ଝାରସୁଗୁଡ଼ା: ଶିଳ୍ପ କାରଖାନା ପ୍ରତିଷ୍ଠା ପରେ ଝାରସୁଗୁଡ଼ା ସହର ପ୍ରଦୂଷଣର ଶୀର୍ଷରେ ପହଞ୍ଚି ଯାଇଛି। ପରିସ୍ଥିତି ଏପରି ହେଲାଣି ଯେ ଏବେ ଟିକିଏ ମୁକ୍ତ ବାୟୁ ଓ ସୁସ୍ଥ ପରିବେଶ ଟିଏ ପାଇବା ମୁସ୍କିଲ ହୋଇଛି। ବ୍ୟାପକ ତାପଜ ବିଦ୍ୟୁତ କାରଖାନା ପ୍ରତିଷ୍ଠା ପରିବେଶ ଉପରେ କୁପ୍ରଭାବ ପକାଇ ଚାଲିଛି। ଦେଶର ଶହେ ଗୋଟି ପ୍ରଦୂଷଣ ସହର ମଧ୍ୟରେ ଝାରସୁଗୁଡ଼ା ସହରର ନାମ କେନ୍ଦ୍ର ପ୍ରଦୂଷଣ ବୋର୍ଡର ତାଲିକାରେ ଉଲ୍ଲେଖ ରହିଛି। ଶିଳ୍ପ ସହିତ କୋଇଲା ପରିବହନ ଏବଂ ବ୍ୟାପକ ମୋବାଇଲ ଟାୱାର ପରିବେଶକୁ ଧ୍ବଂସସ୍ତୁପ ଆଡ଼କୁ ଠେଲି ଦେଉଥିବା ବହୁ ପରିବେଶବିତ୍ ବିଭିନ୍ନ ସମୟରେ ସତର୍କ କରି ଆସିଛନ୍ତି। ଏହାର କୁପରିଣାମ ଯୋଗୁଁ ପରିବେଶ ସନ୍ତୁଳନ ହରାଇ ବ୍ୟାପକ କ୍ଷତିମଧ୍ୟ ଘଟିଛି। ଜୈବ ବିବିଧତା ନଷ୍ଟ ହେବା ସହିତ ସବୁଜ ଗ୍ରୀଷ୍ମରାଶି ସାଙ୍ଗକୁ ଜୀବଜନ୍ତୁ ଓ ପକ୍ଷୀ ଝାରସୁଗୁଡ଼ା ଜିଲ୍ଲାରୁ ଦିନକୁ ଦିନ କମି ଯାଇଥିବା ଲକ୍ଷ୍ୟ କରାଯାଇଛି। ଏଭଳି ପରିସ୍ଥିତିରେ ସହର ନିକଟସ୍ଥ ଜମେରା ପଞ୍ଚାୟତ ଅନ୍ତର୍ଗତ ସିଂହାବଗା ଗ୍ରାମରେ ଗତ କିଛି ବର୍ଷ ହେଲା ଶୀତ ଦିନରେ ବିଦେଶୀ ପକ୍ଷୀଙ୍କ ସମାଗମ ପରିବେଶବିତ୍ ମାନଙ୍କ ପାଇଁ ଏକ ଶୁଭ ଖବର ଆଣି ଦେଇଥିବାରୁ ସାଧାରଣରେ ଆନନ୍ଦ ପ୍ରକାଶ ପାଇଥିଲା।
ସିଂହାବଗା ଗ୍ରାମ ନିକଟରେ ଇବ୍ ନଦୀ ଓ ଭେଡ଼େନ୍ ନଦୀର ପଛୁଆଜଳ ଥିବା ଏକ ବିସ୍ତିର୍ଣ୍ଣ ଆର୍ଦ୍ରଭୂମି ଅଞ୍ଚଳକୁ ପ୍ରତିବର୍ଷ ନଭେମ୍ବର/ ଡିସେମ୍ବର ମାସରେ ହଜାର ହଜାର ସଂଖ୍ୟାରେ ଏବେ ବିଦେଶାଗତ ପକ୍ଷୀ ଆସିଥାନ୍ତି । ଏହାର ଶାନ୍ତ ଓ ମନୋରମ ପରିବେଶ ଏହି ବିଦେଶୀ ପକ୍ଷୀଙ୍କୁ ଆକୃଷ୍ଟ କରୁଥିବାରୁ ଏହି ପକ୍ଷୀ ମାନେ ହଜାର