ରାଉରକେଲା: ଇସ୍ପାତ ସହରାଞ୍ଚଳ ବାସିନ୍ଦା ଓ ଏହାର ଆଖପାଖର ଯାତ୍ରୀଙ୍କ ସୁବିଧା ପାଇଁ ରେଳବାଇ ଚକ୍ରଧରପୁର ଡିଭିଜନ୍‌ ପକ୍ଷରୁ ସେକ୍ଟର-୧୯ସ୍ଥ ପେଟ୍ରୋଲ ପମ୍ପ ପଛପାର୍ଶ୍ବ ମାର୍କେଟ କମ୍ପ୍ଲେକ୍ସରେ ଖୋଲିଥିଲା କମ୍ପୁଟରୀକୃତ ଟ୍ରେନ୍‌ ଟିକେଟ୍‌ ଆରକ୍ଷଣ କେନ୍ଦ୍ର। କରୋନା ପରଠୁ ବୁକିଂ କାଉଣ୍ଟରରେ ତାଲା ଝୁଲୁଛି। କରୋନା କଟକଣା ହଟିବା ପରେ ସ୍ଥାନୀୟ ଲୋକଙ୍କ ଦାବି ଫଳରେ ବୁକିଂ କାଉଣ୍ଟର ଖୋଲିଥିଲା। କିଛି ଦିନ ଚାଲିବା ପରେ ପୁଣି ବନ୍ଦ କରି ଦିଆଯାଇଥିଲା। ବିଭାଗୀୟ ଅଧିକାରୀ ବିଭିନ୍ନ ଆଳ ଦେଖାଇ ସେବେଠୁ ଆଜି ପର୍ଯ୍ୟନ୍ତ କମ୍ପୁଟରୀକୃତ ଆରକ୍ଷଣ କେନ୍ଦ୍ରକୁ ତାଲା ପକାଇ ରଖିଛନ୍ତି। ଏ ସଂକ୍ରାନ୍ତରେ ଇସ୍ପାତ ସହରାଞ୍ଚଳବାସିନ୍ଦା, କିଛି ରାଜନୈତିକ ଦଳର ନେତା ରାଉରକେଲା ଷ୍ଟେସନରେ ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ବରିଷ୍ଠ ନାଗରିକଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ପୂର୍ବପରି ବୁକିଂ କାଉଣ୍ଟରକୁ ଖୋଲିବା ଦାବି କରିଥିଲେ ହେଁ ଫଳ ଶୂନ। କେବଳ ଏତିକି ନୁହେଁ ସହରର ବିଭିନ୍ନ ରେଳବାଇ ସଙ୍ଗଠନର ପ୍ରତିନିଧି ବନ୍ଦ ପଡିଥିବା ବୁକିଂ କାଉଣ୍ଟର ଖୋଲିବାକୁ ଚକ୍ରଧରପୁର ମଣ୍ଡଳ ଅଧିକାରୀଙ୍କ ନିକଟରେ ଦାବି କରିଛନ୍ତି।

Advertisment

କେନ୍ଦ୍ରମନ୍ତ୍ରୀ ରେଳମନ୍ତ୍ରୀଙ୍କୁ ମଧ୍ୟ ଚିଠି ଲେଖିଛନ୍ତି। ବିଡମ୍ବନା, ଆଜି ପର୍ଯ୍ୟନ୍ତ କାଉଣ୍ଟରକୁ ଖୋଲିବାକୁ ‌ରେଳବାଇ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନାହିଁ। ଏ ସଂକ୍ରାନ୍ତରେ ‌ରାଉରକେଲା ଷ୍ଟେସନ ମ୍ୟାନେଜର ଏସ୍. ଦାସଙ୍କୁ ପଚାରିବାରୁ ସେ କହିଛନ୍ତି, କର୍ମଚାରୀ ଅଭାବରୁ ସେକ୍ଟର-୧୯ କମ୍ପୁଟରୀକୃତ ଆରକ୍ଷଣ କେନ୍ଦ୍ରକୁ ଖୋଲାଯାଇପାରୁନି। ସମସ୍ୟା ସଂକ୍ରାନ୍ତରେ ଚକ୍ରଧରପୁର ମଣ୍ଡଳର ବିଭାଗୀୟ ଅଧିକାରୀଙ୍କୁ ଜଣାଇଦେଇଛୁ। ଉଲ୍ଲେଖଯୋଗ୍ୟ, ରାଉରକେଲା ଷ୍ଟେସନ ଇସ୍ପାତ ସହରାଞ୍ଚଳ, କୋଏଲନଗର, ଝିରପାଣି, ଜଗଦା, ଛେଣ୍ଡ କଲୋନି, କଳିଙ୍ଗ ବିହାର ଠାରୁ ଦୂରରେ ଥିବାରୁ ଆରକ୍ଷଣ ଟିକେଟ ବୁକିଂ ପାଇଁ ଯାତ୍ରୀମାନେ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହେଉଥିଲା। ବେଶି ସମସ୍ୟା ଭୋଗୁଥିଲେ ସହରର ବରିଷ୍ଠ ନାଗରିକ।

ରେଳବାଇ ସଙ୍ଗଠନ, ବିଭିନ୍ନ ଅନୁଷ୍ଠାନ ଓ ରାଜନୈତିକ ଦଳର ଯୋଗୁ ଚକ୍ରଧରପୁର ମଣ୍ଡଳ ପକ୍ଷରୁ ସେକ୍ଟର-୧୯ ମାର୍କେଟ କମ୍ପ୍ଲେକ୍ସରେ କମ୍ପୁଟରୀକୃତ ଆରକ୍ଷଣ କେନ୍ଦ୍ର ଖୋଲାଯାଇଥିଲା। ପ୍ରତ୍ୟେକ ଦିନ ପାଖାପାଖି ୧୦୦ରୁ ୧୫୦ ଯାତ୍ରୀ ଆରକ୍ଷଣ ଟିକେଟ୍‌ ବୁକିଂ କରିବାକୁ ଆସୁଥିଲେ। ରାଉରକେଲାରୁ ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇ, କୋଲାକାତା ସମେତ ରାଜ୍ୟର ପ୍ରମୁଖ ସହର କଟକ, ଭୁବନେଶ୍ବର, ପୁରୀ, ଭଦ୍ରକ, ବାଲେଶ୍ବର, ବ୍ରହ୍ମପୁର, କୋରାପୁଟ ଆଦି ସହରକୁ ଯିବାକୁ ଯାତ୍ରୀଙ୍କର ମଧ୍ୟ ସେକ୍ଟର-୧୯ କାଉଣ୍ଟରରେ ଭିଡ଼ ଜମୁଥିଲା।