ଅମ୍ଲାଭଟ୍ଟା-ଥେରୁବାଲି ରାସ୍ତାରେ ଟ୍ରାଫିକ୍ ବ୍ୟବସ୍ଥା ବିପର୍ଯ୍ୟସ୍ତ: ଅଧା ଘଣ୍ଟା ଫସିଲା ଆମ୍ବୁଲାନସ୍, ରୋଗୀ କଲବଲ 

ରାୟଗଡ଼ା: ବିପର୍ଯ୍ୟସ୍ତ ଟ୍ରାଫିକ୍ ବ୍ୟବସ୍ଥା ଯୋଗୁ ୫ ନଂ ରାଜ୍ୟ ରାଜପଥରେ ଗାଡ଼ି ଚଳାଚଳ ବ୍ୟାହତ ହୋଇଛି। ମାଲବାହୀ ଟ୍ରକର ଲମ୍ବା ଲାଇନ୍, ମରାମତି ଅଭାବରୁ ରାସ୍ତାର ବିଭିନ୍ନ ସ୍ଥାନରେ ସୃଷ୍ଟି ହୋଇଥିବା ବିରାଟ ଗର୍ତ୍ତ ଟ୍ରାଫିକ୍ ସମସ୍ୟାକୁ ଦ୍ବିଗୁଣିତ କରିଛି। ଫଳରେ ଆଜି ମୁନିଗୁଡାରୁ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ରୋଗୀ ନେଇ ଆସୁଥିବା ଆମ୍ବୁଲାନସ୍ ରାସ୍ତାରେ ଅଧା ଘଣ୍ଟା ଧରି ଫସି ରହିଥିଲା। ଆମ୍ବୁଲାନସ୍ ଭିତରେ ରୋଗୀ ଯନ୍ତ୍ରଣାରେ ଛଟପଟ ହେଉଥିଲେ ମଧ୍ୟ ବିକଳ୍ପ ବ୍ୟବସ୍ଥା ନଥିବାରୁ ଡ୍ରାଇଭର ଆମ୍ବୁଲାନସକୁ ଅଟକାଇ ରଖିଥିଲେ। ବିଳମ୍ବରେ ଟ୍ରକ୍ ଗୁଡ଼ିକ ରାସ୍ତାରୁ ହଟିବା ପରେ ଆମ୍ବୁଲାନସ୍ ଦେଢ଼ ଘଣ୍ଟା ବିଳମ୍ବରେ ମେଡ଼ିକାଲରେ ପହଞ୍ଚିଥିଲା।

ମୁନିଗୁଡାର ୫୨ ବର୍ଷିୟ ରାମ ବାଗ ଗତ ୫ ଦିନ ହେଲା ଜ୍ବର, ଉଚ୍ଚ ରକ୍ତଚାପ, କାଶ ଓ ଛାତି ଯନ୍ତ୍ରଣାରେ ପୀଡ଼ିତ ଥିଲେ। ଆଜି ସକାଳେ ମୁନିଗୁଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ଆସିବା ପରେ ଡାକ୍ତର ଆଶିଷ କୁମାର ପଣ୍ଡା ଅଧିକ ଚିକିତ୍ସା ପାଇଁ ରାମଙ୍କୁ ରାୟଗଡ଼ା ମେଡ଼ିକାଲକୁ ସ୍ଥାନାନ୍ତର କରିଥିଲେ। ୧୦୮ ଆମ୍ବୁଲାନସ ଯୋଗେ ରାମ ନିଜ ପରିବାର ଲୋକଙ୍କ ସହ ସକାଳ ସାଢ଼େ ୧୦ଟାରେ ରାୟଗଡ଼ା ଅଭିମୁଖେ ବାହାରିଥିଲେ। ଆମ୍ବୁଲାନସରେ ଇଏମଟି ଶିବ କୁମାର ବାଉରୀଙ୍କ ସହ ଆଟେଣ୍ଡାଣ୍ଟ୍ ଜି‌ତେନ୍ଦ୍ର ବିଷୋୟୀ ଆସିଥିଲେ। ଚାଟିକଣାରୁ ଥେରୁବାଲି ପର୍ଯ୍ୟନ୍ତ ରାସ୍ତା ଅତ୍ୟନ୍ତ ଖରାପ ଯୋଗୁ ଆମ୍ବୁଲାନସ୍ ଧୀରେ ଧୀରେ ଆସି ଥେରୁବାଲିରେ ସାଢ଼େ ୧୨ଟାରେ ପହଞ୍ଚିଥିଲା। ବହୁ କଷ୍ଟରେ ଡ୍ରାଇଭର ମନୋରଂଜନ କର ଆମ୍ବୁଲାନସକୁ ଥେରୁବାଲି ପର୍ଯ୍ୟନ୍ତ ଆଣିଥିଲେ। କିନ୍ତୁ ଥେରୁବାଲିରୁ ଅମ୍ଲାଭଟ୍ଟା ପର୍ଯ୍ୟନ୍ତ ରାସ୍ତାର ଉଭୟ ପାର୍ଶ୍ବରେ ଶହ ଶହ ଟ୍ରକ୍ ଫସି ରହିଥିବାରୁ ଆମ୍ବୁଲାନସ୍ ଆଗକୁ ବଢ଼ି ପାରିନଥିଲା।

