ଭଞ୍ଜନଗର: ଭଞ୍ଜନଗର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ରକ୍ଷକ ଫେଜ-୨ ପ୍ରକଳ୍ପ ଅଧୀନରେ ଫାଷ୍ଟ ଏଡ଼୍‌ ତାଲିମ ଶିବିର ନୂତନ ପରିବହନ କାର୍ଯ୍ୟାଳୟ ପରିସରରେ ସୋମବାର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ତାଲିମ ଶିବିରକୁ ଏନ୍‌ଏସି ଅଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ର, ପରିବହନ ଅଧିକାରୀ ଶୁଭେନ୍ଦୁ ରଞ୍ଜନ ରାୟ ଯୋଗଦେଇ ଶୁଭାରମ୍ଭ କରିଥିଲେ। କାର୍ଯ୍ୟକ୍ରମରେ କ୍ଷେତ୍ରୀୟ ବ୍ରହ୍ମପୁର ଆଞ୍ଚଳିକ ବିଜ୍ଞାନ ମହାବିଦ୍ୟାଳୟର ଅଧକ୍ଷ ଡଃ. ବି. ଗୋବିନ୍ଦ ରାଓ, ମାଣିତରା କଲେଜ ଓଡ଼ିଆ ଅଧ୍ୟାପକ ଦିଲ୍ଲୀପ କୁମାର ଆଚାର୍ଯ୍ୟ, ଜଗନ୍ନାଥପ୍ରସାଦ କଲେଜ ଓଡ଼ିଆ ଅଧ୍ୟାପକ ଲୋକନାଥ ମହାନ୍ତି, ଏମ୍‌ଭିଆଇ ଭାଗୀରଥୀ ନାୟକ ଯୋଗଦେଇ ତାଲିମ ପ୍ରଦାନ କରିଥିଲେ। ବିଶେଷ କରି ରାସ୍ତାରେ ସଡ଼କ ଦୁର୍ଘଟଣା ହେବା ସମୟରେ ଆହତଙ୍କୁ ଡାକ୍ତରଖାନା ନେବା ପୂର୍ବରୁ କିଭଳି ତ୍ୱରିତ ଚିକିତ୍ସା ଦେବା ସହ ମେଡ଼ିକାଲ ନେବା ବ୍ୟବସ୍ଥା କରିବା ସମ୍ପର୍କରେ ତାଲିମ ପ୍ରଦାନ କରାଯାଇଥିଲା।

Advertisment

ଆହତଙ୍କୁ ଘଟଣା ସ୍ଥଳରୁ ଉଦ୍ଧାର କରିବା ସହ ସିପିଆର, ମୁହଁ ଦ୍ୱାରା ଅମ୍ଳଜାନ ଦେବା, ରକ୍ତସ୍ରାବ ବନ୍ଦ କରିବାର ବିଭିନ୍ନ ଉପାୟ ଓ ବ୍ୟବହାରିକ କାର୍ଯ୍ୟ ସମ୍ପର୍କରେ ସୂଚନା ଦେଇଥିଲେ। ଏଥିସହିତ ଦୁର୍ଘଟଣା ବହୁଳ ସ୍ଥାନରେ ଦୋକାନ କରିଥିବା ବ୍ୟକ୍ତି ମାନେ ହିଁ ଆହତଙ୍କ ନିକଟରେ ପ୍ରଥମେ ପହଞ୍ଚୁଥିବାରୁ ସେମାନଙ୍କୁ ଏଭଳି ତାଲିମ ‌ପ୍ରଦାନ ଦେବା ଅତ୍ୟନ୍ତ ଗୁରୁତ୍ବ ରହିଛି। ପରିବହନ ବିଭାଗ ପକ୍ଷରୁ ଦୁର୍ଘଟଣା ବହୁଳ ଅଞ୍ଚଳର ବ୍ୟବସାୟୀ, ଛାତ୍ରଛାତ୍ରୀ ଓ ସ୍ଥାନୀୟ ବାସିନ୍ଦାଙ୍କୁ ଏଭଳି ତାଲିମ ଶିବିରରେ ସାମିଲ କରାଯାଇଥିଲା। କାର୍ଯ୍ୟକ୍ରମରେ ବିପଦର ବନ୍ଧୁ, ହେଲପିଙ୍ଗ ହେଣ୍ଡ ସଙ୍ଗଠନର ସଦସ୍ୟ ସହ ବହୁ ସ୍ବେଚ୍ଛାସେବୀ ଉପସ୍ଥିତ ରହିଥିଲେ।