ଅନୁଗୁଳ: କରୋନା ସଂକ୍ରମଣ ଯେଭଳି ପରିସ୍ଥିତି ସୃଷ୍ଟି କରିଛି ତାହାକୁ ଦେଖି ସମସ୍ତେ ଭୟଭୀତ ହୋଇପଡ଼ିଛନ୍ତି। ଯେତେବେଳେ ସଂକ୍ରମଣ ଭୟରେ ଶବକୁ ସ୍ପର୍ଶ କରୁ ନାହାନ୍ତି ସମ୍ପର୍କୀୟ, ପାଖ ମାଡନ୍ତିନି ପରିବାର ଲୋକେ । କରୋନା ଭୟରେ ମାଆର ମୁହଁକୁ ଚାହୁଁନି ପୁଅ । ସ୍ତ୍ରୀକୁ ଛୁଏଁନି ସ୍ୱାମୀ । ସେତେବେଳେ ଶବ ସତ୍କାର ପାଇଁ ଖୋଜା ପଡନ୍ତି ଚିନ୍ମୟୀ ।
ଅଜଣା ଶବ ହେଉ କି ସଂକ୍ରମିତ ଶବ… ଯେତେବେଳେ, ଯେଉଁ ସମୟରେ ଚିନ୍ମୟୀଙ୍କୁ ଖୋଜା ପଡେ ସେ ହାଜର ହୁଅନ୍ତି ଆଉ ସଙ୍କଟ ସମୟର ସାହାରା ସାଜନ୍ତି । ମହାମାରୀ ବେଳେ ମଣିଷପଣିଆର ମାଇଲଖୁଣ୍ଟ ସାଜି ମରଶରୀରକୁ ମଶାଣୀ ନେଇ ସମ୍ମାନର ସହ ସଂସ୍କାର କରନ୍ତି। ବୋଧହୁଏ ସେଇଥିପାଇଁ ଚିନ୍ମୟୀଙ୍କ ଏହି ମହାନତା ଆଜି ତାଙ୍କୁ ଚର୍ଚ୍ଚିତ କରାଇଛି। ଆଉ ସମସ୍ତେ ତାଙ୍କୁ ସାଧୁବାଦ ଜଣାଉଛନ୍ତି ।

Advertisment

ଅନୁଗୁଳ ଜରପଡା ଅଞ୍ଚଳର କିନ୍ନର ଚିନ୍ମୟୀ ଦାସ । ଇଏ ବି ଜଣେ କରୋନା ଯୋଦ୍ଧା । ନା ଇଏ ଆଶା ଦିଦି, ନା ସ୍ୱାସ୍ଥ୍ୟକର୍ମୀ ନା କି ଅଙ୍ଗନୱାଡି କର୍ମୀ । ତଥାପି ଅସମୟରେ ଲୋକଙ୍କ ଦୁଃଖର ସାଥୀ ସାଜି ଦୁନିଆ ପାଇଁ ସାଜିଛନ୍ତି ଉଦାହରଣ । ହାତରେ ଗ୍ଲୋଭସ, ଦେହରେ ପିପିଇ କିଟ୍ ପିନ୍ଧି କରୋନା ଆକ୍ରାନ୍ତ ଶବ ଠାରୁ ଅକାଳରେ ଆଖିବୁଜୁଥିବା ଶବକୁ ସେ ଶ୍ମଶାନ ନିଅନ୍ତି ଆଉ ସଂସ୍କାର କରନ୍ତି ।

ଚିନ୍ମୟୀ ଅନୁଗୁଳର ଅନେକ ସାହାଯ୍ୟଧର୍ମୀ କାମରେ ନିଜକୁ ନିୟୋଜିତ କରିଛନ୍ତି । ଇତି ମଧ୍ୟରେ ପାଖାପାଖି ୨୦ରୁ ଅଧିକ ଶବର ସତ୍କାର କରି ସାରିଲେଣି ଚିନ୍ମୟୀ । ଆଉ ତାଙ୍କର ଏ ମହାନତା ପାଇଁ ଖୋଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ କରି ପ୍ରଶଂସା କରିବା ସହିତ ସାଧୁବାଦ ଜଣାଇଛନ୍ତି । ପର ପାଇଁ ନିଜ ଜୀବନରୁ ଉତ୍ସର୍ଗୀକୃତ କରିଥିବା ଚିନ୍ମୟୀଙ୍କୁ ଦବଙ୍ଗ ଆଇପିଏସ ଅରୁଣ ବୋଥ୍ରା ବି ବାଃ ବାଃ କରିଛନ୍ତି।

ତେବେ ଚିନ୍ମୟୀଙ୍କ ପ୍ରକୃତ ନାମ ଥିଲା ଗଗନ ବିହାରୀ ଦାସ । ଜଗତସିଂହପୁର ତିର୍ତ୍ତୋଲ ଥାନା ଅଞ୍ଚଳରେ ସେ ଜନ୍ମଗ୍ରହଣ କରିଥିଲେ । ପିଲା ବେଳୁ କିନ୍ନର ଥିବାରୁ ତାଙ୍କୁ ସାହି ପଡିଶାଙ୍କ ଟାହିଟାପରା ଶୁଣିବାକୁ ପଡିଥିଲା । ଆଉ ସେ ମାମୁଘର ଆସି, ଜୀବନରେ ଅନେକ ସଂଘର୍ଷ କରି ଆଜି ଏ ସ୍ତରରେ ପହଞ୍ଚି ପାରିଛନ୍ତି ।

ଆଉ ମହାମାରୀର ଏ ସଙ୍କଟ ସମୟରେ ଜଣେ କିନ୍ନର କରୋନା ଯୋଦ୍ଧା ଭଳି କାମ କରୁଛନ୍ତି । ଖାଲି ଶବ ସତ୍କାର ନୁହେଁ କରୋନା ପରୀକ୍ଷା, କୋଭିଡ୍ ଆକ୍ରାନ୍ତଙ୍କୁ ସୁବିଧା ଯୋଗାଇବା ଠାରୁ ବୃଦ୍ଧବୃଦ୍ଧାଙ୍କୁ ଟିକା ଦେବା ଠାରୁ ଗହଳି ସ୍ଥାନରେ କରୋନା ସଚେତନତା ବାର୍ତା ବାଣ୍ଟି ଚାଲିଛନ୍ତି ଚିନ୍ମୟୀ ।