ରାୟଗଡ଼ା: ସମ୍ବଲପୁର ରେଳ ଡିଭିଜନର ରୁପ୍ରାରୋଡ ରେଳ ଷ୍ଟେସନରେ ଏକ୍ସପ୍ରେସ୍ ଟ୍ରେନ୍ ରହଣି ଦାବିରେ ରେଳରୋକ ହୋଇଛି। ଫଳରେ ରାୟଗଡ଼ା-ସମ୍ବଲପୁର ରୁଟରେ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଛି। ବହୁ ଏକ୍ସପ୍ରେସ୍ ଟ୍ରେନ୍ ଗୁଡ଼ିକ ରାୟଗଡ଼ା ଷ୍ଟେସନରେ ଅଟକି ରହିବା ପରେ ୨ ଘଣ୍ଟା ବିଳମ୍ବରେ ଯାତ୍ରା କରିଥିଲା। ଫଳରେ ଗୁରୁତ୍ବପୂର୍ଣ୍ଣ କାମରେ ବିଭିନ୍ନ ଅଞ୍ଚଳକୁ ଯାଉଥିବା ଯାତ୍ରୀମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ। ବିଶାଖାପାଟଣାରୁ ନ୍ୟୁ ଦିଲ୍ଲୀ ଅଭିମୁଖେ ଯାତ୍ରା କରୁଥିବା ନିଜାମୁଦ୍ଦିନ୍ ଏକ୍ସପ୍ରେସ୍ ନିର୍ଧାରିତ ସମୟରେ ରାୟଗଡ଼ା ଷ୍ଟେସନରେ ପହଞ୍ଚିଥିଲା। କିନ୍ତୁ ରେଳରୋକ ଯୋଗୁ ରାୟଗଡ଼ା ଷ୍ଟେସନରେ ୨ ଘଣ୍ଟା ପର୍ଯ୍ୟନ୍ତ ଅଟକି ରହିଥିଲା। ସେହିପରି ଜଗଦଲପୁର-ହାୱାଡା ସମଲେଶ୍ୱରୀ ଏକ୍ସପ୍ରେସ ମୁନିଗୁଡାରେ, ବିଶାଖାପାଟଣା-ମୁମ୍ବାଇ ଲୋକମାନ୍ୟ ତିଲକ ସୁପରଫାଷ୍ଟ ଏକ୍ସପ୍ରେସ ଅମ୍ବାଦଳାରେ, ବିଶାଖାପାଟଣା-ରାୟପୁର ପାସେଞ୍ଜର୍ ଲାଞ୍ଜିଗଡ଼ ଷ୍ଟେସନରେ ଅଟକି ରହିଥିଲା।

Advertisment

ଅନ୍ୟପଟରେ କେସିଙ୍ଗା ଷ୍ଟେସନରେ ନିଜାମୁଦ୍ଧିନ-ବିଶାଖାପାଟଣା ସମତା ଏକ୍ସପ୍ରେସ ଦୀର୍ଘ ସମୟ ଧରି  ଅଟକି ରହିଥିବା ବେଳେ ସମ୍ବଲପୁର-ରାୟଗଡ଼ା ତପସ୍ୱନୀ ଏକ୍ସପ୍ରେସ ବିଳମ୍ବ ଦୃଷ୍ଟିରୁ ବାତିଲ ହୋଇଥିଲା। ଫଳରେ ଯାତ୍ରୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା। ରୁପ୍ରାରୋଡରେ ଆନ୍ଦୋଳନ ପ୍ରତ୍ୟାହୃତ ହେବା ପରେ ଅପରାହ୍ନରେ ରେଳ ଚଳାଚଳ ସ୍ବାଭାବିକ ହୋଇଥିଲା। କୋଭିଡ ମହାମାରୀ ପୂର୍ବରୁ ପୂର୍ବତଟ ରେଳବାଇ ଅଧୀନସ୍ଥ ସମ୍ବଲପୁର ଡିଭିଜନ କଳାହାଣ୍ଡି ଜିଲ୍ଲାର ରୁପ୍ରାରୋଡ ରେଳ ଷ୍ଟେସନରେ ସମସ୍ତ ଦୂରଗାମୀ ଏକ୍ସପ୍ରେସ ଟ୍ରେନ୍ ଗୁଡିକ ରହୁଥିଲା। ବର୍ତ୍ତମାନ ଏହି ଷ୍ଟେସନରେ ଆଉ କୌଣସି ଦୂରଗାମୀ ଟ୍ରେନ ଅଟକୁନଥିବାରୁ ରେଳଯାତ୍ରୀ ସୁରକ୍ଷା ସମିତି ରୁପ୍ରାରୋଡ ଆଜି ଆନ୍ଦୋଳନକୁ ଓହ୍ଲାଇଥିଲା। ଏହା ପୂର୍ବରୁ ସୁରକ୍ଷା ସମିତି ରେଳ ବିଭାଗକୁ ଏ ନେଇ ଅବଗତ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା।