ସମୁଦ୍ରରେ ମାଛ ମାଫିଆଙ୍କ ଉତ୍ପାତ: ପାଟ୍ରୋଲିଂ ଟ୍ରଲର ଭାଙ୍ଗିଲା, ୩ ବନ କର୍ମଚାରୀ ଆହତ

ରାଜନଗର: କଇଁଛ ସୁରକ୍ଷାରେ ନିୟୋଜିତ ବନବିଭାଗ ପାଟ୍ରୋଲିଂ ଟିମ୍‌ ଉପରେ ମାଛ ମାଫିଆ ଆକ୍ରମଣ କରିଛନ୍ତି। ବନବିଭାଗର ପାଟ୍ରୋଲିଂ ଟ୍ରଲରକୁ ସମୁଦ୍ର ଭିତରେ ବୁଡାଇ ଦେବାକୁ ଉଦ୍ୟମ କରିଛନ୍ତି। ନିଷିଦ୍ଧାଞ୍ଚଳରେ ବେଆଇନ ଭାବେ ମାଛ ମାରୁଥିବା ଟ୍ରଲରକୁ ବନବିଭାଗ କର୍ମଚାରୀ ଧରିବାକୁ ଯିବା ବେଳେ ଏଭଳି ଆକ୍ରମଣ ହୋଇଛି। ଟ୍ରଲର ଆକ୍ରମଣରେ ପାଟ୍ରୋଲିଂ ଟ୍ରଲରର କିଛି ଅଂଶ ଭାଙ୍ଗି ଯାଇଛି। ସେମାନଙ୍କ ଆକ୍ରମଣରେ ୩ ବନ କର୍ମଚାରୀ ଆହତ ହୋଇଛନ୍ତି। ବନବିଭାଗ ପକ୍ଷରୁ ଧାମରା ସାମୁଦ୍ରିକ ଥାନାରେ ଏ ନେଇ ଲିଖିତ ଅଭିଯୋଗ କରାଯାଇଛି। ବନବିଭାଗ ପାଟ୍ରୋଲିଂ ଟିମ୍‌ ଜୀବନକୁ ବାଜି ଲଗାଇ ଆକ୍ରମଣ କରିଥିବା ଟ୍ରଲରକୁ ଜବତ କରିବାରେ ସଫଳ ହୋଇଥିବା ବେଳେ ୯ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ବିରଳ ଅଲିଭରିଡଲେ କଇଁଛଙ୍କ ପ୍ରଜନନ ଋତୁ ନଭେମ୍ବର ୧ରୁ ଆରମ୍ଭ ହୋଇଛି। ବର୍ଷତମାମ କଟକଣା ଥିବା ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ସମେତ ଦେବୀ ମୁହାଣଠାରୁ ଧାମରା ମୁହାଣ ଯାଏ କୂଳଠାରୁ ୨୦ କିମି ଯାଏ ମାଛଧରା ଓ ଟ୍ରଲର ଚଳାଚଳ ଉପରେ କଟକଣା ଜାରି କରାଯାଇଛି। ନିଷିଦ୍ଧାଞ୍ଚଳରେ ଯେପରି କୌଣସି ଟ୍ରଲର ବା ବୋଟ ପଶି ମାଛ ନ ମାରନ୍ତି ଏବଂ ଟ୍ରଲର ଚଳାଚଳ ଯୋଗୁଁ କଇଁଛଙ୍କ ଉପରେ କୌଣସି ବାଧା ନ ପହଞ୍ଚେ ସେଥିପାଇଁ ପାଟ୍ରୋଲିଂ କଡାକଡି କରାଯାଉଛି। ୨୫ ତାରିଖ ରାତି ପ୍ରାୟ ୧୧ଟାରେ ଧାମରା ପୋର୍ଟ ପକ୍ଷରୁ ବନବିଭାଗକୁ ଯୋଗାଇ ଦିଆଯାଇଥିବା ୪୦୦ ହର୍ସପାୱାର ବିଶିଷ୍ଟ ‘ଏମ୍‌ଭି ଲକ୍ଷ୍ମୀ’ ଟ୍ରଲରରେ ରାଜନଗର ବନବିଭାଗର ବିଭୂତି ଭୂଷଣ ତରାଇ ଓ ଏକ ସ୍ପିଡ୍‌ ବୋଟରେ ଭଦ୍ରକ ଡିଭିଜନର ରେଂଜ ଅଫିସର ରଂଜିତ ମହାନ୍ତିଙ୍କ ନେତୃତ୍ବରେ ବନ କର୍ମଚାରୀମାନେ ମିଳିତ ପାଟ୍ରୋଲିଂ କରୁଥିଲେ। ବାବୁବାଲିଠାରୁ ୧୬ କିଲୋମିଟର ଦୂରରେ ବନବିଭାଗ ପାଟ୍ରୋଲିଂ ଟିମ ପଇଁତରା ମାରୁଥିବା ବେଳେ ‘ମନ୍ମୟ’ ନାମକ ଟ୍ରଲରରେ ମତ୍ସ୍ୟଜୀବୀମାନେ ବେଆଇନ ଭାବେ ମାଛ ମାରୁଥିବା ଦେଖିଥିଲେ। ସେହି ଟ୍ରଲର ପାଖରେ ପହଞ୍ଚି ୩ ବନ କର୍ମଚାରୀ ତା’ ଭିତରକୁ ଡେଇଁ ପଡିଥିଲେ।

