ନୀଳଗିରି: ଗୋଟିଏ ପଟେ ଦକ୍ଷିଣ-ପୂର୍ବ ରେଳପଥ ପାଇଁ ରେଳ ମନ୍ତ୍ରାଳୟ ପକ୍ଷରୁ ୪ଟି ନୂତନ ଯାତ୍ରୀବାହୀ ଟ୍ରେନ୍ ଦିଆଯାଇଛି। ଅନ୍ୟପଟେ ସମସ୍ତ ପ୍ରକାର ଆନୁଷଙ୍ଗିକ କାର୍ଯ୍ୟ ସରିଥିଲେ ବି ଏଯାଏ ବାଲେଶ୍ବର ଜିଲ୍ଲା ନୀଳଗିରିକୁ ଯାତ୍ରୀବାହୀ ଟ୍ରେନ୍ ଚଳାଚଳ ସମ୍ଭବ ହୋଇନି। ଯାହାକୁ ନେଇ ଲୋକମାନେ ଅସନ୍ତୋଷ ପ୍ରକାଶ କରୁଥିବା ବେଳେ ସିଗ୍ନାଲ୍ ବ୍ୟବସ୍ଥାକୁ ସୁନିଶ୍ଚିତ କରିବା ପାଇଁ ଟ୍ରେନ୍ ଚଳାଚଳ ବିଳମ୍ବ ହେଉଛି ବୋଲି କୁହାଯାଇଛି। ବାଲେଶ୍ବରରୁ ନୀଳଗିରି ବ୍ଲକ୍ ଗୋପୀନାଥପୁର ଯାଏ ପୂର୍ବରୁ ମାଲ୍ ପରିବହନ ପାଇଁ ରେଳପଥ ବିଛାଯାଇଥିଲା। ପରେ ଯାତ୍ରୀବାହୀ ଟ୍ରେନ୍ ଚାଲିବା ନେଇ ଦାବି ହେଲା। ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ କେନ୍ଦ୍ରମନ୍ତ୍ରୀ ପଦ ପାଇବା ପରେ ତତ୍କାଳୀନ ରେଳମନ୍ତ୍ରୀ ପୀୟୁଷ ଗୋଏଲଙ୍କୁ ଦାବି ସଂପର୍କରେ ଅବଗତ କରିଥିଲେ। ଫଳରେ ବିଭାଗ ପକ୍ଷରୁ ରେଳପଥ ପୁନଃନିର୍ମାଣ ନେଇ ସର୍ଭେ କରାଗଲା। ତେବେ ଆବଶ୍ୟକ ରାଜସ୍ବ ମିଳିବା ସମ୍ଭାବନା ନଥିବାରୁ ଯାତ୍ରୀବାହୀ ଟ୍ରେନ୍ ଚାଲିବା ନେଇ ଦ୍ବନ୍ଦ୍ବ ଦେଖାଦେଇଥିଲା। ଏପରି ସମୟରେ ନୂଆ ରେଳମନ୍ତ୍ରୀ ଭାବେ ଅଶ୍ବିନୀ ବୈଷ୍ଣବ ଦାୟିତ୍ୱ ନେଲେ ଏବଂ ସାଂସଦ ଶ୍ରୀ ଷଡ଼ଙ୍ଗୀ ଦାବି ଦୋହରାଇଲେ। ଅଞ୍ଚଳବାସୀଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ଗୋପୀନାଥପୁର ଯାଏ ଯାତ୍ରୀବାହୀ ଟ୍ରେନ୍ ଚଳାଚଳ କରିବ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ବୈଷ୍ଣବ ପ୍ରତିଶ୍ରୁତି ଦେଲେ। ୨୦୨୨ ମସିହା ଜାନୁଆରି ମାସ ୨ ତାରିଖ ଦିନ କେନ୍ଦ୍ରମନ୍ତ୍ରୀ ଶ୍ରୀ ବୈଷ୍ଣବ ଗୋପୀନାଥପୁର ରେଳଷ୍ଟେସନ୍ର ଶିଳାନ୍ୟାସ କରିଥିଲେ। ବାଲେଶ୍ବରରୁ ଗୋପୀନାଥପୁର; ୧୭ କିଲୋମିଟର ରେଳପଥ ଏବଂ ଗୋପୀନାଥପୁରରେ ଷ୍ଟେସନ୍ ନିର୍ମାଣ ନେଇ ରେଳ ମନ୍ତ୍ରାଳୟ ପକ୍ଷରୁ ୪୮.୩୬ କୋଟି ଟଙ୍କା ମଞ୍ଜୁର କରାଯାଇଥିଲା। ଏଇଭିତରେ ରେଳପଥ ପୁନଃନିର୍ମାଣ କାମ ସଂପୂର୍ଣ୍ଣ ହୋଇଥିବା ବେଳେ ଗୋପୀନାଥପୁର ସହ ସୋମନାଥପୁର ଷ୍ଟେସନ୍ କାମ ମଧ୍ୟ ପ୍ରାୟ ଶେଷ ହୋଇଛି।
