ନୂଆଗାଁ: ଅନ୍ଧବିଶ୍ବାସର ଅନ୍ଧଗଳିରୁ ବାହାରି ପାରୁନାହିଁ ମଣିଷ। ଚିକିତ୍ସାସେବା ଓ ବିଜ୍ଞାନ ଯେତେ ଅଗ୍ରଗତି କଲେ ବି କେବଳ ଅଶିକ୍ଷିତ ଦରିଦ୍ର ପରିବାର ନୁହେଁ, ଶିକ୍ଷିତ ଆଧୁନିକ ମଣିଷ ମଧ୍ୟ ଏହାର ଶିକାର ହେଉଛନ୍ତି। ଏହାର ସଦ୍ୟତମ ଉଦାହରଣ ଦେଖିବାକୁ ମିଳିଛି ବିଶ୍ରା ବ୍ଲକ୍ ଭାଲୁଲତା ଗ୍ରାମରେ। ଏହି ଗ୍ରାମରେ ସାପକାମୁଡ଼ାରେ ମୃତ ଜଣେ ଶିଶୁକନ୍ୟାକୁ ବଞ୍ଚାଇବାକୁ ଝଡ଼ାଫୁଙ୍କାର ଆଶ୍ରୟ ନିଆଯାଇଥିବା ଓ ଗୁଣିଆ ୩ ଦିନ କାଳ ଏଥିପାଇଁ ଚେଷ୍ଟାକରି ହାତ ଟେକିଦେବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।
ସୂଚନା ମୁତାବକ, ୧୮ ତାରିଖ ଦିନ ବିଶ୍ରା ବ୍ଲକ୍ ଭାଲୁଲତା ଗ୍ରାମର ଏତୁଆ ମୁଣ୍ଡାଙ୍କ ଚାରିବର୍ଷର ଝିଅ ମୁସ୍କାନ ମୁଣ୍ଡାଙ୍କୁ ନିଜଘରେ ସାପ କାମୁଡ଼ି ଦେଇଥିବା ସନ୍ଦେହକରି ପରିବାରଲୋକେ ବିଶ୍ରା ଡାକ୍ତରଖାନାକୁ ନେଇଥିଲେ। ସେଠlରେ ଡାକ୍ତର ତାଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନାକୁ ରେଫର କରିଥିଲେ। ରାଉରକେଲା ସରକାରୀ ଡାକ୍ତରଖାନାରେ ଡାକ୍ତର ମୁସ୍କାନଙ୍କୁ ମୃତ ଘୋଷଣାକରି ଶବକୁ ଘରକୁ ନେଇଯିବାକୁ କହିଥିଲେ। ତେବେ ଘରଲୋକଙ୍କ ମନ ଏଥିରେ ବୁଝି ନଥିଲା। ଗୁଣିଆକୁ ଦେଖାଇଲେ ଝିଅ ବଞ୍ଚିଯିବ ବୋଲି ପରିବାରଲୋକଙ୍କ ବିଶ୍ବାସ ହୋଇଥିଲା। ତେଣୁ ସେମାନେ ତାଙ୍କୁ ନିଜଘର ଭାଲୁଲତା ନ ନେଇ ନୂଆଗାଁ ବ୍ଲକ୍ ସୋରଡ଼ା ଅଞ୍ଚଳକୁ ଆଣି ସେଠାରେ ଜଣେ ମହିଳା ଗୁଣିଆଙ୍କୁ ଦେଖାଇଥିଲେ। ମହିଳା ଗୁଣିଆଜଣକ ଶିଶୁକନ୍ୟାକୁ ବଞ୍ଚାଇଦେବାର ପ୍ରତିଶ୍ରୁତି ଦେଇ ୧୮ ତାରିଖ ସନ୍ଧ୍ୟlରୁ ୨୦ ତାରିଖ ସନ୍ଧ୍ୟା ପର୍ଯ୍ୟନ୍ତ ନିଜଘର ଅଗଣାରେ ରଖି ଝଡ଼ାଫୁଙ୍କା ଚିକିତ୍ସା କରିଥିଲେ। ଶିଶୁକନ୍ୟାର ମା’ ଅର୍ପିତା, ବାପା ଏତୁଆଙ୍କ ସମେତ ଭାଲୁଲତା ଗ୍ରାମର ଅନେକ ସମ୍ପର୍କୀୟ ତିନିଦିନ ଧରି କାଳେ ବଞ୍ଚିଯିବ ବୋଲି ମୃତ ଶିଶୁକନ୍ୟା ନିକଟରେ ଆଶା ଓ ବିଶ୍ୱାସ ବାନ୍ଧି ବସିରହିଥିଲେ। କିନ୍ତୁ ଶେଷରେ ଗୁରୁବାର ସନ୍ଧ୍ୟାରେ ମହିଳା ଗୁଣିଆଜଣକ ବିଭିନ୍ନ ବାହାନାକରି ହାତ ଟେକିଦେଲେ। ତେଣୁ ପରିବାରଲୋକେ ନିରାଶରେ ମୃତଝିଅକୁ ଧରି ଘରକୁ ଫେରି ଯାଇଥିଲେ।