ସମ୍ୱଲପୁରରେ ଚାଞ୍ଚଲ୍ୟ, କିନ୍ନରଙ୍କ ତଣ୍ଟି କାଟି ହତ୍ୟା

ସମ୍ବଲପୁର: କିନ୍ନରଙ୍କୁ ଧାରୁଆ ଅସ୍ତ୍ରରେ ତଣ୍ଟି କାଟି ହତ୍ୟା | ସମ୍ୱଲପୁରର ବୁର୍ଲା ଥାନା ଅଞ୍ଚଳ‌ରେ ଏହି ଘଟଣା ଘଟିଛି | ଖବରପାଇ ବୁର୍ଲା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ଲାଗି ବୁର୍ଲା ବଡ଼ ମେଡିକାଲ୍‌ ପଠାଇଛି। ସୂଚନା ମୁତାବକ କିନ୍ନର ଫିରୋଜ ଛାତ୍ରୀଆ ଗୋଶାଳା କଦମପଡ଼ାରେ ରହୁଥିଲେ। ଆଉ ଆଜି ଗୋଡ଼ଭଗା ଛକରୁ ସମ୍ବଲପୁର ଜାତୀୟ ରାଜପଥ ପାର୍ଶ୍ୱରେ ତାଙ୍କର ମୃତଦେହ ପଡିଥିବାର ଲୋକମାନେ ଦେଖିଥିଲେ। ଏହା ପରେ ସ୍ଥାନୀୟ ଲୋକ ଗୋଶାଳା ଫାଣ୍ଡି ଅଧିକାରୀ ପ୍ରକାଶ ଆଚାର୍ଯ୍ୟଙ୍କୁ ଖବର ଦେଇଥିଲେ।

ଖବରପାଇ ବୁର୍ଲା ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ। କୌଣସି ଧାରୁଆ ଅସ୍ତ୍ରରେ ତାଙ୍କ ତଣ୍ଟି କାଟି ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ତେବେ କିଏ କାହିଁକି ଏପରି ହତ୍ୟା କଲା ସେ ବାବଦରେ ପୁଲିସ ଅଧିକ ତଦନ୍ତ ଚଳାଇଛି | ଘଟଣାସ୍ଥଳରୁ ଏକ ସ୍କୁଟି (ଓଡି-୧୫-ପି-୭୭୪୯)କୁ ଉଦ୍ଧାର କରାଯାଇଥିବାବେଳେ ଏଥିରୁ ଏକ ମୋବାଇଲ୍‌ ଫୋନ୍‌, ପର୍ସ ଓ କିଛି ଆପତ୍ତିଜନକ ସାମଗ୍ରୀ ଜବତ କରାଯାଇଛି। ପର୍ସରୁ ୬ ହଜାର ୭୦ ଟଙ୍କା ଜବତ କରାଯାଇଛି। ପୂର୍ବ ଶତ୍ରୁତାକୁ ନେଇ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି।

ସମ୍ବନ୍ଧିତ ଖବର