ଛାତି ଯନ୍ତ୍ରଣା ଓ ପ୍ରବଳ କାଶ ଯୋଗୁ ରୋଗୀ ରାମ ବାଗ ଯନ୍ତ୍ରଣାରେ ଛଟପଟ ହେଉଥିଲେ ମଧ୍ୟ ଟ୍ରାଫିକ୍ ଜାମରେ ଫସିଥିବା ଟ୍ରକ୍ ଗୁଡ଼ିକ ଆଗକୁ ବଢ଼ୁନଥିବାରୁ ଆମ୍ବୁଲାନସ୍ ଆଗକୁ ବଢ଼ି ପାରିନଥିଲା। ଡ୍ରାଇଭର ମନୋରଂଜନ ବହୁ ଚେଷ୍ଟା କରି ବିଫଳ ହେବା ପରେ ଶେଷରେ ଆମ୍ବୁଲାନସ୍ ଷ୍ଟାର୍ଟ ବନ୍ଦ କରି ଦେଇଥିଲେ। ସ୍ଥାନୀୟ ଯୁବକମାନେ ଏ ସଂପର୍କରେ ପୁଲିସ୍, ପ୍ରଶାସନକୁ ଖବର ଦେବା ପରେ ପ୍ରାୟ ୩୦ ମିନିଟ ପରେ ଭିଡ଼ ଭିତରୁ ଆମ୍ବୁଲାନସ ଆଗକୁ ବଢ଼ିଥିଲା। ମଧ୍ୟାହଣ୍ ୧ଟା ୫୦ ମିନିଟରେ ରାୟଗଡ଼ା ମେଡ଼ିକାଲରେ ଆମ୍ବୁଲାନସ୍ ପହଞ୍ଚିଥିଲା। ମୁନିଗୁଡାରୁ ରାୟଗଡ଼ାର ଦୂରତା ୬୦ କିମି ହୋଇଥିବା ବେଳେ ସକାଳ ସାଢ଼େ ୧୦ଟାରୁ ବାହାରିଥିବା ଆମ୍ବୁଲାନସ୍ ୩ ଘଣ୍ଟା ୨୦ ମିନିଟ୍ ପରେ ମେଡ଼ିକାଲରେ ପହଞ୍ଚିଥିଲା। ଯାହା ରୋଗୀଙ୍କ ସମେତ ରୋଗୀ ସଂପର୍କୀୟଙ୍କ ଚିନ୍ତା ବଢ଼ାଇ ଦେଇଥିଲା। ‌ସେହିପରି ରୋଗୀଙ୍କୁ ଛାଡ଼ି ଫେରିବା ସମୟରେ ମଧ୍ୟ ଟ୍ରାଫିକ୍ ସମସ୍ୟ‌ା ଲାଗି ରହିଥିବାରୁ ଆମ୍ବୁଲାନସ୍ କୋଲନରା-ବଡ଼ଖିଲାପଦର-କୁମ୍ଭାରଢ଼ାମୁଣି ହୋଇ ଫେରିଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର