ମାଲକାନଗିରି: ମାଲକାନଗିରି ପୁଲିସ ପ୍ରଶାସନ ତରଫରୁ ସ୍ଥାନୀୟ ସିଭିଲ ସୋସାଇଟି ସହାୟତାରେ ଜିଲ୍ଲାର ଚାରି ଶହରୁ ଊର୍ଦ୍ଧ୍ବ ଆଶାୟୀ ଯୁବକ ଯୁବତୀଙ୍କୁ ନେଇ ସ୍ଥାନୀୟ ସରକାରୀ ପଲିଟେକ୍‌ନିକ ଅନୁଷ୍ଠାନ, ପ୍ରଧାନୀଗୁଡା ଠାରେ ଜିଲ୍ଲାସ୍ତରୀୟ କନେଷ୍ଟବଳ ନିଯୁକ୍ତି ପରୀକ୍ଷା ନିମନ୍ତେ ଏକ ସଚେତନତା ତଥା ଏକ ଦିବସୀୟ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ମାଲକାନଗିରି ଆରକ୍ଷୀ ଅଧିକ୍ଷକ ନୀତେଶ ୱାଧୱାନୀ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିବା ସହ ଆଶାୟୀପାର୍ଥୀ ମାନଙ୍କୁ ପରୀକ୍ଷା ଉପଯୋଗୀ କେତେ ଗୁଡିଏ ଗୁରୁତ୍ୱପୂର୍ଣ୍ଣ ସୂଚନା ପ୍ରଦାନ କରି ସମସ୍ତଙ୍କର ସଫଳତା କାମନା କରିଥିଲେ।

Advertisment

ସମ୍ମାନୀତ ଅତିଥି ଭାବେ ସମନ୍ୱିତ ଆଦିବାସୀ ଉନ୍ନୟନ ବିଭାଗର ପ୍ରକଳ୍ପ ପ୍ରଶାସକ ତ୍ରିନାଥ ମାଝୀ ମାଲକାନଗିରି ପାର୍ଥୀମାନଙ୍କୁ ପରୀକ୍ଷାରେ ସଫଳତା ଲାଭ କରିବାର କେତେ ଗୁଡିଏ ଉପାୟ ଉପରେ ଆଲୋକପାତ କରିଥିଲେ। ମାଲକାନଗିରି ମହାବିଦ୍ୟାଳୟର ବାଣିଜ୍ୟ ବିଭାଗର ମୁଖ୍ୟ ଅଧ୍ୟାପକ ଓ ସିଭିଲ ସୋସାଇଟି ଅନୁଷ୍ଠାନ ମାଲକାନଗିରିର ସକ୍ରିୟ ସଭ୍ୟ ଡ଼ଃ. ରଞ୍ଜନ କୁମାର ସ୍ୱାଇଁ ସଭାପତିତ୍ୱ କରିଥିବା ବେଳେ ପଲିଟେକ୍‌ନିକ ଅନୁଷ୍ଠାନର ଅଧ୍ୟକ୍ଷ ଜନାର୍ଦ୍ଦନ ଦାସ ସ୍ୱାଗତ ଅଭିଭାଷଣ ଦେଇଥିଲେ। ଅନୁଷ୍ଠାନର ଅଧ୍ୟାପକ ବିପିନ ବିହାରୀ ମହାନ୍ତି ଓ ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତାଗଣ କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ।

ଅନୁଷ୍ଠାନର ଦୁଇଟି କେନ୍ଦ୍ରରେ ଅନୁଷ୍ଠିତ ତାଲିମ କାର୍ଯ୍ୟକ୍ରମକୁ ପର୍ଯ୍ୟାୟକ୍ରମେ ଜିଲ୍ଲାର ବିଭିନ୍ନ ବିଭାଗର ଅଧିକାରୀଗଣ ପରିଚାଳନା କରିଥିଲେ। ପୂର୍ବତନ ମାଲକାନଗିରି ତହସିଲଦାର ରାଖେଲ ପରିଡା ଲଜିକାଲ ରିଜୋନିଂ ଶିକ୍ଷାଦାନ କରିଥିଲେ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ, ସୀମାଞ୍ଚଳ ପଣ୍ଡା ଓଡିଆ ଶିକ୍ଷଦାନ କରିଥିବା ବେଳେ ଜଗନ୍ନାଥପାଲ୍ଲୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଇଂ. ଈଶ୍ୱର ରାଓ ଇଂରାଜୀ ଶିକ୍ଷାଦାନ କରିଥିଲେ। ଶିକ୍ଷକ ରାମପ୍ରସାଦ ପାଢ଼ୀ ଗଣିତ, ଶିକ୍ଷକ ବିଜୟ କୁମାର ମିସ୍ତ୍ରୀ ମାନସିକ ଦକ୍ଷତା, ବିପ୍ଳବ ଦେବନାଥ ସାଧାରଣ କମ୍ପ୍ୟୁଟର ଦକ୍ଷତା, ଅବସରପ୍ରାପ୍ତ ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ କୋରକୁଣ୍ଡା ସାଧାରଣ ଜ୍ଞାନ ଉପରେ ଶିକ୍ଷାର୍ଥୀ ମାନଙ୍କୁ ସଚେତନ କରିଥିଲେ।

publive-image Sambad

ଅପରାହ୍ନରେ  ମାଲକାନଗିରି ଜିଲ୍ଲାର ଛାତ୍ର ବିଗତବର୍ଷ ଓସିଏସ ପରୀକ୍ଷାରେ ପାଞ୍ଚ ନମ୍ବର ରାଙ୍କ ରଖି ଓଏଏସ ଭାବେ ଟିଓଆର ଭାବେ ଯୋଗ ଦେଇଥିବା ଦେବବ୍ରତ ମହାରଣା ଆଶାୟୀ ପାର୍ଥୀମାନଙ୍କୁ ନିଜ ଅଭିଜ୍ଞତାରୁ ସଫଳତାର ସୂତ୍ର ବିଷୟରେ ଆଲୋକପାତ କରିଥିଲେ। ଉଦଯାପନୀ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ମହେଶ୍ୱର ଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ମାଲକାନଗିରି ଜିଲ୍ଲା ତଥା ସ୍ୱାଭିମାନ ଅଞ୍ଚଳର ଯୁବକ ଯୁବତୀ ମାନେ କିପରି ଅଧକରୁ ଅଧିକ ସଫଳତା ହାସଲ କରିବେ ସେଥିପାଇଁ ପ୍ରଶାସନ ସବୁପ୍ରକାର ସାହାଯ୍ୟ ସହଯୋଗ କରିବ ବୋଲି ମତପ୍ରକାଶ କରିବା ସହ ପାର୍ଥୀ ମାନଙ୍କୁ ଜୀବନରେ ସଫଳତା ଲାଭ କରିବାପାଇଁ ଅନେକ ପ୍ରେରଣାପ୍ରଦ ଉଦାହରଣ ଦେଇଥିଲେ।ପରିଶେଷରେ ପାର୍ଥୀ ମାନଙ୍କୁ ପୋଲିସ ପ୍ରଶାସନ ଓ ସିଭିଲ ସୋସାଇଟି ତରଫରୁ ଲିଖନ ସାମଗ୍ରୀ ଓ ବିଗତବର୍ଷ ଗୁଡିକର ନମୁନା ପ୍ରଶ୍ନପତ୍ର ଯୋଗାଇ ଦିଆଯାଇଥିଲା।