ଅମାନିଆଙ୍କ ପାଇଁ ରାଉରକେଲା ଟ୍ରାଫିକ୍ ପୁଲିସର ନୂଆ ରଣନୀତି

 ଟ୍ରାଫିକ୍ ଟାୱାର ଛକ ହେବ ଜିରୋ ଟଲରେନ୍ସ ଜୋନ୍

ରାଉରକେଲା: ହେଲମେଟ ନ ପିନ୍ଧିଲେ, ଡ୍ରାଇଭିଂ ଲାଇସେନ୍ସ ରଦ୍ଦ ହେବ ବୋଲି ରାଜ୍ୟ ସରକାର ନିଷ୍ପତ୍ତି ନେବା ପରେ ଏବେ ରାଉରକେଲା  ଟ୍ରାଫିକ ପୁଲିସ ନୂଆ ରଣନୀତି ଆରମ୍ଭ କରିବାକୁ ଯାଉଛି। ଭୁବନେଶ୍ୱରର ଏଜି ଛକ ଓ କଳିଙ୍ଗ ଷ୍ଟାଡିୟମ ଛକ ଭଳି ଖୁବ୍ ଶୀଘ୍ର ରାଉରକେଲାର ଟ୍ରାଫିକ୍ ଟାୱାର ଛକକୁ ଜିରୋ-ଟଲରେନ୍ସ ଜୋନ୍ ଛକ ଭାବେ ଘୋଷଣା କରାଯିବ। ଏଥିପାଇଁ ଏବେ ଠାରୁ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି। ଏହି ଛକରେ କୌଣସି ପ୍ରକାରର ଟ୍ରାଫିକ୍ ନିୟମର ଉଲଂଘନକୁ ବରଦାସ୍ତ କରାଯିବ ନାହିଁ। ପ୍ରଥମ ପଦକ୍ଷେପ ସ୍ୱରୁପ,  ବିନା ହେଲମେଟ ଓ ବାଇକରେ ତିିନି ଜଣିଆ ଚାଳକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହା ସଫଳ ହେବା ପରେ ଅନ୍ୟ ନିୟମ ସବୁକୁ ନେଇ ଧରପଗଡ଼ କରାଯିବ ବୋଲି ରାଉରକେଲା ପୁଲିସର ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି।

ପୁଲିସ ଜିଲ୍ଲା ପ୍ରଶାସନ ପକ୍ଷରୁ ହେଲମେଟ ଯାଞ୍ଚବ୍ୟବସ୍ଥାକୁ କଡ଼ାକଡ଼ି କରିବାକୁ ନିଷ୍ପତି ନେବା ପରେ ଏବେ ଏଭଳି ଏକ ରଣନୀତି ଆପଣେଇବା ଆରମ୍ଭ କରିବାକୁ ଯାଉଛି ଟ୍ରାଫିକ ପୁଲିସ। ଏହି ଛକରେ ଏବେଠାରୁ ସକାଳ ୮ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଟ୍ରାଫିକ୍ ପୁଲିସ  ଚାରି ଦିଗରେ ଜଗି ରହୁଛନ୍ତି। ଯେଉଁମାନେ ହେଲମେଟ ପିନ୍ଧି ନାହାନ୍ତିି କିମ୍ବା ବାଇରେ ୩ ଜଣ ବସି ଯାଉଛନ୍ତି ସେମାନଙ୍କ ବାଇକ୍ ନମ୍ବରର ଫଟୋ ମୋବାଇଲ ଫୋନରେ ଉଠାଯାଇ ଫାଇନ୍ ପଠାଯାଉଛି। ଫାଇନ୍ ନୋଟିସ୍ ପାଇବା ପରେ ପୁଲିସ ମୁଖ୍ୟାଳୟକୁ ଆସି ସେମାନେ ଜରିମାନା ଭରିବେ। ଏହି ଛକରେ ଧରା ପଡ଼ୁଥିବା ଆଇନ ଉଲଂଘନକାରୀଙ୍କୁ କୌଣସି ମତେ ଛଡ଼ା ଯିବ ନାହିଁ।

