କୋରାପୁଟ: ମେନ୍‌ରୋଡରୁ ଟ୍ରାଫିକ ହଟିବ। ପାର୍କିଂ ବ୍ୟବସ୍ଥା ନ ଥିଲେ ବ୍ୟାଙ୍କ ଖୋଲିବାକୁ ଅନୁମତି ମିଳିବନି। ହୋଟେଲ କରିବାକୁ ହେଲେ ଆଗେ ପାର୍କିଂ ସ୍ଥାନ ଚିହ୍ନଟ କରିବାକୁ ପଡିବ। ଭାରୀଯାନ ନିୟନ୍ତ୍ରଣ କରିବାକୁ ନାନା କଟକଣା ଜାରି ହେବ। ଏମିତି ଟାଣ କଥା କହି କୋରାପୁଟରୁ ଟ୍ରାଫିକ ସମସ୍ୟାର ସମାଧାନ କରିବାକୁ ବାହାସ୍ଫୋଟ ମାରିଥିଲା ପୁଲିସ ଓ ପ୍ରଶାସନ। ହେଲେ ଦିନ କେଇଟା ନ ଯାଉଣୁ ପ୍ରଶାସନର ପାରିବା ପଣିଆ ଉପରେ ପ୍ରଶ୍ନ ଚିହ୍ନ ଲାଗିଛି। ଏବେ ବି ବିନା ପାର୍କିଂ ବ୍ୟବସ୍ଥାରେ ଅଧା ଡଜନ ବ୍ୟାଙ୍କ ଛିଡା ହୋଇ ହୋଇଥିଲାବେଳେ ମାଳ ମାଳ ହୋଟେଲ ଖୋଲିଛି। ଏପଟେ ବିପର୍ଯ୍ୟସ୍ତ ଟ୍ରାଫିକ ସମସ୍ୟାରେ ସନ୍ତୁଳି ହୋଇ ଲୋକେ ତ୍ରାହି ତ୍ରାହି ଡାକୁଛନ୍ତି। କୋରାପୁଟ ସହର ଦେଇ ଯାଇଛି ୨୬ ନମ୍ବର ଜାତୀୟ ରାଜପଥ। ଏହି ରାଜପଥ ଅଧିକାଂଶ ସମୟରେ ଜାମ ରହୁଛି। ରାସ୍ତା କଡରେ ଦୋକାନ ବଜାର ଥିବାରୁ ଏମିତି ଜାମ ହେଉଛି। ଏପଟେ ଏହି ଜନଗହଳି ରାସ୍ତା କଡରେ ବ୍ୟାଙ୍କ ଓ ହୋଟେଲ ଖୋଲି ଦିଆଯିବା ପରେ ସ୍ଥିତି ବିଗିଡି ଯାଇଛି। ଜାତୀୟ ରାଜପଥ କଡରେ ବହୁ ଜାତୀୟକରଣ ବ୍ୟାଙ୍କ ରହିଥିଲାବେଳେ ଏକାଧିକ ଘରୋଇ ବ୍ୟାଙ୍କ ରହିଛି। ବ୍ୟାଙ୍କକୁ ଦୈନିକ ଶହ ଶହ ଲୋକ ଆସୁଛନ୍ତି। ସେମାନେ ବାଇକ ଓ କାର ନେଇ ବ୍ୟାଙ୍କକୁ ଆସୁଥିଲାବେଳେ ଗ୍ରାମାଞ୍ଚଳରୁ ଆସୁଥିବା ଲୋକମାନେ ଅଟୋରେ ଆସୁଛନ୍ତି। ବ୍ୟାଙ୍କକୁ ଆସୁଥିବା ଏହି ଲୋକମାନେ ରାସ୍ତା କଡରେ ଗାଡି ରଖି ଦେଉଛନ୍ତି। କାମ ସରିଲେ ଯାଇ ଫେରୁଛନ୍ତି। ଘଣ୍ଟା ଘଣ୍ଟା ଧରି ବ୍ୟାଙ୍କ ଆଗରେ ଗାଡି ରଖିବା ଦ୍ବାରା ସାଂଘାତିକ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି।

Advertisment