ହଜାର ମାଇଲ ଅତିକ୍ରମ କରି ଏଠାରେ ଗ୍ରୀଷ୍ମ ପ୍ରବାହ ଆରମ୍ଭ ପର୍ଯ୍ୟନ୍ତ ରହିଥାନ୍ତି। ବହୁ ସଂଖ୍ୟାରେ ପକ୍ଷୀଙ୍କ ଆଗମନ ହେଉଥିବାରୁ ଏହି ଅଞ୍ଚଳ ଓଡ଼ିଶାର ଦ୍ବିତୀୟ ମଙ୍ଗଳଯୋଡ଼ି ପାଲଟିବ ବୋଲି ପହୁ ପରିବେଶବିତ୍ ମତବ୍ୟକ୍ତ କରିଥିଲେ । ସ୍ବଚ୍ଛ ଜଳରାଶି ସହିତ ପକ୍ଷୀଙ୍କ ପାଇଁ ଭରପୁର ଖାଦ୍ୟ ସାମଗ୍ରୀ ଯୋଗୁଁ ଏହି ଅଞ୍ଚଳକୁ ବିଭିନ୍ନ ପକ୍ଷୀ ଆକର୍ଷିତ ହେଉଛନ୍ତି।
23
ଗତ କିଛି ବର୍ଷ ହେଲା ଶୀତ ଆରମ୍ଭରୁ ଗ୍ରୀଷ୍ମ ପର୍ଯ୍ୟନ୍ତ ଏହି ଅଞ୍ଚଳରେ ଲିଜର୍ ହ୍ବିସଲିଂ ଡକ୍, କମନ୍ ପୋଚାର୍ଡ଼, ଟପ୍ଟେଡ଼୍ ଡ଼କ୍, ଗ୍ରେଟ୍ କ୍ରେଷ୍ଟେଡ଼୍ ଗ୍ରେବ୍, କମନ୍ କୋର୍ଟ,ଲିଟିଲ କର୍ମୋରାଣ୍ଟ, ବ୍ଲାକ୍ ହେଡେଡ୍ ଗଲ୍, ରେଡ଼୍ କ୍ରେଷ୍ଟେଡ଼୍ ପୋଚାର୍ଡ଼, ବ୍ରାଉନ୍ ହେଡେଡ୍ ଗଲ୍,ପର୍ପଲ୍ ସ୍ବୟମହେନ୍, ପର୍ପଲ୍ ମୋରହେନ୍, ବ୍ରଞ୍ଚ ଉଇଙ୍ଗ ଜାକାଜା, ପର୍ପଲ୍ ହେରୋନ୍, କୋମନ୍ ଷ୍ଟିଲଟ୍, ୱାଟର ହେନ୍ ପ୍ରଭୃତି ବିଭିନ୍ନ ପ୍ରଜାତୀର ପକ୍ଷୀ ହଜାର ହଜାର ସଂଖ୍ୟାରେ ଆସି ଏହି ସ୍ଥାନରେ ଭିଡ଼ ଜମାଇ ଥିବାରୁ ଅଞ୍ଚଳଟିର ସୌନ୍ଦର୍ଯ୍ୟ ବୃଦ୍ଧି ପାଇ ଆସୁଛି। ଗତ କିଛି ବର୍ଷ ହେଲା ଏହି ଅଞ୍ଚଳକୁ ପକ୍ଷୀଙ୍କ ଆଗମନ ହେଉଥିବା ବେଳେ ଚଳିତ ବର୍ଷ ମଧ୍ୟ ଅନୁକୂଳ ପାଗ ଥିବାରୁ ପକ୍ଷୀଙ୍କ ଆଗମନ ହେବା ନେଇ ସୂଚନା ମିଳୁଛି। ପ୍ରଦୂଷଣରେ ଉବୁଟୁବୁ ହେଉଥିବା ଏହି ସହର ନିକଟରେ ଏତେ ପରିମାଣରେ ଜଳପକ୍ଷୀ ଆସିବା ଏକ ଶୁଭ ସୂଚନା ହୋଇଥିଲେ ମଧ୍ୟ ଏହାକୁ ସଂରକ୍ଷଣ କରିବା ପାଇଁ ପ୍ରଶାସନ ପକ୍ଷରୁ ଏଥିପ୍ରତି କୌଣସି ଆଗ୍ରହ ପ୍ରକାଶ ପାଉନଥିବା ପରିବେଶ୍ବିତ ମାନେ ଅଭିଯୋଗ କରିଥିଲେ। ଏ ସଂପର୍କରେ ଗତ ଦୁଇ ବର୍ଷ ହେଲା ସମ୍ବାଦ ତଥ୍ୟ ସମ୍ବିଳିତ ଖବର ପ୍ରକାଶ କରିବା ପରେ ତତ୍କାଳୀନ ଜିଲ୍ଲାପାଳ ବିଭୁତି ଭୂଷଣ ପଟ୍ଟନାୟକଙ୍କ ଉଦ୍ୟମରେ ଏଠାରେ ଇକୋ ଟୁରିଜମ୍ ବିକାଶ ପାଇଁ ପ୍ରସ୍ତାବ ଗୃହୀତ ହୋଇଥିଲା। ଏଥିପାଇଁ ଜଙ୍ଗଲ ବିଭାଗ ପକ୍ଷରୁ ଯୋଜନା ପ୍ରସ୍ତୁତ ହୋଇ ସାରିଛି। ଜିଲ୍ଲା ଖଣିଜ ପାଣ୍ଠିରୁ ଏଥିପାଇଁ ଗତ ବର୍ଷ ୨ କୋଟି ୨୫ ଲକ୍ଷ ଟଙ୍କା ମଞ୍ଜୁର ହୋଇ ସାରିଛି।
ତେବେ ଏହି ପ୍ରକଳ୍ପ ଆରମ୍ଭ ହେବା ପୂର୍ବରୁ ଏହି ଜଳାଶୟ ଉପର ଦେଇ ଏନ୍ଏଲ୍ସି କୋଇଲା ପରିବହନ ପାଇଁ ତାର ରେଳଧାରଣା ନିର୍ମାଣ କରିବାକୁ ଅନୁମତି ପାଇ ସାରିଛି। ଏନ୍ଏଲ୍ସିକୁ ଏହି ଜମି ଅଧିଗ୍ରହଣ କରାଯିବା ପ୍ରାୟ ଶେଷ ପର୍ଯ୍ୟାୟରେ ଥିବା ବେଳେ ପ୍ରସ୍ତାବିତ ଇକୋ ଟୁରିଜମ ପ୍ରକଳ୍ପ ଖତଗଦାରେ ପଡ଼ିଛି। ଖୋର୍ଦ୍ଧା ଜିଲ୍ଲା ଟାଙ୍ଗି ଅଞ୍ଚଳରେ ଥିବା ମଙ୍ଗଳଯୋଡ଼ିକୁ ପକ୍ଷୀ ଅଭୟାରଣ୍ୟ ଘୋଷଣା କରାଯାଇଥିବା ବେଳେ ସିଂହାବଗା ଅଞ୍ଚଳକୁ ଉନ୍ନତି କରିବା ପୂର୍ବରୁ ଏହାକୁ ଧ୍ବସଂ କରାଯିବାକୁ ସରକାର ବାଟ ଫିଟାଇ ଦେଇଛନ୍ତି। ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ଏହା ଉପରେ ଦୃଷ୍ଟି ଜଳାଶୟ ମଝିରେ ରେଳ ଲାଇନ୍ ନିର୍ମାଣ ନକରି ଏହାର ବିକଳ୍ପ ବ୍ୟବସ୍ଥା କଲେ ହୁଏତ ଝାରସୁଗୁଡ଼ା ପରି ଏକ ପ୍ରଦୂଷଣ ସହରରେ ଜୈବ ବିବିଧତା ରକ୍ଷା ପାଇବା ସହିତ ଏହି ବିସ୍ତିର୍ଣ୍ଣ ଅଞ୍ଚଳରେ ପ୍ରତିବର୍ଷ ବିଦେଶୀ ପକ୍ଷୀଙ୍କ କଳରବ ଶୁଣିବାକୁ ମିଳନ୍ତା ଏଥିରେ ସଂଦେହ ନାହିଁ। ଜିଲ୍ଲାର ରାଜନେତା, ପରିବେଶବିତ୍ ଓ ନେତୃସ୍ଥାନୀୟ ବ୍ୟକ୍ତି ଏହା ଉପରେ ପଦକ୍ଷେପ ନେଇ ଏଭଳି ଏକ ଇକୋ ଟୁରିଜମ ଅଞ୍ଚଳକୁ ଧ୍ବସଂ ମୁହଁରୁ ରକ୍ଷା କରିବାକୁ ଉଦ୍ୟମ କରିବା ନିହାତି ଆବଶ୍ୟକ ବୋଲି ମତ ପ୍ରକାଶ ପାଇଛି।