କାଳିଆପାଣି: କାଳିଆପାଣି ଥାନା ଖଣି ଅଞ୍ଚଳ ଟମକା-ମଙ୍ଗଳପୁର ସଡ଼କର ଏଟିଏମ୍-ହାଟପଡ଼ିଆ ଛକରୁ କୋଇପଶି ପର୍ଯ୍ୟନ୍ତ ଆଜି ନାହିଁ ନଥିବା ରାସ୍ତାଜାମ୍ ହୋଇଥିଲା। ୧୦ ତାରିଖରୁ ୨୧ ତାରିଖ ପର୍ଯ୍ୟନ୍ତ ଗମନାଗମନ ପରିସ୍ଥିତିରେ ସୁଧାର ଆସିଥିଲେ ମଧ୍ୟ ଗତକାଲିଠାରୁ ପୁଣି ରାସ୍ତାଜାମ୍ ହୋଇଛି। ଆଜି ଅପରାହ୍ଣ ସାଢ଼େ ୩ଟାରୁ ଟାଟାଷ୍ଟିଲ୍ ମାଇନିଂ(ଟିଏସ୍ଏମ୍ଏଲ୍) ସୁକିନ୍ଦା ପାର୍କିଂୟାର୍ଡ ଏଣ୍ଟ୍ରିଗେଟ୍ ପାଖ ରାସ୍ତାରେ ଅସମ୍ଭବ ଟ୍ରକ୍ ଭିଡ଼ ଦେଖା ଯାଇଥିଲା। ଏହାର ପ୍ରଭାବ ଦକ୍ଷିଣ ଦିଗରେ ଏଟିଏମ୍ ଛକ ଓ ଉତ୍ତର ଦିଗରେ କାଳିଆପାଣି ହନୁମାନ ବଜାର ପର୍ଯ୍ୟନ୍ତ ପଡ଼ିଥିଲା। ସଡ଼କରେ ୩ ରୁ ୪ ଧାଡ଼ି ଧରି ମାଳମାଳ ଟ୍ରକ୍ ଦେଖାଯାଇଥିଲା। ସହଜରେ ସାଇକଲ୍ କିମ୍ବା ବାଇକ୍ ଗଳିବାକୁ ବାଟ ନଥିଲା। ଏତିକିବେଳେ ସ୍କୁଲ୍ ଛୁଟି ସମୟ ଥିବାରୁ ଟିସ୍କୋ କଲୋନିସ୍ଥିତ ଶ୍ରମଶକ୍ତି ସରକାରୀ ହାଇସ୍କୁଲ ଓ ଓଡ଼ିଶା ଖଣି ନିଗମ(ଓଏମ୍ସି) କାଳିଆପାଣି କଲୋନିସ୍ଥିତ କାଳିଆପାଣି ହାଇସ୍କୁଲରୁ ବସ୍ ଧରିଥିବା ପିଲାମାନେ ଦେଢ଼ରୁ ୩ ଘଣ୍ଟା ବିଳମ୍ବରେ ଘରେ ପହଞ୍ଚିଥିଲେ।
ଟିଏସ୍ଏମ୍ଏଲ୍ ପକ୍ଷରୁ କଅଁସ ଓ କାଳିଆପାଣି ପଞ୍ଚାୟତର ଛାତ୍ରଛାତ୍ରୀଙ୍କ ପାଇଁ ୩ଟା ୫୫ ମିନିଟ୍ରେ ଶ୍ରମଶକ୍ତି ହାଇସ୍କୁଲରୁ ୧୬ ଜଣ ଓ ଓଏମ୍ସି ଟାଉନସିପ ମେନ୍ ଗେଟ୍ରୁ ଆଉ କିଛି ଛାତ୍ରଛାତ୍ରୀଙ୍କୁ ନେଇ ବାହାରିଥିବା ବସ୍ କଅଁସରେ ପହଞ୍ଚିଲା ବେଳକୁ ସନ୍ଧ୍ୟା ୭ଟା ୧୫ ମିନିଟ୍ ବାଜି ଯାଇଥିଲା ବୋଲି ସଂପୃକ୍ତ ବସ୍ ଡ୍ରାଇଭର ରମାକାନ୍ତ ମହାନ୍ତ କହିଛନ୍ତି। ସେହିପରି ଓଏମ୍ସି କାଳିଆପାଣି ହାଇସ୍କୁଲରୁ ୪୦ ଜଣରୁ ଅଧିକ ପିଲାଙ୍କୁ ନେଇ କୋଇପଶି ଓ ସୁକ୍ରଙ୍ଗି ଗାଁକୁ ବାହାରିଥିବା ସ୍କୁଲ ବସ୍ ସନ୍ଧ୍ୟା ୫ଟା ୪୫ରେ ପହଞ୍ଚିଥିଲା ବୋଲି ଡ୍ରାଇଭର ଅଲେଖ ବିଶ୍ବାଳ କହିଥିଲେ। ଓଏମ୍ସି ହାଇସ୍କୁଲରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାଦାନ ହେଉଥିଲେ ହେଁ ମଧ୍ୟାହ୍ନଭୋଜନ ବ୍ୟବସ୍ଥା ନଥିବାରୁ ଭୋକରେ ଆଉଟୁପାଉଟୁ ହେଉଥିବା ପିଲାମାନଙ୍କ ଦୟନୀୟ ଅବସ୍ଥାକୁ ନେଇ ବହୁ ଅଭିଭାବକ ଚିନ୍ତିତ ହୋଇଥିଲେ।
ବାଟରେ ଏକାଧିକ ସ୍ଥାନରେ ଭିଡ଼ରେ ଫସିଥିବା ପିଲାଏ ବସ୍ରୁ ଓହ୍ଲାଇ ପ୍ରତିବାଦ କରୁଥିବା ଦେଖା ଯାଇଥିଲା। ଭିଡ଼ରେ ଫସିଥିବା ଡ୍ରାଇଭର ଫୋନ୍ ଉଠାଇବା ସ୍ଥିତିରେ ନଥିବାରୁ ଅଭିଭାବକଙ୍କ ଚିନ୍ତା ବଢ଼ିଥିଲା। ସେହିପରି ଏହି ସମୟରେ ବିଭିନ୍ନ କ୍ରିୟାଶୀଳ ଖଣିରେ ଡ୍ୟୁଟି ସାରି ଘର ଓ କ୍ବାର୍ଟର୍ସ ଫେରୁଥିବା ଶ୍ରମିକ, କର୍ମଚାରୀ ଓ ଅଧିକାରୀ ଭିଡ଼ରେ ଫସି ରହି ହିନସ୍ତା ହୋଇଥିଲେ। ଥାନା ଅଧିକାରୀ ସୁଶାନ୍ତ କୁମାର ଦାସ ସଦଳବଳ ଟିଏସ୍ଏମ୍ଏଲ୍ ଏଣ୍ଟ୍ରି ଗେଟ୍ ପାଖରେ ଟ୍ରାଫିକ୍ ନିୟନ୍ତ୍ରଣ କରିବାକୁ ଯାଇ ନାକେଦମ୍ ହୋଇଥିଲେ। ବେଆଇନ ଭାବେ ସଡ଼କ ଅବରୋଧ କରିଥିବା ୩୫ ଗୋଟି ଟ୍ରକ୍ କଳା ତାଲିକାଭୁକ୍ତ କରାଯାଇଛି। ଏହି ଟ୍ରକ୍ଗୁଡ଼ିକୁ ୧୫ ଦିନ ପର୍ଯ୍ୟନ୍ତ ଖଣିଅଞ୍ଚଳର କୌଣସି ଖଣିରୁ କ୍ରୋମାଇଟ୍ ଲୋଡ୍ ସୁଯୋଗ ମିଳିବ ନାହିଁ ବୋଲି ଥାନା ଅଧିକାରୀ ଶ୍ରୀ ଦାସ ସୂଚନା ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/06/27-18.jpg)