ତେବେ ଟ୍ରାଫିକ୍ ଟାୱାର ଛକକୁ ଜିରୋ ଟଲରାନ୍ସ ଛକ ଘୋଷଣା ପୂର୍ବରୁ ପୁଲିସର ଏଭଳି ଧରପଗଡ଼କୁ ନେଇ ଛାନିଆ ହୋଇ ଯାଇଛନ୍ତି, ଅମାନିଆ ବାଇକ ଚାଳକମାନେ। ଆଜି କିଛି ସମୟ ସେଠାରେ ଲକ୍ଷ୍ୟ କରିବା ବେଳେ ଦେଖିବାକୁ ମିଳିଥିଲା କି, ଯେଉଁମାନେ ଏହି ଛକ ଦେଇ ରାସ୍ତା ପାର ହେଉଥିଲେ, ସେମାନେ ଛକ ପୂର୍ବରୁ ମୁଣ୍ଡରେ ହେଲମେଟ ଗଳାଇ ଦେଉଥିଲେ। ୩ ଜଣିଆ ବାଇକରେ ବସି ଆସୁଥିଲେ, ଛକ ପୂର୍ବରୁ ଜଣେ ଓହ୍ଲାଇ ପଡ଼ୁଥିଲା, ଛକ ପରେ ପୁଣି ଥରେ ୩ ଜଣିଆ ବସି ଯାଉଥିଲେ। ସତେ ଯେମିତି ପୁଲିସ ଡାଳେ ଡାଳେ ଗଲେ, ଅମାନିଆ  ପତ୍ରେ ପତ୍ରେ ଯାଉଛନ୍ତି।

କିନ୍ତୁ ଏ ସମ୍ପର୍କରେ ଟ୍ରାଫିକ୍ ପୁଲିସର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଆମେ ପ୍ରତ୍ୟେକ ଦିନ ସହରର ବିଭିନ୍ନ ଛକରେ ଯାଞ୍ଚ କରୁଛୁ। ସେଠାରେ ଏହି ଅମାନିଆ ଚାଳକମାନେ ଧରା ପଡ଼ୁଛନ୍ତି। ଏଭଳି ଚଢ଼ଉ ସବୁବେଳେ କରାଯିବ ବୋଲି ଉକ୍ତ ଅଧିକାରୀ ଜଣକ ସୂଚନା ଦେଇଛନ୍ତି।

Wide roads to end Rourkela logjam - Telegraph India

 ବିନା ହେଲମେଟରେ ସରକାରୀ କର୍ମଚାରୀ ଅଫିସ ଆସି ପାରିବେ ନାହିଁ:-

ହେଲମେଟ ନ ପିନ୍ଧିଲେ, ଡ୍ରାଇଭିଂ ଲାଇସେନ୍ସ ରଦ୍ଧ ହେବ ବୋଲି ରାଜ୍ୟ ସରକାର ନିଷ୍ପତି ନେବା ପରେ ରାଉରକେଲା ପ୍ରଶାସନ ଏକ ନୂଆ ପଦକ୍ଷେପ ଗ୍ରହଣ କରିଛି। ଏଣିକି ସରକାରୀ କର୍ମଚାରୀମାନେ ବିନା ହେଲମେଟରେ ଅଫିସ ଆସିଲେ ସେମାନଙ୍କୁ ଅଫିସରେ ପ୍ରବେଶ କରାଇ ଦିଆଯିବ ନାହିଁ। ଗତ  କିଛି ଦିନ ହେବ ଏହି ନିୟମ ପ୍ରଣୟନ କରାଯାଇଛି। ଯାହା ଫଳରେ ଏବେ ସରକାରୀ କର୍ମଚାରୀମାନେ ଅଫିସକୁ ବାଇକରେ ଆସିଲେ ହେଲମେଟ ପିନ୍ଧୁଛନ୍ତି। ଏହା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି ବୁଦ୍ଧିଜୀବୀମାନେ କହିଛନ୍ତି।

ସହରର ୬୦ ପ୍ରତିଶତ ବାଇକ ଚାଳକ ପିନ୍ଧିଲେଣି ହେଲମେଟ୍:-

ଦିନ ଥିଲା ରାଉରକେଲା ସହରରେ ଶତ ପ୍ରତିଶତ ବାଇକ୍ ଚାଳକ ହେଲମେଟ ପିନ୍ଧୁ ନ ଥିଲେ। ପୁଲିସ ଧରପଗଡ଼ କଲେ, ପୁଲିସ ସହିତ ଯୁକ୍ତିତର୍କ କରୁଥିଲେ। କିନ୍ତୁ ଏଥିରେ ଏବେ ଆସିଛି ବିରାଟ ପରିବର୍ତନ। ଗତ ଦୁଇ ମାସ ହେବ ଟ୍ରାଫିକ୍ ପୁଲିସ ପକ୍ଷରୁ ଯେଉଁ ଭଳି ଭାବେ ହେଲମେଟ ଧରପଗଡ଼ କରାଯାଉଛି, ତାର ପ୍ରଭାବ ଏବେ ଅମାନିଆ ବାଇକ ଚାଳକଙ୍କ ଉପରେ ପଡ଼ିଛି। ବାରମ୍ବାର ଫାଇନ୍ ଦେଇ ଦେଇ ବାଧ୍ୟ ହେଲେଣି ହେଲମେଟ ପିନ୍ଧିବାକୁ। ଯାହା ଫଳରେ ଏବେ ୬୦ ପ୍ରତିଶତ ବାଇକ ଚାଳକ ହେଲମେଟ ପିନ୍ଧିଲେଣି ବୋଲି ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି।

ସମ୍ବନ୍ଧିତ ଖବର