୧୧୦ କିଲୋମିଟର ବେଗରେ ପଛକୁ ଗଡ଼ିଲା ମାଲବାହୀ ଟ୍ରେନ୍‌, ୪ ବଗି ଲାଇନ୍‌ଚ୍ୟୁତ

ରାଉରକେଲା: ବିମଳାଗଡ଼ ରେଲୱେ ୟାର୍ଡ ପାଖରେ ଆଜି ସଂନ୍ଧ୍ୟାରେ ବଡ଼ ଧରଣର ଟ୍ରେନ୍‌ ଦୁର୍ଘଟଣା ଘଟିଛି। ମାଲବାହୀ ଟ୍ରେନ୍‌ ରୋଲ୍‌ ହୋଇଯିବାରୁ ୨୪ କିଲୋମିଟର ପର୍ଯ୍ୟନ୍ତ ପଛକୁ ଗଡ଼ିଆସିଥିଲା। ଟ୍ରେନ୍‌ର ବେଗ ମାତ୍ରାଧିକ ଥିବାରୁ ଏହାକୁ ଆୟତ୍ତ କରାଯାଇପାରିନଥିଲା। ତେବେ ଟ୍ରେନ୍‌ ବିମଳାଗଡ଼ ରେଲୱେ ୟାର୍ଡ ପାଖରେ ଅଟକିବାପରେ ଶେଷ ୪ଟି ବଗି ଲାଇନ୍‌ଚ୍ୟୁତ ହୋଇ ଯାଇଛି।

ଆଜି ସନ୍ଧ୍ୟା ପ୍ରାୟ ୭ଟା। ଲୁହାପଥର ନେଇ ଏକ ମାଲବାହୀ ଟ୍ରେନ୍‌ ବରସୁଆଁରୁ ରାଉରକେଲା ଅଭିମୁଖେ ବାହାରିଥିଲା। ଟ୍ରେନ୍‌ ବରସୁଆଁ ଛାଡ଼ିବାର କିଛି ସମୟପରେ ପ୍ରାୟ ୧୧୦ କିଲୋମିଟର ବେଗ ଧରିଥିଲା। ଏତିକିବେଳେ ଟ୍ରେନ୍‌ ରୋଲ୍‌ ହୋଇଯାଇଥିଲା। ଫଳରେ ଟ୍ରେନ୍‌ ଘଣ୍ଟାପ୍ରତି ୧୧୦ କିଲୋମିଟର ବେଗରେ ପଛକୁ ଗଡ଼ିଥିଲା। କେବଳ ୨/୩ କିଲୋମିଟର ନୁହେଁ, ନିୟନ୍ତ୍ରଣହୀନ ହୋଇ ଦୀର୍ଘ ୨୪ କିଲୋମିଟର ‌ପଛକୁ ଗଡ଼ିଆସିଥିଲା। ତେବେ ଟ୍ରେନ୍‌ ଚାଳକ ବିମଳାଗଡ଼ ରେଲୱେ ୟାର୍ଡ ପାଖରେ ବ୍ରେକ୍‌ ଦେଇଦେଇଥିଲେ। ବେଗ ମାତ୍ରାଧିକ ଥିବାରୁ ଶେଷ ୪ଟି ବଗି ଲାଇନଚ୍ୟୁତ ହୋଇଯାଇଥିଲା।

ଏହାସହ ୨ଟି ବଗି ଅନ୍ୟ ଦୁଇ ବଗି ଉପରକୁ ଚଢ଼ିଯାଇଥିଲା। ଏଥିରେ ଟ୍ରେନ୍‌ର ସଣ୍ଟର୍‌ ଏନ.କେ. ଚାଟାର୍ଜୀ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି। ବନ୍ଧମୁଣ୍ଡା ରେଳଖଣ୍ଡରୁ ସ୍ବତନ୍ତ୍ର ରିଲିଭ୍‌ ଟ୍ରେନ୍‌ ଦୁର୍ଘଟଣାସ୍ଥଳରେ ପହଞ୍ଚିଛି। ଏଥିରେ ରେଳବାଇର ଇଂଜିନିଅରିଂ, ଟିଆର୍‌ଡି, ଅପରେଟିଂ, କ୍ୟାରେଜ୍‌ ଆଣ୍ଡ୍‌ ଓାଗନ ବିଭାଗ ଅଧିକାରୀ ଉଦ୍ଧାର କାର୍ଯ୍ୟରେ ଲାଗିପଡ଼ିଛନ୍ତି। ତେବେ କିଭଳି ଏଭଳି ଅଘଟଣ ଘଟିଲା, ଏହା ପଛରେ କାହାର ଦାୟିତ୍ବହୀନତା ରହିଛି; ତା’ର ତଦନ୍ତ କରାଯିବବୋଲି ରେଳ କର୍ତୃପକ୍ଷଙ୍କଠାରୁ ସୂଚନା ମିଳିଛି।

ସମ୍ବନ୍ଧିତ ଖବର