ଭଦ୍ରକ ରାଣୀତାଲ ଛକରେ ଉଚ୍ଚ ପୋଲ ନିର୍ମାଣ ଦାବିରେ ପରିବହନ ମନ୍ତ୍ରୀଙ୍କୁ ଅଟକ ରଖିଲେ ଆନ୍ଦୋଳନକାରୀ

ଭଦ୍ରକ: ୧୬ ନମ୍ବର ଜାତୀୟ ରାଜପଥର ଭଦ୍ରକ ଓ ବାଲେଶ୍ୱର ସୀମା ନିକଟରେ ଥିବା ରାଣୀତାଲ ଛକରେ ଏକ ଉଚ୍ଚପୋଲ ନିର୍ମାଣ ଦାବିରେ ଆନ୍ଦୋଳନକାରୀମାନେ ଆଜି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କୁ ଦୀର୍ଘ ଏକ ଘଣ୍ଟାରୁ ଉର୍ଦ୍ଧ୍ୱ ସମୟ ଅଟକ ରଖିଛନ୍ତି। ଆନ୍ଦୋଳନକାରୀମାନେ ମନ୍ତ୍ରୀଙ୍କୁ ଜାତୀୟ ରାଜପଥ କର୍ତ୍ତୃପକ୍ଷ ଓ ଜିଲ୍ଲା ପ୍ରଶାସନ ସହିତ ଆଲୋଚନା କରିବା ଦାବିରେ ଆଜି ଅଟକ ରଖିଛନ୍ତି।

ସୂଚନା ଅନୁସାରେ ମନ୍ତ୍ରୀ ଶ୍ରୀ ବେହେରେ ବାଲେଶ୍ୱର ଗସ୍ତ ଶେଷ କରି ଭୁବନେଶ୍ୱର ଅଭିମୁଖେ ଫେରୁଥିବା ବେଳେ ଆନ୍ଦୋଳନକାରୀମାନେ ଏହା ଜାଣିପାରି ତାଙ୍କୁ ରାଣୀତାଲ ଛକରେ ଅଟକାଇ ଥିଲେ ।  ଏହା ପରେ ସେମାନେ ମନ୍ତ୍ରୀଙ୍କୁ ଧାରଣାସ୍ଥଳକୁ ନେଇ ଯାଇଥିଲେ। ଆନ୍ଦୋଳନସ୍ଥଳରେ ମନ୍ତ୍ରୀଙ୍କୁ ବସାଇ ବିଭିନ୍ନ ସମସ୍ୟା ବାବଦରେ ଅବଗତ କରିଥିଲେ। ସେମାନେ ବହୁ ଦିନ ଧରି ଧରଣାରେ ବସିଥିଲେ ମଧ୍ୟ ଧାରଣାସ୍ଥଳକୁ ଜିଲ୍ଲାପାଳ ଆସୁ ନଥିବା ଅଭିଯୋଗ କରିଥିଲେ।ଶେଷରେ ମନ୍ତ୍ରୀ ଶ୍ରୀ ବେହେରା ଜାତୀୟ ରାଜପଥ କର୍ତ୍ତୃପକ୍ଷର ପ୍ରକଳ୍ପ ନିର୍ଦ୍ଦେଶକ ନାଗେଶ୍ୱର ରାଓ ଓ ଜିଲ୍ଲା ପ୍ରଶାସନ ସହିତ କଥା ହେବା ପରେ ଧାରଣାସ୍ଥଳରୁ ମୁକୁଳି ଥିଲେ।

