ଜୟପୁର-ନବରଙ୍ଗପୁର ରେଳପଥ ପାଇଁ ଜମି ଅଧିଗ୍ରହଣର ପ୍ରଥମ ଜନଶୁଣାଣି

ବଜାର ଦର ଅନୁଯାୟୀ ଜମିର କ୍ଷତିପୁରଣ ଓ ପରିବାରର ଜଣକୁ ରେଳବିଭାଗରେ ନିଯୁକ୍ତି ଦାବି

ଜୟପୁର:‌ ବହୁ ପ୍ରତୀକ୍ଷିତ ଜୟପୁର-ନବରଙ୍ଗପୁର ୪୧କିଲୋମିଟର ରେଳ ଚଳାଚଳ ପାଇଁ ଘୋଷଣା ହେବାର ଦୀର୍ଘ ୫ବର୍ଷ ପରେ ବି ଇଂଚେ ଜମି ଅଧିଗ୍ରହଣ ହୋଇ ନାହିଁ। ତେବେ ଆଜି ୫ବର୍ଷ ପରେ ପ୍ରଥମ କରି ଜମି ଅଧିଗ୍ରହଣ ପାଇଁ ପ୍ରଥମ ଜନଶୁଣାଣି ଶିବିର ଆମ୍ବାଗୁଡା ପଂଚାୟତ କାର୍ୟ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅତିରିକ୍ତ ଜିଲ୍ଲାପାଳ ତଥା ନୋଡାଲ ଅଧିକାରୀ ଦେବେନ କୁମାର ପ୍ରଧାନ, ଉପଜିଲ୍ଲାପାଳ ତଥା ଜମି ଭୁ-ଅର୍ଜନ ଅଧିକାରୀ ହେମକାନ୍ତସୟ, ଜୟପୁର ତହସିଲଦାର ଟୁଲ୍ଲିଆମ୍ମା ପ୍ରଧାନ, ସ୍ବତନ୍ତ୍ର ଜମି ଭୂ- ଅର୍ଜନ ଅଧିକାରୀ ସୁଶ୍ରୀ ସାଗରିକା ଷଡଙ୍ଗୀ, ରେଳବିଭାଗର ଅଧିକାରୀ, ଆମ୍ବାଗୁଡା ସରପଂଚ ଦିନୁ ହିକକା ପ୍ରମୁଖ ଯୋଗ ଦେଇଥିଲେ। ଅଧିକାଂଶ ହିତାଧିକାରୀ ବଜାର ଦର ଅନୁଯାୟୀ ଜମିକୁ ମୂଲ୍ୟ ଦେବା ସହ ସେମାନଙ୍କ ପରିବାରର ଜଣେ ଜଣେ ସଦସ୍ୟଙ୍କୁ ରେଳ ବିଭାଗରେ ଚାକିରି ଦେବାକୁ ଦାବି କରିଥିଲେ। ଯେ କୌଣସି ଅଂଚଳର ଗମନାଗମନର ବିକାଶ ହେଲେ ସେ ଅଂଚଳର ଆର୍ଥିକ, ସାମାଜିକ ବିକାଶ ହେବା ସହ ସେ ଅଂଚଳର ସାମଗ୍ରୀକ ବିକାଶ ହୋଇ ପାରିବ।

ଉକ୍ତ ଅଂଚଳରେ ଉତ୍ପାଦିତ ସାମଗ୍ରୀ ରତ୍ପାନୀ ଓ ଆବଶ୍ୟକତା ଅନୁଯାୟୀ ସାମଗ୍ରୀ ଆମଦାନୀ ହୋଇ ପାରିବ ବୋଲି ଅତିରିକ୍ତ ଜିଲ୍ଲାପାଳ ଓ ଉପଜିଲ୍ଲାପାଳ କହିଥିଲେ। କିଛି ହିତାଧିକାରୀଙ୍କର ଜମିରେ ଖୁଣ୍ଟ ପୋତା ଯାଇଥିଲେ ହେଁ କିଛି ନୋଟିସ୍ ମିଳି ନଥିବା ଏବଂ ତାଲିକାରେ ନାଁ ନଥିବା, ଏବଂ ସର୍ଭେ ଠିକ ଭାବେ ହୋଇ ନଥିବା ଅଭିଯୋଗ ହୋଇଥିଲା। ତେବେ ଆପତ୍ତି ଓ ଅଭିଯୋଗ ମାସକ ମଧ୍ୟରେ ଉପଜିଲ୍ଲାପାଳଙ୍କ କାର୍ୟ୍ୟାଳୟରେ କରାଗଲେ ପୁଣି ଥରେ ନୂଆରେ ସର୍ଭେ କରାଯାଇ ପୁର୍ନବାର ତାଲିକାରେ ଯୋଡା ଯିବ ବୋଲି ଉଭୟ ଅଧିକାରୀ ସୂଚନା ଦେଇଥିଲେ। ଜମି ମଧ୍ୟରେ ଯଦି ଘର, ଜଳାଶୟ, ପୋଖରୀ , ଫଳ ବଗିଚା କିମ୍ବା କିଛି ଅସ୍ଥାବର ସଂପତ୍ତି ତିଆରି କରାଯାଇଥାଏ ତାହାର ମୂଲ୍ୟ ବି ନୂଆ ନିୟମ ଅନୁଯାୟୀ ଦିଆଯିବ ବୋଲି ଅତିରିକ୍ତ ଜିଲ୍ଲାପାଳ କହିଥିଲେ। ହିତାଧିକାରୀଙ୍କ ପରିବାରର ଜଣକୁ ନିଯୁକ୍ତି ପାଇଁ ସେ ଜିଲ୍ଲାପାଳଙ୍କ ଜରିଆରେ ରେଳବିଭାଗ ସହ ଆଲୋଚନା କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏହି ପ୍ରକଳ୍ପ ପାଇଁ ଜୟପୁର ଓ ବୋରିଗୁମ୍ମା ତହସିଲ ଅର୍ନ୍ତଗତ ୨୦ଟି ଗାଁର ୭୩୨.୩୩୫ଏକର ଜମି ଅଧିଗ୍ରହଣ କରାଯିବ।