ମାଛ ମାରୁଥିବା ଟ୍ରଲରଟି ସେଠାରେ ଅଟକିବା ବଦଳରେ ବନବିଭାଗ ପାଟ୍ରୋଲିଂ ଟ୍ରଲରକୁ ଆକ୍ରମଣ କରିଥିଲା। ବନବିଭାଗ ପାଟ୍ରୋଲିଂ ଟ୍ରଲରକୁ ଆଗ ପଟେ ବାରମ୍ବାର ଧକ୍କା ଦେବା ସହ ଟ୍ରଲରକୁ ବୁଡାଇ ଦେବାକୁ ଉଦ୍ୟମ କରିଥିଲା। ପାଟ୍ରୋଲିଂ ଟ୍ରଲରର ଆଗପଟେ କିଛି ଅଂଶ ଭାଙ୍ଗିଯାଇଛି। ଏହାପରେ ବେଆଇନ ମାଛ ମାରୁଥିବା ଟ୍ରଲରରେ ଥିବା ମତ୍ସ୍ୟଜୀବୀମାନେ ୩ ବନ କର୍ମଚାରୀଙ୍କୁ ଆକ୍ରମଣ କରିଥିଲେ। ବାଡି ଓ ଛୁରିରେ ଜୀବନରୁ ମାରିଦେବାକୁ ଉଦ୍ୟମ କରିଥିଲେ। ଆକ୍ରମଣରେ ଦୀପକ ମଣ୍ତଳ, ଅଜିତ ଜର୍ଦ୍ଧାର, ମଧୁସୂଦନ ବେହେରା ପ୍ରମୁଖ ୩ ବନକର୍ମଚାରୀ ଗୁରୁତର ଆହତ ହୋଇଛନ୍ତି। ଏପରିକି ‌ସେମାନେ ଏହି ବନ କର୍ମଚାରୀଙ୍କୁ ସେମାନଙ୍କ ଟ୍ରଲରରେ ନେଇ ପଳାଇ ଯିବାକୁ ଉଦ୍ୟମ କରିଥିଲେ। ଜୀବନକୁ ବାଜି ଲଗାଇ ଟ୍ରଲର କ୍ଷତିଗ୍ରସ୍ତ ହେବା ପରେ ବି ରାଜନଗର ଓ ଭଦ୍ରକର ବନବିଭାଗ ପାଟ୍ରୋଲିଂ ଟିମ ‘ମନ୍ମୟ’ ଟ୍ରଲରକୁ ଗଭୀର ସମୁଦ୍ରରେ ଧରିବାରେ ସକ୍ଷମ ହୋଇଥିଲେ। ଟ୍ରଲର ଜବତ କରାଯିବା ସହ ଏଥିରେ ଥିବା ମନୋରଂଜନ ମାଇତି, ଗୌରାଙ୍ଗ ମଣ୍ତଳ, ସୁଶାନ୍ତ ଗିରି, ବିଶ୍ବନାଥ ମଣ୍ତଳ, ମିଥୁନ ମଣ୍ତଳ, ଅନନ୍ତ ମଣ୍ତଳ, ଗୌରାଙ୍ଗ ମାଇତି, କାଶୀନାଥ ମାଝି, କୈଳାସ ମଲିକ ପ୍ରମୁଖ ୯ଜଣଙ୍କୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଛି। ଜବତ ଟ୍ରଲରରୁ ୩୬ କୁଇଂଟାଲ ମାଛ ଜବତ କରାଯାଇଛି। ଭଦ୍ରକ ରେଂଜ ଅଫିସର ରଂଜିତ ମହାନ୍ତି ଏ ନେଇ ଧାମରା ସାମୁଦ୍ରିକ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ବନବିଭାଗ ପାଟ୍ରୋଲିଂ ଟିମ୍‌କୁ ଆକ୍ରମଣ କରିଥିବା ଟ୍ରଲରଟି ବାଲେଶ୍ବର ଅଂଚଳର ଓ ବିଭାସ କୁମାର ପଣ୍ତାଙ୍କର ବୋଲି ଜଣାପଡିଛି।

ସମ୍ବନ୍ଧିତ ଖବର