ଜାନୁଆରି ତୃତୀୟ ସପ୍ତାହରୁ ବିଲଟ୍ ପେପର ମିଲ୍‌ରେ ହେବ ଟ୍ରାଏଲ: ତାରା

ଜୟପୁର: ଗତ ୨୦୧୯ ମସିହା ଏପ୍ରିଲ ୪ ତାରିଖ ଠାରୁ ବନ୍ଦ ପଡ଼ି ରହିଥିବା ବିଲଟ୍‌ ପେପର ମିଲ୍। ଗତ ମାସରେ ଏହାକୁ ନିଜ ଅଧିନକୁ ନେଇଥିବା ନୂଆ ପରିଚାଳନା ସଂସ୍ଥା ମଦର ଅର୍ଥ ରିସୋର୍ସ୍ସ ପ୍ରାଇଭେଟ୍ ଲିମିଟେଡ୍ ଜରିଆରେ ଖୋଲିଥିଲା। ସମସ୍ତ ପୁରୁଣା କର୍ମଚାରୀଙ୍କୁ ନେଇ ନୂଆ ପରିଚାଳନା ସଂସ୍ଥା ଏହାକୁ ପୁନଃ କାର୍ଯ୍ୟକ୍ଷମ କରିବାକୁ କମ୍ପାନୀର ଅଧିକାରୀ ମାନେ ଶ୍ରମିକ ସଙ୍ଗଠନ ଗୁଡ଼ିକୁ ଜଣାଇଥିଲେ। ଏହିକ୍ରମରେ କିଛି କର୍ମଚାରୀଙ୍କୁ ବାଦ୍ ଦେଇ ସବୁ କର୍ମଚାରୀ ପୁଣିଥରେ କାର୍ଯ୍ୟରେ ଯୋଗ ଦେଇ ସାରିଲେଣି। ତେବେ ଏହା କେବେ ପୁଣି ପୁନଃ କାର୍ଯ୍ୟକ୍ଷମ ହେବ ବୋଲି ଏବେ ସାଧାରଣରେ ଚର୍ଚ୍ଚା ଜୋର ଧରିଛି। ବହୁ ପ୍ରୟାସ ପରେ ନୂଆ ପରିଚାଳନା ସଂସ୍ଥା ଏବେ ଏହାକୁ ପୁନଃ କାର୍ଯ୍ୟକ୍ଷମ କରିବା ପ୍ରକ୍ରିୟା ଆରମ୍ଭ କରିଛି ବୋଲି କହିଛନ୍ତି ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି। ଦୀର୍ଘଦିନ ଧରି ମିଲ୍ ବନ୍ଦ ପଡ଼ି ରହିଥିବା ସବୁ ଯନ୍ତ୍ରାଂଶ ଗୁଡ଼ିକର ମରାମତି କାମ ସମ୍ପ୍ରତି ଜୋରସୋରରେ ଚାଳିଛି। ଆସନ୍ତା ଦ୍ବିତୀୟ କିମ୍ବା ତୃତୀୟ ସପ୍ତାହରେ ମିଲର ଟ୍ରାଏଲ୍ କରାଯିବ ବୋଲି କହିଛନ୍ତି ବିଧାୟକ ଶ୍ରୀ ବାହିନୀପତି।

ଜାନୁଆରୀରେ ହିଁ ଟ୍ରାଏଲ ସରିବା ପରେ ଯଦି କୌଣସି ଯନ୍ତ୍ରାଂଶରେ କିଛି ସମସ୍ୟା ଦେଖା ଦିଏ ତେବେ ଯୁଦ୍ଧକାଳୀନ ଭିତ୍ତିରେ ଏହାକୁ ସଜାଡ଼ିବା ପାଇଁ କମ୍ପାନୀର ନୂଆ ପରିଚାଳନା କର୍ତ୍ତୃପକ୍ଷଙ୍କ ସହ ‌ବିଧାୟକ ଆଲୋଚନା କରିଥିବା କହିଛନ୍ତି। ଆସନ୍ତା ପେବୃଆରୀ ମାସରୁ ଏହା ସମ୍ପୂର୍ଣ୍ଣ ପୁନଃ କାର୍ଯ୍ୟକ୍ଷମ ହେବ ବୋଲି ସେ ଆଶାବାଦୀ ରହିଛନ୍ତି ବୋଲି କହିଛନ୍ତି ବିଧାୟକ। ସମ୍ପ୍ରତି ଅଳ୍ପ କିଛି ଜଣ କର୍ମଚାରୀ ପୁର୍ନବାର କାର୍ଯ୍ୟରେ ଯୋଗ ଦେଇନାହାଁନ୍ତି। ଶତପ୍ରତିଶତ ପୁରୁଣା କର୍ମଚାରୀ କାର୍ଯ୍ୟରେ ଯୋଗ ଦେଇ ସିଫ୍ଟ ଅନୁଯାୟୀ କାମ କରିବାକୁ ଯାଉଥିବା କର୍ମଚାରୀ ସଂଘ ପକ୍ଷରୁ ସୂଚନା ମିଳିଛି। ପେପର ମିଲ ହେଉଛି ଅବିଭକ୍ତ କୋରାପୁଟ ଜିଲ୍ଲାର ଭାତ ହାଣ୍ଡି। ଏହା ଉପରେ କର୍ମଚାରୀ, ଶ୍ରମିକ, ଟ୍ରାନ୍ସପୋର୍ଟର, ହୋଟେଲ ସହ ବିଭିନ୍ନ ସଂସ୍ଥା ଆଦିର ୧୦ହଜାର ଲୋକେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ନିର୍ଭର। ଏହା ପୁନଃ କାର୍ଯ୍ୟକ୍ଷମ ହେଲେ ନିଶ୍ଚିତ ରୂପେ ସହରର ବି ସାମଗ୍ରୀକ ବିକାଶରେ ସହଯୋଗ ହୋଇପାରିବ ବୋଲି କହିଛନ୍ତି ଶ୍ରମିକ ନେତା ପ୍ରମୋଦ ମହାନ୍ତି, ବାଲା ରାୟ।

ସମ୍ବନ୍ଧିତ ଖବର