ଭଞ୍ଜନଗର(ବିଶ୍ବମ୍ବର ଜେନା): ବଦଳୁଛି ଯୁଗ। ତା’ ସାଙ୍ଗକୁ ବଦଳୁଛି ଜୀବନଶୈଳୀ। ପାରମ୍ପରିକ କୌଳିକ ବୃତ୍ତି ଛାଡ଼ି ସମସ୍ତେ ଏବେ ପାଶ୍ଚାତ୍ୟ ଢାଞ୍ଚା ଆପଣାଇବାକୁ ପସନ୍ଦ କରୁଛନ୍ତି। ଏହିକ୍ରମରେ ପ୍ଲାଷ୍ଟିକ୍ରେ ପ୍ରସ୍ତୁତ ବିଭିନ୍ନ ନିତ୍ୟବ୍ୟବହାର୍ଯ୍ୟ ଘରକରଣା ସାମଗ୍ରୀ ଜୀବନର ଅବିଚ୍ଛେଦ୍ୟ ଅଙ୍ଗ ପାଲଟିଛି। ଏଥିପାଇଁ ମାଟି, ବାଉଁଶ ଓ ପିତଳ ଭଳି ଅନ୍ୟାନ୍ୟ ପାରମ୍ପରିକ ସାମଗ୍ରୀର ଚାହିଦା କମିବାରେ ଲାଗିଛି। ଅନେକେ ପାରମ୍ପରିକ କୌଳିକ ବୃତ୍ତି ଛାଡ଼ି ସାରିଛନ୍ତି। ତେବେ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ସହର ୫ ନମ୍ବର ୱାର୍ଡ଼ର ବାସିନ୍ଦା ଆର୍.ମାଙ୍ଗାମା ନିଜ ପାରମ୍ପରିକ କୌଳିକ ବୃତ୍ତିକୁ ନଛାଡ଼ି ଏହାକୁ ଅଭିନବ ଉପାୟରେ ତଥା ନୂଆ ଢଙ୍ଗରେ କାମରେ ଲଗାଇ ନିଜର ଏକ ସ୍ବତନ୍ତ୍ର ପରିଚିତି ସୃଷ୍ଟି କରିବା ସହ ରୋଜଗାରକ୍ଷମ ହୋଇ ପାରିଛନ୍ତି। ବାଉଁଶପାତିଆରେ ପାରମ୍ପରିକ କୁଣ୍ଢି, ଚାଙ୍ଗୁଡ଼ି, ତାଟ, ଚାଞ୍ଚ, କୁଲା ଓ ପାଛିଆ ବଦଳରେ ଘର ସାଜସଜ୍ଜା ସାମଗ୍ରୀ ପ୍ରସ୍ତୁତ କରି ନିଜେ ସ୍ବାବଲମ୍ବୀ ହୋଇ ଅନ୍ୟମାନଙ୍କୁ ଏଥିରେ ସାମିଲ କରିଛନ୍ତି। ସେହିପରି ବେତରେ ବି ଘରକରଣା ସାମଗ୍ରୀ ପ୍ରସ୍ତୁତ କରି ଆସୁଛନ୍ତି।
ମାଙ୍ଗାମା ତାଙ୍କ ପରିବାର ସହ ମିଶି ଆଗରୁ ବାଉଁଶରେ ବିଭିନ୍ନ ସାମଗ୍ରୀ ପ୍ରସ୍ତୁତ କରୁଥିଲେ। ଯାହାକି ପ୍ରତିପୋଷଣର ଏକମାତ୍ର ମାଧ୍ୟମ ପାଲଟିଥିଲା। କିନ୍ତୁ ବାଉଁଶ ତିଆରି ସାମଗ୍ରୀର ଚାହିଦା ଧୀରେ ଧୀରେ କମିବା ବେଳେ କେବଳ ପୂଜାପାର୍ବଣ ଋତୁରେ ବ୍ୟବସାୟ ହେଉଥିଲା। କିନ୍ତୁ ମହରଗ ଯୁଗରେ ପାରମ୍ପରିକ କୌଳିକ ବୃତ୍ତିକୁ ଜାବୁଡ଼ି ଧରି ପରିବାର ଚଳାଇବା କଷ୍ଟସାଧ୍ୟ ହେବାରୁ କିଛି ଗୋଟିଏ ନୂଆ କରିବା ଲାଗି ମାଙ୍ଗାମା ମାନସିକସ୍ତରରେ ପ୍ରସ୍ତୁତି ଆରମ୍ଭ କରିଥିଲେ। ପ୍ଲାଷ୍ଟିକ୍ ସାମଗ୍ରୀର ଚାହିଦା ବଢ଼ୁଥିବାରୁ ମାଙ୍ଗାମା ଏହାର ବିକଳ୍ପ ଚିନ୍ତା କରିଥିଲେ। ସୋନପୁର ଜିଲ୍ଲାକୁ ଯାଇ ବେତରେ ଚେୟାର୍ ଓ ଟେବୁଲ୍ ସମେତ ବିଭିନ୍ନ ଘରକରଣା ସାମଗ୍ରୀ ପ୍ରସ୍ତୁତି କରିବା ତାଲିମ ଗ୍ରହଣ କରିଥିଲେ। ଏଥିସହ ଥରେ ଗୋଟିଏ ମେଳାରେ ବାଉଁଶପାତିଆରେ ଘର ସାଜସଜ୍ଜା ସାମଗ୍ରୀ ଦେଖି ତା’କୁ ପ୍ରସ୍ତୁତ କରିବାକୁ ମନ ବଳାଇଥିଲେ।
ନିଜେ ସାଇବାବା ଏସ୍ଏସ୍ଜି ଗଠନ କରି ଅନ୍ୟମାନଙ୍କୁ ମଧ୍ୟ ଏଥିପାଇଁ ଉତ୍ସାହିତ କରିଥିଲେ। ଭୁବନେଶ୍ବର ଯାଇ ବାଉଁଶପାତିଆରୁ ଜିନିଷ ପ୍ରସ୍ତୁତି ସଂପର୍କରେ ପୁଣି ତାଲିମ ନେଇଥିଲେ। ବର୍ତ୍ତମାନ ମାଙ୍ଗାମା ବାଉଁଶପାତିଆରେ ବିଭିନ୍ନ ଦେବଦେବୀଙ୍କ ମୂର୍ତ୍ତି ଠାରୁ ଆରମ୍ଭ କରି ୱାଲ୍ଷ୍ଟାଣ୍ଡ୍, ପେନ୍ଷ୍ଟାଣ୍ଡ୍, ବେଡ୍ ଲାଇଟ୍, ଝୁମର, ଲେଟର ବକ୍ସ୍ ଟ୍ରେ, ମାଣ୍ଡଣା, କୁଣ୍ଡ ଓ ଫୁଲଦାନୀ ଭଳି ବହୁ ସାମଗ୍ରୀ ପ୍ରସ୍ତୁତ କରି ନିଜେ ରୋଜଗାରକ୍ଷମ ହୋଇଛନ୍ତି। ଗୋଟିଏ ବାଉଁଶକୁ ୩୫ ଟଙ୍କାରେ କିଣିବାକୁ ପଡ଼ୁଛି। ମାସକୁ ୫ରୁ ୬ହଜାର ଟଙ୍କାର ସାମଗ୍ରୀ ତିଆରି କରୁଥିବା ମାଙ୍ଗାମା କହିଛନ୍ତି। ଅନେକ ମେଳାକୁ ନେଇ ସମସ୍ତ ସାମଗ୍ରୀ ବିକ୍ରି କରିଛନ୍ତି। ଏଥିପାଇଁ ତାଙ୍କ ଗ୍ରୁପ୍ ସହ ମିଶି ୫ ଥର ବିଭିନ୍ନ ବ୍ୟାଙ୍କରୁ ଋଣ ଆଣି ପରିଶୋଧ କରିସାରିଲେଣି। କିନ୍ତୁ ଏସମସ୍ତ ସାମଗ୍ରୀ ବିକ୍ରି କରିବା ଲାଗି ଉଚିତ୍ ବଜାର ମିଳିବାରେ ସମସ୍ୟା ହେଉଥିବା ମାଙ୍ଗାମା କହିଛନ୍ତି। ସ୍ବାମୀ ଆର୍.ରବି ପାରମ୍ପରିକ ଜିନିଷ ପ୍ରସ୍ତୁତ କରୁଥିବା ବେଳେ ଗୋଟିଏ ଦିବ୍ୟାଙ୍ଗ ପୁଅ ଅଛି। ସୁଯୋଗ ମିଳିଲେ, ସେ ଆଗାମୀ ପିଢ଼ିକୁ ଏଥିପାଇଁ ତାଲିମ ପ୍ରଦାନ କରିବେ ବୋଲି ମାଙ୍ଗାମା କହନ୍ତି।