ବିଶେଷକରି ମେନ ରୋଡରେ ଥିବା ବ୍ୟାଙ୍କ ଆଗରେ ଅଧିକ ଜାମ ରହୁଛି। ପୁଣି ରାସ୍ତା କଡରେ ଥିବା ଏଟିଏମ କାଉଣ୍ଟର ଗୁଡିକରେ ଭିଡ ହେବା କାରଣରୁ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି। ବିପର୍ଯ୍ୟସ୍ତ ଟ୍ରାଫିକରେ ଆକ୍ତାମାକ୍ତା ହୋଇ ପଡିଥିବା କୋରାପୁଟବାସୀଙ୍କୁ ଭାଗ୍ୟ ଓ ଭଗବାନ ଭରସାରେ ଗାଡି ନେଇ ସେମାନଙ୍କୁ ଘର ବାହାରିବାକୁ ପଡୁଛି। କୋରାପୁଟ ସହରରେ ଜନଗହଳି ପୂର୍ଣ୍ଣ ସ୍ଥାନଗୁଡିକରେ ବ୍ୟାଙ୍କ ଓ ହୋଟେଲ ରହିଥିଲାବେଳେ ଅଧିକାଂଶ ସ୍ଥାନରେ ପାର୍କିଂ ବ୍ୟବସ୍ଥା ନାହିଁ। ପାର୍କିଂ ବ୍ୟବସ୍ଥା କରିବାକୁ ପୂର୍ବରୁ ସେମାନଙ୍କୁ ସରକାରୀ ନିର୍ଦ୍ଦେଶ ଦିଆଯାଇଥିଲା। ଏପରିକି ପାର୍କିଂ ବ୍ୟବସ୍ଥା ନ ରହିଲେ ଅନୁମତି ଦିଆଯିବନାହିଁ ବୋଲି କୁହାଗଲା। କିନ୍ତୁ ପରେ ସବୁ କିଛି ଭୂଲିଗଲା ପ୍ରଶାସନ। ପୁଲିସ ବି କିଛି ପଦକ୍ଷେପ ନେଲାନି। ଏହାର ସୁଯୋଗ ନେଇ ବ୍ୟାଙ୍କ ଓ ହୋଟେଲ କର୍ତ୍ତୃପକ୍ଷ ଗାଲେଇ ଚାଲିଛନ୍ତି। ଆଇନକୁ ଆଖିଠାର ମାରି ସର୍ବସାଧାରଣ ରାସ୍ତାକୁ ପାର୍କିଂ ଜୋନରେ ପରିଣତ କରି ଦେଇଛନ୍ତି। ଆଉ ଏହାର ସିଧାସଳଖ ନକରାତ୍ମକ ପ୍ରଭାବ ପଡିଛି ସାଧାରଣ ଜୀବନ ଉପରେ। ବ୍ୟାଙ୍କ କିମ୍ବା ହୋଟେଲ ସାମନା ଦେଇ ଯିବାକୁ ହେଲେ ଲୋକଙ୍କୁ ସଂଗ୍ରାମ କରିବାକୁ ପଡୁଛି। ଏପରିକି ଥରେ ଥରେ ମେନ ରୋଡ ପାର ହେବା ପାଇଁ ଘଣ୍ଟାଏ ଲାଗି ଯାଉଛି। ଖାଲି ଏତିକି ନୁହେଁ, ମଧ୍ୟାହ୍ନ ସମୟରେ ହୋଟେଲ ସମ୍ମୁଖ‌ରେ ମେଳା ପରି ଗହଳି ହେଉଥିବାରୁ ଦୁଇ ଚକିଆ ଗାଡି ଯିବା ବି ସମ୍ଭବ ହେଉନି।

ବ୍ୟାଙ୍କ ଓ ହୋଟେଲଗୁଡିକ ରାସ୍ତାକୁ ପାର୍କିଂ ଜୋନ ଭାବେ ବ୍ୟବହାର କରୁଥିଲାବେଳେ ଗାଡିଗୁଡିକୁ ଠିକ ଭା‌ବେ ପାର୍କିଂ କରିବାକୁ ମଧ୍ୟ କୌଣସି ବ୍ୟବସ୍ଥା କରୁ ନାହାନ୍ତି। ବ୍ୟବସ୍ଥିତ ତଥା ଶୃଙ୍ଖଳିତ ପାର୍କିଂ କରିବାକୁ କହିବା ପାଇଁ କେହି ନ ଥିବାରୁ ଗ୍ରାହକମାନେ ମନଇଛା ଗାଡି ରଖୁଛନ୍ତି। ଏଣେତେଣେ ଗାଡି ରଖାଯିବା ଫଳରେ ସ୍ଥିତି ଅଧିକ ବିଗିଡି ଯାଉଛି। ପୁଣି ମେନରୋଡରେ ଭାରୀଯାନ ଚଳାଚଳ ନେଇ କରାଯାଇଥିବା କଟକଣାକୁ କେହି ମାନୁ ନ‌ାହାନ୍ତି। ଯେତେବେଳେ ସୁବିଧା ହେଲେ ବ୍ୟବସାୟୀମାନେ ଗାଡି ରଖି ଜିନିଷପତ୍ର ନେବା ଆଣିବା କରୁଛନ୍ତି। ରାସ୍ତାରେ ଏକପାଖିଆ ଗାଡି ରହିଯିବା ଫଳରେ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି। ଏଥିନେଇ ବରିଷ୍ଠ ଆଇନଜୀବୀ ବିଦ୍ୟାଧର ସାହୁ କହିଛନ୍ତି ଯେ, ମୁଖ୍ୟ ରାସ୍ତା କଡରେ ବ୍ୟାଙ୍କ ଓ ହୋଟେଲ ଖୋଲିବା ପୂର୍ବରୁ ପର୍ଯ୍ୟାପ୍ତ ପାର୍କିଂ ବ୍ୟବସ୍ଥା କରିବା ଉଚିତ। ଯେଉଁମାନେ କରୁ ନାହାନ୍ତି ସେମାନଙ୍କ ବିରୋଧରେ ପ୍ରଶାସନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦରକାର। ନ ହେଲେ କୋରାପୁଟବାସୀ ବହୁତ ହଇରାଣ ହେବେ।

ଏପରିକି ଏବେ ମଧ୍ୟ ବ୍ୟାଙ୍କ ଓ ହୋଟେଲ ସାମନାରେ ଆମ୍ବୁଲାନ୍ସ ଯିବାକୁ ଅସୁବିଧା ହେଉଛି। ରାସ୍ତାକୁ ପାର୍କିଂ ପାଇଁ ବ୍ୟବହାର କରାଯାଉଥିବାରୁ ପ୍ରଶସ୍ତୀକରଣର କିଛି ଲାଭ ମିଳୁନି। ପୁଲିସ ଓ ପ୍ରଶାସନ ଏଥିପ୍ରତି ଦୃଷ୍ଟି ନ ଦେଲେ ଜନ ଅସନ୍ତୋଷ ଆନ୍ଦୋଳନର ରୂପ ନେବ ବୋଲି ସେ କହିଛନ୍ତି। ଏନେଇ ଟାଉନ ଥାନା ଆଇଆଇସି ଧରେନ୍ କୁମାର ପଟ୍ଟନାୟକ କହିଛନ୍ତି ଯେ ମାନବସମ୍ଭଳ ଅଭାବ ମଧ୍ୟରେ ଟ୍ରାଫିକ ନିୟନ୍ତ୍ରଣ ହେଉଛି। କିଛି କିଛଇ ଆମାନିଆ ବ୍ୟବସାୟୀ ସରକାରୀ ନିୟମକୁ ମାନୁ ନାହାନ୍ତି। ଏଥିପାଇଁ ଚ୍ୟାମ୍ବର ଅଫ କମର୍ସ, ବ୍ୟାଙ୍କ ଓ ହୋଟେଲ ମାଲିକ ଙ୍କ ସହ ଏକ ବୈଠକହେବ। ଏହାପରେ ଟ୍ରାଫି ଓ ପାର୍କିଂ ପାଇଁ ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି କହିଛନ୍ତି।