ରାୟଗଡା: ସିସିଟିଭି ଫୁଟେଜରେ କଏଦ ହୋଇଛି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାର ଦୃଶ୍ୟ । ଟ୍ୟାଙ୍କର ଗାଡି ଡ୍ରାଇଭର ଗାଡିର ଚକାଗୁଡିକୁ ତନଖି କରୁଥିବା ବେଳେ ପଛପଟୁ ଆସି ଧକ୍କା ଦେଇ ଚାଲିଗଲା ଏକ କୋଇଲା ବୋଝେଇ ଟ୍ରକ । ଘଟଣାସ୍ଥଳରେ ଗୁରୁତର ଅବସ୍ଥାରେ ଟ୍ୟାଙ୍କର ଡ୍ରାଇଭରକୁ ଚିକିତ୍ସାଳୟରେ ଭର୍ତି କରାଯାଇଥିଲା । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ରାୟଗଡା ସହରର ଷ୍ଟେଟବ୍ୟାଙ୍କ ଛକ ଠାରୁ ଶ୍ରୀ ଜଗନ୍ନାଥ ମନ୍ଦିର ମୁଖ୍ୟ ରାସ୍ତା ମଝିରେ ଥିବା ପୁରୁଣା ପୋଲିସ ଷ୍ଟେସନ ସମ୍ମୁଖରେ । ଗୁରତର ଆହାତ ହୋଇଥିବା ଡ୍ରାଇଭର ସି.ଏଚ.କ୍ରିଷ୍ଣା ବୋଲି ଜଣାପଡିଥିବା ବେଳେ ତାଙ୍କ ଘର ଆନ୍ଧ୍ର ପ୍ରଦେଶ ରାଜମୁନ୍ଦ୍ରିର କହରା ଗ୍ରାମରେ । ଦୁର୍ଘଟଣା ଘଟାଇଥିବା କୋଇଲା ବୋଝେଇ ଟ୍ରକ ଡ୍ରାଇଭର ହେମସିଂ ତୋମାରକୁ ରାୟଗଡା ଥାନା ପୋଲିସ ଅଟକ ରଖିଥିବା ବେଳେ ଗୁରୁତର ଡ୍ରାଇଭର କ୍ରିଷ୍ଣାଙ୍କ ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ ରହିଥିବାରୁ ତାଙ୍କ ପରିବାର ଲୋକେ ରାୟଗଡାରେ ପଂହଚିବା ପରେ ଉଚ୍ଚ ଚିକିତ୍ସା ନିମନ୍ତେ ଅନ୍ୟତ୍ର ସ୍ଥାନାନ୍ତର କରାଯିବ ବୋଲି ସୂଚନା ମିଳିଛି ।
ବିଶାଖାପାଟଣମରୁ ଜେକେପୁରର ଜେକେ ପେପର ମିଲ ନିମନ୍ତେ ଟ୍ୟାଙ୍କର (ଏପି୩୭ ଟିଇ ୫୨୫୬)ଯୋଗେ କେମିକଲ ଲିକ୍ୱିଡ୍ ନେଇ ଡ୍ରାଇଭର କ୍ରିଷ୍ଣା ପଂହଚିଥିବା ବେଳେ ଆଜି ସକାଳେ ସେ ଅନଲୋଡ କରି ଜେକେପୁରରୁ ବିଶାଖାପାଟଣମ ଅଭିମୁଖେ ବାହାରିଥିଲେ । ରାୟଗଡା ସହରର ପୁରୁଣା ପୋଲିସ ଷ୍ଟେସନ ସମ୍ମୁଖ ମୁଖ୍ୟ ରାସ୍ତା କଡରେ ଟ୍ୟାଙ୍କର ଗାଡିକୁ ଛିଡା କରି ଚକାଗୁଡିକୁ ତନଖି କରୁଥିବା ସମୟରେ ରାୟପୁରରୁ ବିଶାଖାପଟଣମ ଅଭିମୁଖେ ଯାଉଥିବା କୋଇଲା ବୋଝେଇ ଟ୍ରକ(ସିଜି୦୪ଏମକ୍ୱ୍ୟୁ ୭୫୭୦)ଡ୍ରାଇଭର କ୍ରିଷ୍ଣାଙ୍କୁ ଧକ୍କା ଦେଇଥିଲା । ଯାହାର ଦୃଶ୍ୟ ସ୍ଥାନୀୟ ଏକ ସିସିଟିଭି ଫୁଟେଜରେ କଏଦ ହୋଇଥିଲା । ଡ୍ରାଇଭର କ୍ରିଷ୍ଣାଙ୍କୁ ଧକ୍କା ଦେଇ କୋଇଲା ବୋଝେଇ ଟ୍ରକ ଆଗକୁ ଯାଇଥିବା ବେଳେ ଘଟଣାସ୍ଥଳରେ ଗୁରୁତର ଅବସ୍ଥାରେ ଡ୍ରାଇଭର କ୍ରିଷ୍ଣା ପଡି ରହିଥିଲା । ପରେ ସ୍ଥାନୀୟ କିଛି ଲୋକେ ପୋଲିସ ଏବଂ ଆମ୍ବୁଲାନ୍ସକୁ ଖବର ଦେବା ପରେ ଆମ୍ବୁଲାନ୍ସ ଯୋଗେ ଗୁରୁତର ଅବସ୍ଥାରେ କ୍ରିଷ୍ଣାଙ୍କୁ ରାୟଗଡା ଜିଲ୍ଳା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ଚାଲିଥିବା ଜଣାପଡିଛି ।