ଗୋଟିଏ ପଟେ ଦକ୍ଷିଣ-ପୂର୍ବ ରେଳପଥ ପାଇଁ ରେଳ ମନ୍ତ୍ରାଳୟ ପକ୍ଷରୁ ୪ଟି ନୂତନ ଟ୍ରେନ୍ ଚଳାଚଳ ନେଇ ଘୋଷଣା କରାଯାଇଛି। ଚାଲିବାକୁ ଥିବା ଉକ୍ତ ଟ୍ରେନ୍ଗୁଡ଼ିକ ମଧ୍ୟରେ ଶାଲିମାର-ବାଦାମପାହାଡ଼-ଶାଲିମାର (ସାପ୍ତାହିକ), ବାଦାମପାହାଡ଼-ରାଉରକେଲା-ବାଦାମପାହାଡ଼ (ସାପ୍ତାହିକ), ରାଉରକେଲା-ଟାଟାନଗର-ରାଉରକେଲା (ସପ୍ତାହରେ ୬ ଦିନ) ଏବଂ ଟାଟାନଗର-ବାଦାମପାହାଡ଼-ଟାଟାନଗର (ସପ୍ତାହରେ ୬ ଦିନ) ରହିଛି। ଅନ୍ୟପଟେ ଚାରିଥର ରେଳଲାଇନ୍ ପରୀକ୍ଷା କରାଯାଇଥିଲେ ବି ଏଯାଏ ଟ୍ରେନ୍ ଚଳାଚଳ ଆରମ୍ଭ ହୋଇନି। ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।
ଏ ନେଇ ଖଡ଼ଗପୁର ଡିଭିଜନ୍ ଜିଆର୍ଏମ୍ କେଆର୍ ଚୌଧୁରୀଙ୍କୁ ପଚରାଯିବାରୁ ସେ ମନ୍ତ୍ରାଳୟରୁ କୌଣସି ନିର୍ଦ୍ଦେଶ ଆସିନାହିଁ। ଯେଉଁଥିପାଇଁ ଟ୍ରେନ୍ ଚାଲିବା ନେଇ ବିଳମ୍ବ ହେଉଛି ବୋଲି କହିଛନ୍ତି। ସେହିପରି ସାଂସଦଙ୍କ ପ୍ରତିନିଧି ଚନ୍ଦ୍ରବିନ୍ଦୁ ଦାସଙ୍କ ପ୍ରତିକ୍ରିୟା ନିଆଯାଇଥିଲା। ସେ ବାହାନଗା ଟ୍ରେନ୍ ଟ୍ରାଜେଡି ପରେ ସିଗ୍ନାଲ୍ ବ୍ୟବସ୍ଥାକୁ ସୁନିଶ୍ଚିତ କରିବା ପାଇଁ କାମ ଚାଲିଥିବାରୁ ଟ୍ରେନ୍ ଚଳାଚଳରେ ବିଳମ୍ବ ହେଉଛି ବୋଲି ପ୍ରକାଶ କରିଛନ୍ତି।
ଉଲ୍ଲେଖ ଥାଉ ବାଲେଶ୍ବର-ନୀଳଗିରି ରେଳଲାଇନ୍ରେ ଦୁଇଟି ଟ୍ରେନ୍ ଚାଲିବା ନେଇ ପ୍ରସ୍ତାବ ରହିଛି। ଗୋଟିଏ ହାଓଡ଼ାରୁ ବାଲେଶ୍ବର ଦେଇ ଗୋପୀନାଥପୁର ଯିବ ଏବଂ ସେଠାରୁ ପୁଣି ଭୁବନେଶ୍ୱର ଯାତ୍ରା କରିବ। ସେହିପରି ଜଳେଶ୍ବର ମେମୁ ଟ୍ରେନ୍ଟି ବାଲେଶ୍ବରରୁ ଗୋପୀନାଥପୁର ହୋଇ ପୁରୀ ପର୍ଯ୍ୟନ୍ତ ଚାଲିବ। ସେହିପରି ଭବିଷ୍ୟତରେ ଗୋପୀନାଥପୁର ରେଳପଥକୁ ସମ୍ପ୍ରସାରଣ କରାଯିବ। ଯାହା ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲା ଦେଇ ଝାଡ଼ଖଣ୍ଡର ଟାଟାନଗର ସହ ସଂଯୋଗ ହେବ ବୋଲି କୁହାଯାଉଛି।