ବିଦ୍ୟୁତ୍ ଟ୍ରାନସଫର୍ମର ଚୋରିବେଳେ ଧରାପଡିଲା ଲୁଟେରା, ପୁଲିସ ଜିମାରେ ଚୋରକୁ ଦେଲେ ଗ୍ରାମବାସୀ

ଡାବୁଗାଁ: ନବରଙ୍ଗପୁର ଜିଲ୍ଲା ଡ଼ାବୁଗାଁ ଥାନା ଅନ୍ତର୍ଗତ ଉମୁରାହାଣ୍ଡି ଗ୍ରାମରେ ଆଜି ସନ୍ଧ୍ୟା ସମୟରେ ବିଦ୍ୟୁତ ଟ୍ରାନସଫର୍ମର ଚୋରି କରି ନେଉଥିବା ସମୟରେ ଜଣେ ଚୋର ଗ୍ରାମବାସୀଙ୍କ ହାତରେ ଧରାପଡ଼ିଥିବା ବେଳେ ଅନ୍ୟ ତିନି ଜଣ ଖସିଯିବାକୁ ସକ୍ଷମ ହୋଇଛନ୍ତି | ତେବେ ବିଦ୍ୟୁତ୍ ଟ୍ରାନସଫର୍ମର ସହ ଗ୍ରାମବାସୀଙ୍କ ହାତରେ ଚୋର ଧରାପଡ଼ିବା ପରେ ଡାବୁଗାଁ ପୁଲିସ ଜିମାରେ ଦେଇଛନ୍ତି | ଚୋର ଜଣକ ଡାବୁଗାଁ ସଦର ନୁଆଗୁଡ଼ାର ବୋଲି ଜଣା ପଡ଼ିଛି | ସୂଚନା ଅନୁଯାୟୀ ଦୀର୍ଘଦିନ ହେଲା ପାପଡାହାଣ୍ଡି ବିଦ୍ୟୁତ୍ ଡିଭିଜନର ବିଭିନ୍ନ ଗ୍ରାମରୁ ବିପିଏଲ ବିଦ୍ୟୁତ ଗ୍ରାହକଙ୍କ ପାଇଁ ଦିଆଯାଇଥିବା ବିଦ୍ୟୁତ ଟ୍ରାନସଫର୍ମର ଚୋରି ହେଉଥିଲା |

ଏ ନେଇ ବିଦ୍ୟୁତ ବିଭାଗ ତରଫରୁ ଡାବୁଗାଁ ସହ କୋଷାଗୁମୁଡ଼ା ଓ ପାପଡାହାଣ୍ଡି ଥାନାରେ ଅଭିଯୋଗ ହୋଇଥିବା ବେଳେ ବିଦ୍ୟୁତ ବିଭାଗର ମୁଣ୍ଡ ବ୍ୟଥା ପାଲଟିଥିଲା | ତେବେ ପୁଲିସ ଏ ପର୍ଯ୍ୟନ୍ତ ଟ୍ରାନସଫର୍ମର ଚୋରଙ୍କୁ ଧରିବାକୁ ସକ୍ଷମ ହୋଇନଥିବାବେଳେ ଗତ ସପ୍ତାହକ ତଳେ ଡାବୁଗାଁ ଥାନା ଅନ୍ତର୍ଗତ ମାନିଗାଁଠାରେ ଏକ ବିଦ୍ୟୁତ ଟ୍ରାନସଫର୍ମର ଚୋରି ହୋଇଥିଲା | ଏହା ଜାଣିପାରି ନିକଟ ଉମୁରାହାଣ୍ଡି ଗ୍ରାମବାସୀ ସତର୍କତା ଅବଲମ୍ବନ କରିଥିଲେ | ଉମୁରାହାଣ୍ଡି ଗ୍ରାମ ଅଙ୍ଗିନଦି ପାଖରେ ଥିବା ବିଦ୍ୟୁତ ଟ୍ରାନସଫର୍ମରକୁ ଗତକାଲି ଦୁର୍ବୃତ୍ତମାନେ ୭୦ ଭାଗ କାଟିଥିଲେ |

ଆଜି ସନ୍ଧ୍ୟାରେ ବଳକା ୩୦ ଭାଗ କାଟି ତାହାକୁ ଚୋରି କରି ନେବା ପାଇଁ ୪ ଜଣ ଚୋର ଉଦ୍ୟତ ହେଉଥିବା ସମୟରେ ପୂର୍ବରୁ ଜଗି ରହିଥିବା ଗ୍ରାମବାସୀ ତୁରନ୍ତ ଚୋରକୁ କାବୁ କରିଥିବାବେଳେ ସାଥିରେ ଥିବା ଅନ୍ୟ ତିନି ଜଣ ଚୋର ସେଠାରୁ ଚଂପଟ ମାରିଥିଲେ | ତେବେ ଏହି ଲୁଟେରାଙ୍କ ନେଟୱାର୍କ କେତେଦୂର ପର୍ଯ୍ୟନ୍ତ ଲମ୍ବିଛି ଏବଂ ଏଥିରେ ବଡ଼ ଚୋରି ରାକେଟର ସଂପୃକ୍ତି ଅଛି କି ନାହିଁ ତାହା ପୁଲିସ ତଦନ୍ତ ପରେ ଜଣା ପଡ଼ିବ |

ସମ୍ବନ୍ଧିତ ଖବର