Sambad

ଆଜି ଜୟପୁର ତହସିଲର ଏକମ୍ବା, ବଡକାଉଡି, ମଜୁରମୁଣ୍ଡା ଓ ଆମ୍ବାଗୁଡାର ୯୧.୬୩୪ଏକର ଜମି ଅଧିଗ୍ରହଣ ପାଇଁ ଜନଶୁଣାଣି ହୋଇଥିଲା। ଏଥିରେ ଏକମ୍ବାର ୨୬.୭୫୭ଏକର, ବଡକାଉଡିର ୨୪.୭୨୫ଏକର , ମଜୁରମୁଣ୍ଡାର ୯.୦୫୦ଏକର ଓ ଆମ୍ବାଗୁଡାର ୩୧.୧୦୨ଏକର ଜମି ରେଳ ପ୍ରକଳ୍ପ ପାଇଁ ଯିବ। ସେଭଳି ଆସନ୍ତା ୧୩ତାରିଖ ଦିନ ଜୟନ୍ତଗିରି ଠାରେ ୧୫୧.୫୧୩ଏକର ପାଇଁ ୨ୟ ଜନଶୁଣାଣୀ ଅନୁଷ୍ଠିତ ହେବ। ଏଥିରେ ଜୟନ୍ତଗିରୀର ୧୧୧.୭୩୮ଏକର, ହରଡାପୁଟର ୩୩.୩୪୯ଏକର, ହଡଫାର ୬.୪୨୬ଏକର ଏଭଳି ୧୫୧.୫୧୩ଏକର ଜମି ଅଧିଗ୍ରହଣ ପାଇଁ ଜନଶୁଣାଣି ହେବ । ସେଭଳି ୧୬ତାରିଖ ଦିନ ବୋରିଗୁମ୍ମାରେ ୨୬୭.୩୬ଏକର ଜମି ଅଧିଗ୍ରହଣ ପାଇଁ ଜନଶୁଣାଣି ଅନୁଷ୍ଠିତ ହେବ। ଏଥିରେ ବୋରିଗୁମ୍ମାର ୨୦୮.୨୦୮ଏକର, ଖୁଡିଗୁଡାର ୪.୮୮୦ଏକର, ଦୁଲ୍ଲାଗୁଡାର ୨୪.୬୧୬ଏକର, ଝିଲମିଲ୍ଲୀର ୨୯.୬୫୬ଏକର ଜମି ଅଧିଗ୍ରହଣ ପାଇଁ ଜନଶୁଣାଣି ବୈଠକ ହେବ। ୨୦ତାରିଖ ଦିନ କାମରା ଠାରେ ୮୧.୨୭୩ଏକର ଜମି ଅଧିଗ୍ରହଣ ପାଇଁ ଜନଶୁଣାଣି ହେବ।

ଏଥିରେ କୁନ୍ଦ୍ରାଗୁଡାର ୧୮.୭୮୯ଏକର, ଅଂଚଳାର ୨୨.୬୩୮ଏକର, ପର୍ଲ୍ଲୀର ୨୪.୬୦୯ଏକର, କାମରାର ୧୫.୨୩୭ଏକର ଜମି ଅଧିଗ୍ରହଣ ପାଇଁ ଆଲୋଚନା ହେବ। ୨୨ତାରିଖ ଦିନ ଝୁଜାରୀ ଠାରେ ୧୪୦.୫୫୫ଏକର ଜମି ଅଧିଗ୍ରହଣ ପାଇଁ ପ୍ରଥମ ପର୍ଯ୍ୟାୟର ଶେଷ ଜନଶୁଣାଣି ବୈଠକ ହେବ। ଏଥିରେ କହ୍ନେଇଯବାର ୧୯.୭୩୦ଏକର, କାଳିଆଗୁଡାର ୬୧.୯୮୪ଏକର, ମଝିଆର ୨୭.୦୮୬ଏକର, ଆଉଁଳିର ୧୯.୪୩୮ଏକର, ବରଗାଁର ୧୨.୩୧୭ଏକର ଜମି ପାଇଁ ଜନଶୁଣାଣୀ ହେବ। ଗ୍ରୀନ ଇଣ୍ଡିଆ ସଂସ୍ଥା ପକ୍ଷରୁ ବୈଠକକୁ ପରିଚାଳନା କରାଯାଇଥିଲା। ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ଜୟପୁର ଏସଡିପିଓ ଅରୁପ ଅଭିଷେକ ବେହେରା, ଜୟପୁର ସଦରଥାନା ଅଧିକାରୀ ଆଦିତ୍ୟ ମହାକୁର ପୁଲିସ ଫୋର୍ସ ସହ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର