ବାଲେଶ୍ୱର:ଟାଟା ଗ୍ରୁପର କର୍ପୋରେଟ୍ ସାମାଜିକ ଦାୟିତ୍ୱବୋଧ (ସିଏସ୍ଆର୍) ଜରିଆରେ ଟିସିଏସ୍ ସହିତ ମିଶି ଟିପିଏନ୍ଓଡିଏଲ୍ ଏମ୍ପ୍ଲୟାବିଲିଟି ତାଲିମ କାର୍ଯ୍ୟକ୍ରମ ସଫଳତାର ସହ ରାଇରଙ୍ଗପୁର ଓ ଯାଜପୁରର ୧୨ ଛାତ୍ରଛାତ୍ରୀଙ୍କୁ ନିଯୁକ୍ତି ସୁଯୋଗ ପ୍ରଦାନ କରିଛି । ରାଇରଙ୍ଗପୁରର ଗୋରୁମହିଷାଣୀ କଲେଜ ଓ ଯାଜପୁର ଭିଟିସିରେ ଟିପିଏନ୍ଓଡିଏଲ୍ ପକ୍ଷରୁ ଆୟୋଜିତ ‘ନିଯୁକ୍ତି ତାଲିମ’କୁ ସଫଳତାର ସହ ଶେଷ କରିଥିବା ପ୍ରଶିକ୍ଷାର୍ଥୀମାନେ ୨୦୨୩ ଅକ୍ଟୋବର ୫ରେ ଗୋରୁମହିଷାଣୀ କଲେଜରେ ଆୟୋଜିତ ନିଯୁକ୍ତି ଅଭିଯାନରେ ଅଂଶଗ୍ରହଣ କରିଥିଲେ । ଲିଖିତ ପରୀକ୍ଷାରେ ମୋଟ ୪୯ ପ୍ରାର୍ଥୀ ଅଂଶଗ୍ରହଣ କରିଥିବା ବେଳେ ୨୭ ଜଣ ସେଥିରେ ଉତୀର୍ଣ୍ଣ ହୋଇଥିଲେ । ଲିଖିତ ପରୀକ୍ଷା ପରେ ଟିଆର୍ ପର୍ଯ୍ୟାୟ, ଏଚ୍ଆର୍ ପର୍ଯ୍ୟାୟ ଓ ଏମ୍ଆର୍ ପର୍ଯ୍ୟାୟ ହୋଇଥିଲା । ଟିସିଏସ୍ର ଏଚ୍ଆର୍ ଟିମ୍ ସମସ୍ତ ପ୍ରାର୍ଥୀଙ୍କ ସାକ୍ଷାତକାର ନେଇଥିଲେ ଓ ୧୨ ଜଣ ପ୍ରାର୍ଥୀଙ୍କୁ ଚୟନ କରିଥିଲେ । ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ଥିଲା ଅନଗ୍ରସର ଗୋଷ୍ଠୀର ପିଲାମାନଙ୍କୁ ଲଘୁ ଦକ୍ଷତା ପ୍ରଦାନ କରିବା ଏବଂ ନିଯୁକ୍ତି ପାଇଁ ପ୍ରସ୍ତୁତ ହେବା ଦକ୍ଷତା ଦେବା ଯଦ୍ୱାରା ସେହି ଛାତ୍ରଛାତ୍ରୀମାନେ ସାମାଜିକ, ଅର୍ଥନୈତିକ ଓ ସାଂସ୍କୃତିକ ପ୍ରତିବନ୍ଧକକୁ ଦୂର କରି ପେସାଦାର ଜୀବନରେ ସଫଳତା ହାସଲ କରିପାରିବେ ।
ଚୟନ କରାଯାଇଥିବା ପ୍ରାର୍ଥୀମାନଙ୍କୁ ଯୋଗାଯୋଗ ଦକ୍ଷତା, ଦଳଗତ କାର୍ଯ୍ୟ, ସମସ୍ୟା ସମାଧାନ, ସମୟ ପରିଚାଳନା ଓ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଦକ୍ଷତା ଉପରେ ୨୧ ଦିନିଆ କଠୋର ତାଲିମ ପ୍ରଦାନ କରାଯାଇଥିଲା । ଟିସିଏସ୍ର ଅଭିଜ୍ଞ ପେସାଦାରମାନେ ତାଲିମ ପ୍ରଦାନ କରିଥିଲେ ଏବଂ କର୍ମଜୀବନର ଆହ୍ୱାନଗୁଡ଼ିକର ମୁକାବିଲା କରିବା ଲାଗି ସେମାନଙ୍କୁ ପ୍ରସ୍ତୁତ କରାଯାଇଥିଲା । ଏହି ତାଲିମରେ ପ୍ରାର୍ଥୀମାନଙ୍କୁ ବାୟୋଡାଟା ଲିଖନ ଓ ସାକ୍ଷାତକାରରେ ଅଂଶଗ୍ରହଣ ଉପରେ କର୍ମଶାଳା ଆୟୋଜନ କରାଯାଇଥିଲା । ଟିପିଏନ୍ଓଡିଏଲ୍ ପକ୍ଷରୁ ଏହି ପିଲାମାନଙ୍କ ଲାଗି ଅନ୍ୟାନ୍ୟ ପ୍ଲେସମେଂଟ୍ ସୁଯୋଗ ସନ୍ଧାନ କରାଯାଉଛି । ଏହା ଦ୍ୱାରା ଟିସିଏସ୍ ପକ୍ଷରୁ ଏମ୍ପ୍ଲୟାବିଲିଟି ପାଠ୍ୟକ୍ରମରେ ନିଯୁକ୍ତି ପ୍ରଦାନ କରାଯାଇଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା ବାଲେଶ୍ୱର ଭିଟି କେନ୍ଦ୍ର ସମେତ ଏବେ ୨୪ରେ ପହଂଚିଛି । ଟିପିଏନ୍ଓଡିଏଲ୍ର ସିଇଓ ଶ୍ରୀ ଭାସ୍କର ସରକାର ଛାତ୍ରଛାତ୍ରୀମାନଙ୍କ ଏହି ସଫଳତାକୁ ନେଇ ନିଜ ଉତ୍ସାହ ପ୍ରକାଶ କରିବା ସହ କହିଛନ୍ତି ଯେ, “ଶିକ୍ଷାଗତ ଓ ପ୍ରଫେସନାଲ୍ ଉଦ୍ୟମରେ ଏହି ଛାତ୍ରଛାତ୍ରୀମାନଙ୍କ ସଫଳତାକୁ ନେଇ ଆମେ ଅତ୍ୟନ୍ତ ଉତ୍ସାହିତ । ଏହା ଜରିଆରେ ଛାତ୍ରଛାତ୍ରୀମାନେ ସେମାନଙ୍କ ପରିବାର ଓ ଗୋଷ୍ଠୀ ସମୁଦାୟକୁ ଆର୍ଥିକ ସ୍ତରରେ ସହଯୋଗ କରିପାରିବେ । ଆଗାମୀ ଦିନରେ ଏହି ଛାତ୍ରଛାତ୍ରୀମାନେ ସ୍ଥାନୀୟ ଅଂଚଳର ଅନ୍ୟ ପିଲା ଓ ଯୁବପିଢ଼ିମାନଙ୍କ ଲାଗି ପ୍ରେରଣା ଓ ଉତ୍ସାହରେ ପରିଣତ ହେବେ ।