୀୟ ମଜଦୁର ସଂଘ ଅନୁବନ୍ଧିତ ଅଖିଳ ଭାରତ ବିଦ୍ୟୁତ ମହାସଂଘର ରାଜ୍ୟ ସମ୍ପାଦକ ଥିଲେ। ନେସ୍କୋ ଅଧୀନରେ କାର୍ଯ୍ୟରତ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦୁଝର ଓ ମୟୁରଭଞ୍ଜର ଶ୍ରମିକମାନଙ୍କ ହକ ପାଇଁ ବିଭିନ୍ନ ପ୍ରସଙ୍ଗରେ ଆନ୍ଦୋଳନ ଜାରି ରଖିଥିଲେ।

ତାଙ୍କ ମୃତ୍ୟୁଶଯ୍ୟା ନିକଟରେ ପତ୍ନୀ ଲକ୍ଷ୍ମୀରାଣୀ, ପୁତ୍ର ସୋମନାଥ, ପୁତ୍ରବଧୂ ବିଷ୍ଣୁପ୍ରିୟା, ଦୁଇ କନ୍ୟା ରୀନା, ଝୁନୁ ଓ ଜ୍ୱାଇଁ ଭାଗବତ ଉପସ୍ଥିତ ଥିଲେ। ଅନ୍ୟପକ୍ଷରେ ପୂର୍ବତନ ବିଧାୟକ ତଥା ସଂଘର ସଭାପତି ଗୋବିନ୍ଦ ଚନ୍ଦ୍ର ଦାସ, କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀଙ୍କ ପ୍ରତିନିଧି ତଥା ବିଜେପି ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ର, ହରିଶ ଦାସ, ଶୁଶାନ୍ତ ପ୍ରଧାନ, ମହେଶ୍ୱର ପ୍ରଧାନ, ତନୟ ପଢ଼ିଆରୀ, ସୁରେଶ ଚନ୍ଦ୍ର ବେହେରା, ନିମାଇଁ ରାଉତରାୟ, ତରାକାନ୍ତ ପଟ୍ଟନାୟକଙ୍କ ସମେତ ବିଭିନ୍ନ ମହଲ ଓ ନେସ୍କୋ ୟୁଟିଲିଟିର ଉଚ୍ଚ ଅଧିକାରୀମାନେ ସ୍ୱର୍ଗତ ପଢ଼ିଆରୀଙ୍କ ବାସଭବନ ଯାଇ ତାଙ୍କ ଅନ୍ତିମ ଦର୍ଶନ କରିଥିଲେ। ସଂଘ କାର୍ଯ୍ୟାଳୟ ଓ ସ୍ଥାନୀୟ ଅଂଚଳରେ ତାଙ୍କ ଶବକୁ ନିଆଯାଇ ଗାଁ ମଶାଣିରେ ଶେଷକୃତ୍ୟ କରାଯିବ ବୋଲି ସୂଚନା ମିଳିଛି।

ସମ୍ବନ୍ଧିତ ଖବର