କରୋନା ଦୁଃଖ ଠାରୁ ବଳି ପଡ଼ୁଛି ରାସ୍ତା ଜାମ

କୋଇଡା: ଖଣି ଖାଦାନ ଭରା କୋଇଡା ଅଞ୍ଚଳରେ ରାସ୍ତା ଜାମ କିଛି ନୂଆ କଥା ନୁହେଁ । ଏହି ଅଞ୍ଚଳର ରାଜରାସ୍ତାରେ ପ୍ରତ୍ୟେକ ଦିନ କେଉଁଠି ନା କେଉଁଠି ରାସ୍ତା ଜାମ ସମସ୍ୟା ସମ୍ନାକୁ ଆସିଥାଏ । ଏମିତିକି ଅତୀତରେ ରାସ୍ତା ଜାମ ହେତୁ ରୋଗୀର ମୃତ୍ୟୁ ହେବା ସହିତ ଉଚ୍ଚ ପଦସ୍ଥ ଅଧିକାରୀ ଘଣ୍ଟା ଘଣ୍ଟା ଧରି ଫସି ରହିବା ସହିତ ଉପାୟ ନପାଇ ଫେରିଯିବା ଘଟଣାର ଇତିହାସ ମୂକସାକ୍ଷୀ ରହିଛି ।

କୋଇଡାବାସୀ ଯେମିତି ଅଘୋଷିତ କର୍ଫ୍ୟୁ ଲାଗିଲା ପରି ଦୈନଦିନ ଜୀବନ ଅତିବାହିତ କରୁଛନ୍ତି । ରାତି ପାହିଲେ ଖଣିଜ ପରିବହନ ପାଇଁ ରାଜ୍ୟ ଏବଂ ଜିଲ୍ଲା ବାହାରୁ ଛୁଟି ଆସନ୍ତି ହଜାର ହଜାର ମାଲବାହୀ ଟ୍ରକ । ଏପଟେ ବହୁ ଖଣି ବନ୍ଦ ହେବା ଫଳରେ ଯେଉଁ ଖଣି ଚାଲିଛି ସେଥିରୁ ଖଣିଜ ପରିବହନ ପାଇଁ ଟ୍ରକ ଟିପର ରାସ୍ତା ପାର୍କିଙ୍ଗ କରି ରାସ୍ତାର ଭିଡ ସୃଷ୍ଟି କରୁଛନ୍ତି ।
ହଜାର ହଜାର ଲୌହ ପଥର ବୋଝେଇ ଟ୍ରକ ସମେତ ଚାରିଚକିଆ, ବାଇକ, ଆମ୍ବୁଲାନ୍ସ ଘଣ୍ଟା ଘଣ୍ଟା ଧରି ଜାମରେ ଫସି ରହୁଛି । ରାସ୍ତାରେ ପାର୍କିଙ୍ଗ ସହିତ ଭୁଲ୍ ପାର୍ଶ୍ଵରେ ଡବଲ ଲାଇନ ପାର୍କିଙ୍ଗ ଓ ତା’ ସାଙ୍ଗକୁ ଶହ ଶହ ଟ୍ରକ ତେଲ ଟାଙ୍କିରେ ତେଲ ଭରିବା ପାଇଁ ଲମ୍ବା ଲାଇନ୍ ଜାମର ମୁଖ୍ୟ କାରଣ ପାଲଟିଛି ।

ସ୍ଥାନୀୟ ପୁଲିସ ଓ ସ୍ୱେଚ୍ଛାସେବୀମାନେ ଘଟଣାସ୍ଥଳରେ ପହଞ୍ଚି ବହୁଥର ଜାମ ହଟେଇବା ପାଇଁ ଭରପୁର ଚେଷ୍ଟା ଜାରି ରଖିଥିଲେ ହେଁ ଗଲା ପରେ ଯଥା ପୂର୍ବଂ ତଥା ପରଂ। ଗୋଟିଏ ପଟେ କୋଇଡା- କାଲଟା ଜାତୀୟ ରାଜପଥ ରାସ୍ତାର ଅବସ୍ଥା ଅତି ଶୋଚନୀୟ ଥିବା ବେଳେ ପ୍ରାୟ ଗାଡିଗୁଡିକ କୋଇଡା- ଟେନସା – କଲେଇପୋଷ ରାସ୍ତା ଉପରେ ନିର୍ଭର କରିଥାନ୍ତି । ବର୍ତ୍ତମାନ ପାରାଦ୍ଵୀପ, ଗୋପାଳପୁର ଓ ଭାଇଜାଗ, ରାୟପୁରକୁ ବହୁ ମାତ୍ରାରେ ଲୌହ ପରିବହନ ହେଉଥିବାରୁ ସମସ୍ତ ଗାଡିର ପଥ ଭଦ୍ରାସାହି ବିଲେଇପଦା – କେନ୍ଦୁଝର ହୋଇଥିବା ବେଳେ ରାସ୍ତା ଜାମ ଓ ଟୋଲ ବଞ୍ଚାଇବ ପାଇଁ ଟ୍ରକଗୁଡିକ କୋଇଡା- ଟେନସା ରାସ୍ତାକୁ ଆପଣାଇଛନ୍ତି । ହେଲେ ଘାଟି ରାସ୍ତା ତ୍ରୁଟିପୂର୍ଣ୍ଣ ହୋଇଥିବାରୁ ଗାଡି ଚଢି ନ ପାରି ସବୁବେଳେ ବ୍ରେକଡାଉନ୍ ହେଉ ଅଛି ଓ ଫଳସ୍ଵରୂପ ରାସ୍ତାରେ ଭିଡ ଜମି ଯାଉଛି।

ତଥାପି ସବୁ ବିଭାଗ ଚୁପ୍ ! ପ୍ରତ୍ୟେକ ଦିନ କୋଇଡାରୁ ରାଜଧାନୀ ପାଇଁ ଚାଲୁଥିବା ରାତ୍ରୀ ବସ୍ ସକାଳୁ ପହଞ୍ଚିବା ପରିବର୍ତ୍ତେ ଅପରାହ୍ନରେ ପହଞ୍ଚୁଛି । ତୁରନ୍ତ ଜିଲ୍ଲା ପ୍ରଶାସନ ଏ ରାସ୍ତାର ଜାମ ସମସ୍ୟା ଦୂର ନକଲେ ପୁନର୍ବାର ଆମ୍ବୁଲାନ୍ସ ଅଟକି ରହି ଅତୀତର ରୋଗୀ ମୃତ୍ୟୁ ଘଟଣା ପୁନରାବୃତ୍ତି ସହ ସ୍ଥିତି ଅସମ୍ଭାଳ ହେବ ବୋଲି ବୁଦ୍ଧିଜୀବିମାନେ ମତ ଦେଇଛନ୍ତି ।

ସମ୍ବନ୍ଧିତ ଖବର