ଟ୍ରାଫିକ ନିୟମ ଉଲଂଘନ, ନାବାଳକକୁ ୨୮ ହଜାର ୫ଶହ ଟଙ୍କା ଜରିମାନା

ଧରାପଡିଲେ ୫୪ ଚାଳକ, ଗଣିଲେ ୩ ଲକ୍ଷ ୪୪ ହଜାର ଟଙ୍କା

ଜୟପୁର: କିଛି ମାସର ବିରତି ପରେ ପୁଣି ଥରେ କୋରାପୁଟ ଜିଲ୍ଲାରେ ନୂଆ ମୋଟର ଯାନ ଆଇନ୍‌କୁ କଡ଼ାକଡ଼ି ଭାବେ ଲାଗୁ କରାଯାଇଛି। ଜୟପୁର ସହରରେ ବିଭିନ୍ନ ସ୍ଥାନରେ ବ୍ଲକିଂ‌, ଚେକିଂକୁ ଜୋରଦାର କରାଯାଇଛି। ବାରିଣୀପୁଟ ଛକ, ଗାନ୍ଧୀଛକ, ଗ୍ଲୋକଲ ହସ୍ପିଟାଲ ଛକ ଆଦି କେତେକ ସ୍ଥାନରେ ଚେକିଂକୁ କଡ଼ାକଡ଼ି କରାଯାଇଛି। ପରିବହନ ବିଭାଗ ଓ ପୁଲିସ ପକ୍ଷରୁ ମିଳିତ ଭାବରେ ବିଭିନ୍ନ ଛକ ଛକରେ ଜଗି ରହି ଚେକିଂ କରିଛନ୍ତି। ଟ୍ରାଫିକ ନିୟମ ନମାନିବା, ସିଟ୍‌ବେଲ୍ଟ ପିନ୍ଧି ନ ଥିବା, ହେଲମେଟ୍ ନ ପିନ୍ଧିବା, ଗାଡ଼ି ଚଳାଇବା ସମୟରେ ମୋବାଇଲ୍‌ ବ୍ୟବହାର କରିବା, ମଦ ପିଇ ଗାଡ଼ି ଚଳାଇବା ଭଳି ନିୟମ ଉଲ୍ଲଂଘନକାରୀଙ୍କୁ ପୁଲିସ କାବୁ କରିଥିଲା। ଆଜି ସମୁଦାୟ ୫୪ ଜଣ ନିୟମ ଉଲଂଘନକାରୀଙ୍କ ଠାରୁ ୩ ଲକ୍ଷ ୪୪ ହଜାର ୯୫୦ ଟଙ୍କା ଜରିମାନା ଆଦାୟ କରାଯାଇଛି। ଯେଉଁଥିରେ ବାଇକ୍‌ ଚାଳକଙ୍କ ସଂଖ୍ୟା ଅଧିକ ରହିଛି ବୋଲି ଜଣାପଡିଛି।

ଆଜି ପୂର୍ବାହ୍ନରେ ପରିବହନ ବିଭାଗ, ଟାଉନ ଓ ସଦର ପୁଲିସ ପକ୍ଷରୁ ବାରିଣୀପଟ ଛକଠାରେ ଗାଡି ଚେକିଂ କରାଯାଇଥିଲା। ଟ୍ରାଫିକ ନିୟମ ଉଲ୍ଲଂଘନ କରି ୨ ଜଣ ନାବାଳକ ଗୋଟିଏ ସ୍କୁଟିରେ ଦ୍ରୁତ ଗତିରେ ଯାଉଥିଲେ। କିନ୍ତୁ ଚେକିଂରେ ଧରାପଡିବା ନାବାଳକଙ୍କୁ ଏହା ମହଙ୍ଗା ପଡିଥିଲା। ନାବାଳକଙ୍କୁ ୨୮ ହଜାର ୫୦୦ ଟଙ୍କା ଜରିମାନା ଦେବାକୁ ଆଦେଶ ଦେଇଛନ୍ତି। ଘଟଣାରୁ ଜଣାପଡିଛି ଯେ, ନାବାଳକ ଜଣକଙ୍କ ଲାଇସେନ୍ସ ନଥିବାରୁ ୨୫ ହଜାର ଟଙ୍କା, ହେଲମେଟ ନଥିବାରୁ ୧ ହଜାର ଟଙ୍କା, ଇନ୍ସ୍ୟୁରାନ୍ସ ନଥିବାରୁ ୨ ହଜାର ଟଙ୍କା ଓ ଅନ୍ୟାନ୍ୟ କାଗଜପତ୍ର ନଥିବାରୁ ୫ ଶହ ଟଙ୍କା ଜରିମାନା ପଡିଛି। ନାବାଳକ ଜଣକ (ଓଡି ୧୦ ଏଫ୍ ୧୯୧୪) ନମ୍ବର ଥିବା ଗୋଟିଏ ସ୍କୁଟି ଚଲାଉଥିଲେ।

