ଗୁରୁଦେବ ହସ୍ପିଟାଲ୍‌ରେ ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ଘଟଣା; ଶବଧରି ପରିବାରବର୍ଗଙ୍କ କ୍ଷତିପୂରଣ ଦାବି

ଆଲୋଚନା ବିଫଳ, ୨୪ଘଣ୍ଟା ମହଲତ

ବ୍ରହ୍ମପୁର: ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ବ୍ରହ୍ମାନଗର ଛକରେ ଥିବା ଗୁରୁଦେବ ହସ୍ପିଟାଲ୍‌ରେ ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ଘଟଣାକୁ ନେଇ ଆଜି ତୀବ୍ର ଉତ୍ତେଜନା ଦେଖା ଦେଇଛି।

କ୍ଷତିପୂରଣ ଦାବି କରି ମୃତକଙ୍କ ପରିବାରବର୍ଗ ଶବ ନେଇ ହସ୍ପିଟାଲ୍‌ରେ ପଶିଥିଲେ। ହସ୍ପିଟାଲ୍‌ ପ୍ରତିକ୍ଷାଳୟରେ ମୃତଦେହ ରଖି ସମ୍ପର୍କୀୟ ଓ ବହୁ ବିଜେପି ନେତା ରାସ୍ତାରେ ଧାରଣାରେ ବସି ମୃତକଙ୍କ ପରିବାରବର୍ଗଙ୍କୁ ୧୦ଲକ୍ଷ ଟଙ୍କା କ୍ଷତିପୂରଣ ଦାବି କରିଥିଲେ।

ପୁଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ କରିଥିଲା। ପୁଲିସ ଉପସ୍ଥିତିରେ ମୃତକଙ୍କ ପରିବାର ଓ ହସ୍ପିଟାଲ୍‌ କର୍ତ୍ତୃପକ୍ଷଙ୍କ ମଧ୍ୟରେ ଆଲୋ‌ଚନା ହୋଇଥିଲା। ଦୀର୍ଘ ସମୟର ଆଲୋଚନା ପରେ ମଧ୍ୟ କୌଣସି ସମାଧାନ ବାଟ ଫିଟି ନଥିଲା। ଫଳରେ ପରିବାରବର୍ଗ ଶ‌ବ ନେଇ ସେଠାରୁ ଚାଲି ଯାଇଥିଲେ। ୨୪ଘଣ୍ଟା ମଧ୍ୟରେ କ୍ଷତିପୂରଣ ନମି‌ଳିଲେ ପୁଣିଥରେ ଆନ୍ଦୋଳନ କରାଯିବ ବୋଲି ମୃତକଙ୍କ ସମ୍ପର୍କୀୟ ଚେତାବନୀ ଦେଇଛନ୍ତି।

ଗୁରୁଦେବ ହସ୍ପିଟାଲ୍‌ରେ ଚିକିତ୍ସା ଅବହେଳାରୁ ଗତକାଲି ଗୋଳନ୍ଥରା ଥାନା ଗୋବିନ୍ଦବିବହାରର ନବନୀ ସାହୁଙ୍କ ପତ୍ନୀ ସଂଗୀତା ସାହୁଙ୍କ ମୃତ୍ୟୁ ଘଟିଥିବା ନେଇ ଅଭିଯୋଗ ହୋଇଥିଲା। ସ୍ବାମୀ ନବୀନଙ୍କ ଅଭିଯୋଗ କ୍ରମେ ବୈଦ୍ୟନାଥପୁର ଥାନା ପୁଲିସ କେସ୍ ନମ୍ବର ୫୪/୨୧ରେ ମାମଲା ରୁଜୁ କରି ଶବ ଜବତ କରିଥିଲା।

ଆଜି ବଡ଼ ଡାକ୍ତରଖାନାରେ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ପଞ୍ଚନାମା ପରେ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଥିଲା। ଶବ ବ୍ୟବଚ୍ଛେଦ ପରେ ଅପରାହ୍ଣ ପ୍ରାୟ ୩ଟା ବେଳେ ମୃତକଙ୍କ ସମ୍ପର୍କୀୟ ଶବ ନେଇ ଗୁରୁଦେବ ହସ୍ପିଟାଲ୍‌ରେ ପହଞ୍ଚିଥିଲେ। ଶବକୁ ହସ୍ପିଟାଲ୍‌ ଭିତରେ ରଖି ନାରାବାଜି ଦେବା ସହିତ କ୍ଷତିପୂରଣ ପ୍ରଦାନ କରିବାକୁ ଦାବି କରିଥିଲେ। ଏହା ସହିତ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରାଯାଇଥିଲା।

ବିଜେପି ନେତା ମନୋରଂଜନ ଦ୍ୟାନସାମନ୍ତରା, ରାମ କୁମାର ପାତ୍ରଙ୍କ ନେତୃତରେ ମୃତକଙ୍କ ସମ୍ପର୍କୀୟ ରାସ୍ତାରେ ବସି ଧାରଣା ଦେଇଥିଲେ। କ୍ଷତିପୂରଣ ନମିଳିବା ଯାଏ ଶବ ଉଠିବ ନାହିଁ ବୋଲି ‌ଜିଦ୍‌ ଧରିଥିଲେ। ଖବର ପାଇ ଟାଉନ୍ ଏସ୍‌ଡିପିଓ ବିଷ୍ଣୁପ୍ରସାଦ ପତି, ବୈଦ୍ୟନାଥପୁର ଥାନା ଅଧିକାରୀ ସାରଦା ପ୍ରସନ୍ନ ଦାଶ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ। ହେଲେ କୌଣସି ସମାଧାନ ପନ୍ଥା ବାହାରି ନଥିଲା। କ୍ଷତିପୂରଣ ନମିଳିଲେ ପୁଣିଥରେ ଆନ୍ଦୋଳନ କରାଯିବ ବୋଲି ବିଜେପି ନେତା ଦ୍ୟାନସାମନ୍ତରା କହିଛନ୍ତି।

ସମ୍ବନ୍ଧିତ ଖବର