ଭଦ୍ରକ ସହର ଠାରୁ ମାତ୍ର ୧୦ କିଲୋମିଟର ଦୂରରେ ଥିବା ଏହି ଚର୍ଚ୍ଚିତ ଛକ ଦେଇ ଉଭୟ ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାର ଲକ୍ଷାଧିକ ଲୋକ ଦୈନନ୍ଦିନ ଯିବାଆସିବା କରିଥାନ୍ତି। ରାଣୀତାଲ ଛକ ଭଦ୍ରକ ଜିଲ୍ଲାର ସଦର ଓ ବାସୁଦେବପୁର ବ୍ଲକ ସମେତ ବାଲେଶ୍ୱର ଜିଲ୍ଲାର ସୁମୁଳିଆ, ଖଇରା ଓ ଔପଦା ବ୍ଲକର ଜୀବନରେଖା କହିଲେ କିଛି ଅତ୍ୟୁକ୍ତି ହେବ ନାହିଁ।

ତେବେ ରାଣୀତାଲ ଛକରେ ଏକ ଉଚ୍ଚ ପୋଲ ନିର୍ମାଣ ପାଇଁ ଦୀର୍ଘ ବର୍ଷ ହେଲା ଦାବି ହୋଇ ଆସୁଥିଲା। ୧୬ ନମ୍ବର ଜାତୀୟ ରାଜପଥ ଏବେ ସଂପ୍ରସାରଣ ଚାଲିଥିବା ବେଳେ ରାଜପଥ କର୍ତ୍ତୃପକ୍ଷ ଏଠାରେ ପୋଲ ନିର୍ମାଣ ନ କରି ଖସି ଯିବାକୁ ଉଦ୍ୟମ କରୁଥିବାରୁ ସ୍ଥାନୀୟ ଲୋକମାନେ ବିରୋଧ କରି ଆଜକୁ ୧୧ ଦିନ ହେଲା ରାଜପଥର ରାଣୀତାଲ ଛକରେ ଧାରଣା ଦେଇଛନ୍ତି। ଧାରଣାସ୍ଥଳକୁ ପ୍ରତିଦିନ ଭଦ୍ରକ ବିଧାୟକ, ଭଦ୍ରକ ଲୋକସଭା ସାଂସଦ ଓ ବିରୋଧୀ ଦଳର ଉପନେତା ଯାଉଛନ୍ତି। ସେହିପରି ସ୍ଥାନୀୟ ଅଞ୍ଚଳର ପ୍ରତିନିଧିମାନେ ଆନ୍ଦୋଳନକୁ ସମର୍ଥନ ଦେବା ସହିତ ପୋଲ ନିର୍ମାଣ ଲାଗି ଦାବି କରିଆସୁଛନ୍ତି। ମାତ୍ର ଜାତୀୟ ରାଜପଥ କର୍ତ୍ତୃପକ୍ଷ ଆଜି ପର୍ଯ୍ୟନ୍ତ ଏହି ଦାବିକୁ ଅଣଦେଖା କରି ଆସୁଛନ୍ତି।

ଅତୀତରେ ରାଣୀତାଲ ଛକରେ ୫୦ରୁ ଊର୍ଦ୍ଧ୍ୱ ଦୁର୍ଘଟଣା ଘଟି ବହୁ ଲୋକଙ୍କର ଜୀବନ ଯାଇଥିଲା। ଗତ ବର୍ଷ ମଧ୍ୟ ଏହି ଛକ ନିକଟରେ ସ୍କୁଲ ପିଲାଙ୍କର ଉପରେ ଟ୍ରକ ଚଢ଼ି ଯିବାରୁ ୬ ଜଣଙ୍କର ମୃତ୍ୟୁ ହୋଇଥିଲା। ସେହି ଦିନ ଠାରୁ ପୋଲ ନିର୍ମାଣ ପାଇଁ ଦାବି ଜୋର ଧରିଥିଲା। ଆଜି ମଧ୍ୟ ସେଠାରେ ଏକ ଦୁର୍ଘଟଣା ଘଟିଥିଲା। ଜଣେ ମୋଟର ସାଇକେଲ ଚାଳକଙ୍କୁ ଏକ ଯାତ୍ରୀ ବସ୍‌ ଧକ୍କା ଦେଇଥିଲା।

ସମ୍ବନ୍ଧିତ ଖବର