ଏହି ଗାଡିର ମାଲିକ ଜୟପୁର ସହର ଢ଼େପାଗୁଡା ଅଞ୍ଚଳର ବି ଲୋକଶ ବୋଲି ଏମ୍‌ଭିଆଇ ସୂଚନା ଦେଇଛନ୍ତି। ପରିବହନ ବିଭାଗ ପକ୍ଷରୁ ବ୍ୟାପକ ସଚେତନତା ଅଭିଯାନ କରାଯଉଥିଲେ ମଧ୍ୟ ନାବାଳକ ଓ ନାବାଳିକାମାନେ ବାଇକ,ସ୍କୁଟି ଚଲାଉଛନ୍ତି। ନିୟମ ଉଲ୍ଲଂଘନ ସମୟରେ ନାବାଳକ ଓ ନାବାଳିକାଙ୍କ ଠାରୁ ଜରିମାନା ଆଦାୟ କରାଯାଉଥିବା ଜାଣୁଥିଲେ ମଧ୍ୟ ଅଭିଭାବକମାନେ ଏଥରୁ କୌଣସି ଶିକ୍ଷା ପାଇନପାରି ସେମାନଙ୍କୁ ପୁଣି ଗାଡି ଦେଇ ଦେଉଛନ୍ତି। ଏଣିକି ନବାଳକ ଓ ନାବାଳିକା ଗାଡି ଚାଳନା କ୍ଷେତ୍ରରେ କଡାକଡି ଭାବେ ଯାଞ୍ଚ କରାଯିବ। ଏଥିସହ ମଦ୍ୟପ ଗାଡି ଚାଳକଙ୍କ ‌ଯୋଗୁଁ ବହୁ ଦୁର୍ଘଟଣା ମଧ୍ୟ ଘଟୁଛି। ଆଜିର ଗାଡି ଚେକିଂ ସମୟରେ ୫ ଜଣ ମଦ୍ୟପ ଗାଡି ଚାଳକ ଧରାପଡି ଜରିମାନା ଗଣିଛନ୍ତି। ଏହି ଯାଞ୍ଚ ସମୟରେ କୋରାପୁଟ ଅତିରିକ୍ତ ଆଞ୍ଚଳିକ ପରିବହନ ଅଧିକାରୀ ତପନ କୁମାର ବେଟି, ସହକାରୀ ମୋଟରଯାନ  ନିରୀକ୍ଷକ ପି. ନାଗଭୂଷଣ ରାଓ, ଟ୍ରାଫିକ ଏସ୍‌ଆଇ ଆରଏନ୍ ସ୍ବାଇଁ, ଟାଉନ ଥାନାର ଏସ୍‌ଆଇ ସଞ୍ଜୀବ କୁମାର ମହାନ୍ତି ଓ ସଦରଥାନାର ଏସ୍‌ଆଇ ଗଣେଷ ବେହେରାଙ୍କ ସମେତ ପୁଲିସ କର୍ମଚାରୀ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର