ଆଜି ଗୋଆରୁ ଶ୍ରମିକ ସ୍ୱତନ୍ତ୍ର ଟ୍ରେନ ଭବାନୀପାଟଣାରେ ପହଞ୍ଚିବ: ୨୪ଟି ବଗିରେ ୧୬୦୦ରୁ ଉର୍ଦ୍ଧ୍ବ ପ୍ରବାସୀ ଶ୍ରମିକ ଆସିବେ

ଭବାନୀପାଟଣା: ଗୋଆର କରମାଲି ଷ୍ଟେସନରୁ ୧୬୦୦ରୁ ଉର୍ଦ୍ଧ୍ବ ପ୍ରବାସୀ ଶ୍ରମିକଙ୍କୁ ନେଇ ଏକ ସ୍ଵତନ୍ତ୍ର ଟ୍ରେନ ଆଜି ସକାଳ ୧୦ ଟା ୧୫ ମିନିଟ ରେ ଭବାନୀପାଟଣା ରେଳ ଷ୍ଟେସନରେ ପହଞ୍ଚିବ । ଏହାକୁ ଦୃଷ୍ଟିରେ ରଖି ଆଜି ରାତି ୧୨ଟାରୁ ଆସନ୍ତାକାଲି ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଭବାନୀପାଟଣା ସହର ଓ ଆଖ ପାଖ ଅଞ୍ଚଳରେ ୧୪୪ ଧାରା ଜାରି କରାଯାଇଛି ।
ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, ଗୋଆ ର କରମାଲି ଷ୍ଟେସନରୁ ଗତ ମେ ୨୩ ତାରିଖ ଠାରୁ ସ୍ୱତନ୍ତ୍ର ଟ୍ରେନ ନଂ ୦୧୬୭୬ ଭବାନୀପାଟଣା ଅଭୁମୁଖେ ବାହାରିଛି । ୨୪ଟି ବଗିରେ ୧୬୦୦ରୁ ଉର୍ଦ୍ଧ୍ଵ ଶ୍ରମିକ ଏହି ଟଟ୍ରେନ ଯୋଗେ ଆସୁଛନ୍ତି । ଆସନ୍ତା କାଲି ସକାଳ ୧୦ଟା ୧୫ ମିନିଟ ରେ ଏହି ସ୍ୱତନ୍ତ୍ର ଟ୍ରେନ ଭବାନୀପାଟଣା ରେଳ ଷ୍ଟେସନରେ ପହଞ୍ଚିବ । ଏଥିପାଇଁ ପୁଲିସ ପକ୍ଷରୁ ଆଇନଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟି ରେ ରଖି ବ୍ୟାପକ ପୁଲିସ ମୁତୟନ କରାଯାଇଛି । ଭବାନୀପାଟଣା ଉପଜିଲ୍ଲାପାଳ ସୁଶାନ୍ତ କୁମାର ସିଂ ମାଜିଷ୍ଟ୍ରେଟ ଦାୟିତ୍ୱ ରେ ଥିବା ବେଳେ ଭବାନୀପାଟଣା ସହର ଓ ଆଖ ପାଖ ଅଞ୍ଚଳରେ ୧୪୪ ଧାରା ଜାରି ପାଇଁ ନିର୍ଦ୍ଦେଶ ଦିଆଯାଇଛି ।
କେବଳ ଜରୁରୀ ମେଡିକାଲ କାର୍ଯ୍ୟରେ ଯିବା ଆସିବା ପାଇଁ ଅନୁମତି ଅଛି ।  ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ଭବାନୀପାଟଣା ରେଳ ଷ୍ଟେସନ ର ୫୦୦ ମିଟର ଅଞ୍ଚଳ, ରେଳ ଷ୍ଟେସନ ଠାରୁ ଭଙ୍ଗାବାରୀ ଭାୟା ଓୟୁଏଟି କଲେଜ, ରେଳଷ୍ଟେସନ ଠାରୁ ପରମାନନ୍ଦପୁର, କେସିଙ୍ଗା ଲେବେଳ କ୍ରସିଂ, ରେଳଷ୍ଟେସନ ଠାରୁ ମେଦିନୀପୁର ଛକ, ରେଳଷ୍ଟେସନ ଠାରୁ ଆମ୍ବେଦକ ଛକ ଓ ଭବାନୀପାଟଣା ଟାଉନ ଥାନାର ସମଗ୍ର ସହରରେ ୧୪୪ ଧାରା ଆଜି  ୨୪ ମେ ରାତି ୧୨ଟାରୁ ଆସନ୍ତା କାଲି ୨୫ ମେ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବଳବତ୍ତର ରହିବ । ଜିଲ୍ଲା ପ୍ରଶାସନ ପକ୍ଷରୁ ଶ୍ରମିକ ମାନଙ୍କୁ ବିଭିନ୍ନ ସଙ୍ଗରୋଧ କେନ୍ଦ୍ର କୁ ନେବା ପାଇଁ ବସ ର ଵ୍ୟଵସ୍ଥା କରାଯାଇଛି । ସେହିଭଳି ରେଳଷ୍ଟେସନ ଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରବାସୀ ଶ୍ରମିକ ମାନଙ୍କ ନିମନ୍ତେ ପଞ୍ଜୀକରଣ ଓ ଆନୁଷଙ୍ଗିକ ସେବା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।
ସମ୍ବନ୍ଧିତ ଖବର