ଖୋର୍ଦ୍ଧା: ଜଙ୍ଗଲ ହ୍ରାସ, ଜମିରେ ରାସାୟନିକ ସାରର ମାତ୍ରାଧିକ ପ୍ରୟୋଗ ଆଦି ଦ୍ବାରା ମୃତ୍ତିକା କ୍ଷୟ ହେବା ସହ ମାଟିର ଉର୍ବରତା କମୁଛି। ମୃତ୍ତିକାକୁ ରକ୍ଷା କରିବା ସମ୍ପର୍କରେ ସଚେତନତା ସୃଷ୍ଟି କରିବାକୁ ସାଇକଲରେ ଦେଶ ଭ୍ରମଣ କରୁଥିବା ଉତ୍ତର ପ୍ରଦେଶର ମୋହିତ ରଞ୍ଜନ ଆଜି ସକାଳେ ଖୋର୍ଦ୍ଧାରେ ପହଞ୍ଚିଛନ୍ତି। ଖୋର୍ଦ୍ଧାରେ ତାଙ୍କୁ ବିଭିନ୍ନ ସାମାଜିକ ସଂଗଠନ ଓ ଯୁବ ସଂଗଠନ ପକ୍ଷରୁ ସ୍ବାଗତ କରାଯାଇଛି। ଆଜି ଶନିବାର ପୂର୍ବାହ୍ନ ପ୍ରାୟ ସାଢ଼େ୧୧ଟା ବେଳେ ମୋହିତ ନୟାଗଡ଼ରୁ ବୋଲଗଡ଼, ବେଗୁନିଆ ଦେଇ ସାଇକଲରେ ଖୋର୍ଦ୍ଧା ପହଞ୍ଚିଥିଲେ। ଖୋର୍ଦ୍ଧା ନୟାଗଡ଼ ରାସ୍ତାରେ ଥିବା ଇଗଲ କ୍ଲବ ନିକଟରେ ବେଗୁନିଆ ବିଧାୟକ ରାଜେନ୍ଦ୍ର ସାହୁ, କାଉନସିଣ ପ୍ରବୀଣା ରାୟ ଓ ଇଗଲ କ୍ଲବର ସଦସ୍ୟମାନେ ତାଙ୍କୁ ସ୍ବାଗତ କରିଥିଲେ।
ଏହାପରେ ୟୁନିଅନ ବ୍ୟାଙ୍କର କର୍ମଚାରୀମାନେ ତାଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ମୋହିତ ନିଜ ଯାତ୍ରା ସମ୍ପର୍କରେ କହିଛନ୍ତି ଯେ ସେ ଜଣେ ଚାଷୀ ପରିବାର ସନ୍ତାନ। ନିଜ ଜମିରେ ମାଟିର ଉର୍ବରତାର ହ୍ରାସ ଓ ଆଖପାଖ ଅଞ୍ଚଳରେ ମୃତ୍ତିକା କ୍ଷୟ ଦେଖି ବିଚଳିତ ଥିଲେ। ଇଶା ଫାଉଣ୍ଡେସନର ସଦଗୁର ଜାଗିଙ୍କ ମୃତ୍ତିକା ସଂରକ୍ଷଣ ନେଇ ବିଶ୍ବଭ୍ରମଣରେ ଅନୁପ୍ରାଣିତ ହୋଇ ଭାରତରେ ଏନେଇ ସଚେତନତା ସୃଷ୍ଟି କରିବାକୁ ଏକ ଛୋଟ ପ୍ରୟାସ ଆରମ୍ଭ କଲେ। ୧୬ ଡିସେମ୍ବର ୨୦୨୨ରୁ ବୁନ୍ଦେଲଖଣ୍ଡ ଲଲିତପୁରରୁ ନିଜ ଯାତ୍ରା ଆରମ୍ଭ କରିଥିଲେ। ବର୍ତ୍ତମାନ ସେ ୮ ହଜାର କିଲୋମିଟର ଯାତ୍ରା କରିଛନ୍ତି। ପ୍ରତି ରାଜ୍ୟ ଯାଇ ସେଠାର ରାଜନୈତିକ ନେତା, ପ୍ରାଶାସନିକ ଅଧିକାରୀଙ୍କୁ ଭେଟି ଜୈବକ ଖତ ପ୍ରୟୋଗ ବୃଦ୍ଧି କରିବା, ମୃତ୍ତିକା ସଂରକ୍ଷଣ ପାଇଁ ସ୍ବତନ୍ତ୍ର ଯୋଜନା କରିବା ଆଦି ନେଇ ଦୃଷ୍ଟି ଆକର୍ଷଣ କରୁଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/08/mrutika-sanrakhyan-pain-cycle-yatra-Khordha.jpeg)